ବାଲେଶ୍ୱରରେ କ୍ଷମତା ଦଖଲ ପାଇଁ ହେଭିୱେଟ୍‌ ନେତାଙ୍କ କସରତ୍

Advertisment

ଆସିଲେ ଚେଲା କୁମାର, ୨୩ରେ ବୈଜୟନ୍ତ, ୨୫ରେ ଅଶ୍ବିନୀ, ୨୬ରେ ନବୀନ

ଆସିଲେ ଚେଲା କୁମାର, ୨୩ରେ ବୈଜୟନ୍ତ, ୨୫ରେ ଅଶ୍ବିନୀ, ୨୬ରେ ନବୀନ

ବାଲେଶ୍ୱରରେ କ୍ଷମତା ଦଖଲ ପାଇଁ ହେଭିୱେଟ୍‌ ନେତାଙ୍କ କସରତ୍

ବାଲେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ସେପଟେ କ୍ଷମତା ଦଖଲ ପାଇଁ ପ୍ରମୁଖ ଦଳ ପକ୍ଷରୁ କସରତ୍ ଆରମ୍ଭ ହୋଇଗଲାଣି। ଏହାମଧ୍ୟରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଏ.ଚେଲାକୁମାର ବାଲେଶ୍ବର ଜିଲ୍ଲା ଗସ୍ତରେ ଆସି ଜଳେଶ୍ବର ଓ ବାଲିଆପାଳରେ ଆୟୋଜିତ ଜନଜାଗରଣ ସମାବେଶରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କଂଗ୍ରେସ ଏକପ୍ରକାର ଆଗୁଆ ପାଗ ଭିଡ଼ିଥିଲେ ମଧ୍ୟ ଅନ୍ୟ ଦଳ ପଛରେ ନାହାନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆସନ୍ତା ୨୩ ତାରିଖରେ ବାଲେଶ୍ବର ଆସୁଛନ୍ତି। ଶ୍ରୀ ପଣ୍ଡା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି। ତା’ ଛଡ଼ା ଦଳର କେତେକ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ପଣ୍ଡା ଯୋଗ ଦେବାର ରହିଛି।

୨୫ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଲେଶ୍ବର ଆସି ମଡେଲ୍‌ ରେଳ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅତୀତରେ ଶ୍ରୀ ବୈଷ୍ଣବ ବାଲେଶ୍ବର ଜିଲ୍ଲାପାଳ ଥିଲେ। ଶ୍ରୀ ବୈଷ୍ଣବଙ୍କ ସହ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ବ ଓ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଆସୁଥିବା ଜଣାପଡ଼ିଛି। ବିଜେପିର ଦୁଇ ହେଭିୱେଟ୍‌ ନେତାଙ୍କ ଗସ୍ତ ଅବସରରେ କର୍ମୀ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଥିବାବେଳେ ଆସନ୍ତା ୨୬ ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଗକୁ ବି ୩ ଦଳର ହେଭିୱେଟ୍‌ ନେତା ଆସିବାର କାର୍ଯ୍ୟକ୍ରମ ରହିଛି।

ଚଳିତମାସର ଶେଷଆଡ଼କୁ ସବୁ ପ୍ରମୁଖ ରାଜନୈତିକ ଦଳର ନେତା ବାଲେଶ୍ବରକୁ ଜଣଙ୍କ ପରେ ଜଣେ ଆସିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe