Janam TV English
ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଅନ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ତେଣୁ ଜୁଲାଇ ୨୭ ତାରିଖ ଯାଏ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ଏହି ବର୍ଷା ଖରିଫ ଫସଲ ପାଇଁ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି। ବିଶେଷକରି ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟର ୧୯ ଜିଲ୍ଲା ମଧ୍ୟରୁ ବେଶ୍ କିଛି ଜିଲ୍ଲାରେ ଏହି ଲଘୁଚାପ ବର୍ଷା ଚାଷୀକୁଳ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରୁ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ୨୪ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ, ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୫ ତାରିଖ ଦିନ ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୨୬ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଣୁ ଆସନ୍ତା ୪ ଦିନ ପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ୧ ଜୁନରୁ ୨୨ ଜୁଲାଇ ଯାଏ ଓଡ଼ିଶାରେ ୩୪୬.୩ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୪୫୮.୬ ମିମି ବର୍ଷା ହୋଇଥାଏ। ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ୨୪% କମ୍ ରହିଛି। ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି।
Follow Us