‘ହାଲୋ ଆର୍‌ସି’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

Advertisment

ଓଡ଼ିଆ ସଂଳାପକୁ ପ୍ରଥମ ଜାତୀୟ ପୁରସ୍କାର

ଓଡ଼ିଆ ସଂଳାପକୁ ପ୍ରଥମ ଜାତୀୟ ପୁରସ୍କାର

‘ହାଲୋ ଆର୍‌ସି’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର : ଏକ ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ‘ହାଲୋ ଆର୍‌ସି’ ପାଇବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଚଳଚ୍ଚିତ୍ରଟି ସିନେମା ହଲ୍‌କୁ ଆସି ନଥିଲେ ହେଁ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଅଜୟ ରାଉତରାୟଙ୍କ ପ୍ରଯୋଜିତ ଏବଂ ସ୍ୱର୍ଗତ ସମ୍ବିତ ମହାନ୍ତିଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ୩ଟି ବର୍ଗରେ ପୁରସ୍କାର ପାଇବାକୁ ସକ୍ଷମ ହୋଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମେତ ଶ୍ରେଷ୍ଠ ସଂଳାପ ପାଇଁ ସମ୍ବିତ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ସ୍ପେସାଲ୍‌ ମେନ୍‌ସନ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ‘ସଂଳାପ’ ପାଇଁ ପ୍ରଥମ କରି ଏକ ଓଡ଼ିଆ ଚଳଚ୍ଚିତ୍ରର ସଂଳାପକାରଙ୍କୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ପୁଣି ଢେର୍‌ ବର୍ଷ ତଳେ ମଂଜୁଳା କୁଅଁର ‘ଭଙ୍ଗା ସିଲଟ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ପୁରସ୍କାର ଲାଭ କରିଥିବା ବେଳେ ତାଙ୍କ ପରେ ଅଭିନେତ୍ରୀ ଭାବେ ପ୍ରକୃତି ମିଶ୍ର ଏହିଭଳି ଏକ ସମ୍ମାନ ଲାଗି ମନୋନୀତ ହେବା ରାଜ୍ୟ ପାଇଁ ଗୌରବର ବିଷୟ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଜୁରି ପ୍ୟାନେଲ୍‌ର ନିର୍ଦେଶକ ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ଓ ଅଭିନେତା ଶେଖର କପୁର ଏ ଚଳଚ୍ଚିତ୍ର ସମ୍ପର୍କରେ ମତ ରଖି କହିଛନ୍ତି, ମୁଁ ଆଗରୁ ଏମିତି ଚଳଚ୍ଚିତ୍ର କେବେ ଦେଖିନି। କେନ୍ସ ଭଳି ଚଳଚ୍ଚିତ୍ର ପର୍ବରେ ବି ଏମିତି ଚଳଚ୍ଚିତ୍ର ଦେଖିବାର ଅବକାଶ ଜୁଟିନି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରକୃତି ମିଶ୍ରଙ୍କ ଅଭିନୟକୁ ମଧ୍ୟ ସେ ଢେର ପ୍ରଶଂସା କରିଛନ୍ତି। ସେ ଏକଥା ବି କହିଛନ୍ତି, ସେ ଯଦି ଏମିତି ଗୋଟେ ଚଳଚ୍ଚିତ୍ର କରିବାକୁ ଚେଷ୍ଟା କରିଥାଆନ୍ତେ ତେବେ ବିଫଳ ହୋଇଥାଆନ୍ତେ। ତେଣୁ ଓଡ଼ିଆରେ କପିର ଧାରା ଚାଲିଥିବା ବେଳେ ଏକ ମୌଳିକ କାହାଣୀ ଯେ, ଜାତୀୟସ୍ତରର ଚଳଚ୍ଚିତ୍ର ପ୍ରତିଭାଙ୍କୁ ରୋମାଞ୍ଚିତ କରିପାରେ ତାହାର ନିଚ୍ଛକ ଉଦାହରଣ ହେଉଛି ‘ହାଲୋ ଆର୍‌ସି’।

‘ଆର୍‌ସି’ ନାମକ ଚରିତ୍ରକୁ ଆଧାର କରି କାହାଣୀ ଗତିଶୀଳ ହୋଇଛି। ଏକ କାର୍‌ରେ ଚଳଚ୍ଚିତ୍ରଟି ଆରମ୍ଭ ହୋଇଥିବା ବେଳେ ସେଇ କାର୍‌ରେ ହିଁ ଚଳଚ୍ଚିତ୍ରଟି ଶେଷ ହୋଇଛି। ବିସ୍ଥାପିତଙ୍କୁ ଦିଆଯାଉଥିବା କ୍ଷତିପୂରଣ ପରର ଦୁଃଖ ଏବଂ ନିଜ ଅନ୍ତରର ଅଭିବ୍ୟକ୍ତିକୁ ପରିପ୍ରକାଶ ପାଇଁ ଦୁଇ ବ୍ୟକ୍ତି ଗଣମାଧ୍ୟମକୁ ଖୋଜିବାର କଥାବସ୍ତୁ ଏଥିରେ ସ୍ଥାନିତ ହୋଇଛି। ଏଥିରେ ପ୍ରକୃତି ମିଶ୍ର, ପାର୍ଥସାରଥୀ ରାୟ ଏବଂ ପ୍ରିୟମ୍ବଦା ରାୟ ଅଭିନୟ କରିଛନ୍ତି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିବାରୁ ଫିଲ୍ମର ପ୍ରଯୋଜକ ଓ ନିର୍ଦେଶକ ଉଭୟଙ୍କୁ ରଜତ କମଳ ପୁରସ୍କାର ସମେତ ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ। ସେହିଭଳି ଶ୍ରେଷ୍ଠ ସଂଳାପକାର ଭାବେ ମହାନ୍ତିଙ୍କୁ ରଜତ କମଳ ପୁରସ୍କାର ସମେତ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟର୍‌ରେ ଉଭୟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଂଳାପ ପାଇଁ ମହାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ଏହା ଓଡ଼ିଶା ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରିଛନ୍ତି। ଚଳଚ୍ଚିତ୍ରର ଅଭିନେତା ପାର୍ଥସାରଥୀ କହିଛନ୍ତି, କିଛିଦିନ ତଳେ ବିଶିଷ୍ଟ ନିର୍ଦେଶକ ମନମୋହନ ମହାପାତ୍ର ଏହି ଚଳଚ୍ଚିତ୍ରରେ ମୋ’ର ଅଭିନୟକୁ ପ୍ରଶଂସା କରିଥିବା ବେଳେ ଆମକୁ ଆମ ପରିଶ୍ରମର ମୂଲ୍ୟ ମିଳିଛି ବୋଲି ସେ କହିଛନ୍ତି। ଏହି ଚଳଚ୍ଚିତ୍ରରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଏକ ଗୀତ ସ୍ଥାନ ପାଇଛି। ମିତ୍ରଭାନୁ ମହାନ୍ତି ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe