ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କୁ ଆର୍ଥିକ ସହାୟତା : ଯାତାୟାତ ଖର୍ଚ ବାବଦରେ ମିଳିବ ୫ଶହ ଟଙ୍କା

ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କୁ ଆର୍ଥିକ ସହାୟତା : ଯାତାୟାତ ଖର୍ଚ ବାବଦରେ ମିଳିବ ୫ଶହ ଟଙ୍କା

ଭୁବନେଶ୍ୱର : ରାଜ୍ୟରେ ଥିବା ଥାଲାସିମିଆ ଓ ସିକିଲସେଲରେ ଆକ୍ରାନ୍ତ ରୋଗୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦିଆଯିବ। ପ୍ରତି ମାସରେ ରକ୍ତ ନେବା ପାଇଁ ଆସୁଥିବା ବେଳେ ସେମାନଙ୍କୁ ୫ଶହ ଟଙ୍କା ଯାତାୟାତ ଖର୍ଚ ବାବଦରେ ପ୍ରଦାନ କରାଯିବ। ବର୍ଷକୁ ରୋଗୀଙ୍କୁ ୬ହଜାର ଟଙ୍କା ଦିଆଯିବ।

ରାଜ୍ୟରେ ୩ହଜାରରୁ ଅଧିକ ଥାଲାସିମିଆ ଓ ୪ହଜାରରୁ ଅଧିକ ସିକିଲସେଲ୍‌ ରୋଗୀ ରହିଛନ୍ତି। ରାଜ୍ୟରେ ସମୁଦାୟ ୫୬ଟି ରକ୍ତଭଣ୍ଡାର ରହିଥିବା ବେଳେ ୫୫ଟି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ। ଗୋଟିଏ ରେଡକ୍ରସ୍‌ ଓ ଅନ୍ୟଟି ଏମ୍‌ସରେ ରହିଛି। ଏହି ରୋଗୀମାନଙ୍କୁ ନିୟମିତ ରକ୍ତ ନେବାକୁ ପଡ଼ୁଥିବାରୁ ଯାତାୟାତ ଖର୍ଚ ମଧ୍ୟ ବଢ଼ୁଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାର ୨୧କୋଟି ଟଙ୍କା ଖର୍ଚ କରିବେ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ମଧ୍ୟ ବୃଦ୍ଧି ପାଇଛି। ୨୦୧୭ ମସିହାରେ ରାଜ୍ୟରେ ୪ଲକ୍ଷ ୨୭ହଜାର ୧୪ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ରାଜନୈତିକ ଦଳ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଉଛି। ଗତବର୍ଷ ଯେତିକି ରକ୍ତ ସଂଗ୍ରହ ହୋଇଛି ସେଥିରୁ ମାତ୍ର ୯୩୬୪ୟୁନିଟ୍‌ ରକ୍ତ ନଷ୍ଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବରୁ କେବଳ ପଶ୍ଚିମ ଓଡ଼ିଶାରେ ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା ଏକ ଧାରଣା ସୃଷ୍ଟି ହୋଇଥିଲା। ମାତ୍ର ଏବେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ରୋଗୀଙ୍କୁ ଦେଖିବାକୁ ମିଳୁଛି। ସେଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଥିବା ରକ୍ତଭଣ୍ଡାରଗୁଡ଼ିକ ରୋଗୀମାନଙ୍କ ପାଇଁ ସହାୟକ ହୋଇପାରୁଛି। ସ୍ୱେଚ୍ଛାକୃତ ରକ୍ତଦାନ ବୃଦ୍ଧି ପାଇବା ଫଳରେ ଥାଲାସିମିଆ ଓ ସିକିଲସେଲ ଭଳି ରୋଗୀଙ୍କୁ ରକ୍ତ ପାଇବାରେ ବିଶେଷ ସହାୟକ ହେଉଛି ବୋଲି ଜଣେ ଅଧିକାରୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe