ଧଣ୍ଡାମୁଣ୍ଡା: ପୁଅକୁ ୧୪ ଓ ଝିଅକୁ ୧୨ବର୍ଷ। ଦୁନିଆ ଦେଖିବା ପୂର୍ବରୁ ଅଜଣା ରୋଗ ମା’ର ମମତା ପାଇବାରୁ ବଞ୍ଚିତ କରିଦେଲା। ବାପର ଛତ୍ରଛାୟାରେ ଜୀବନ ବଞ୍ଚିବେ ବୋଲି ଭାବିଥିଲେ ଦୁଇ ଭାଇ-ଭଉଣୀ। ହେଲେ କପାଳ ଲିଖନ କିଛି ଭିନ୍ନ ଥିଲା। ମା’ ଚାଲିଯିବାର ଦୁଃଖ ଭୁଲି ଆଉ ଥରେ ଖୁସି ହେବାକୁ ଶିଖିବାର ଚେଷ୍ଟା ଜାରି ରହିଥିବା ବେଳେ ନିଷ୍ଠୁର ହୋଇଗଲେ ଈଶ୍ବର। ମା’କୁ ଛଡ଼ାଇ ନେବାର କିଛି ମାସ ପରେ ଛୁଆ ୨ଟାଙ୍କ ମୁଣ୍ଡରୁ ବାପର ହାତ ମଧ୍ୟ ଉଠାଇ ନେଲେ। ଏବେ ଘରର ୪କାନ୍ଥ ଭିତରେ ଭାଇ-ଭଉଣୀ ଏକା। କୁଆଡେ ଯିବେ? କ’ଣ କରିବେ? କାହା ପାଖରେ ଆଉ ଅଳି ଅଝଟ କରିବେ? ସେ ପ୍ରଶ୍ନର ଉତ୍ତର ଆଜି ତାଙ୍କ ପାଖରେ ନାହିଁ। ଅଛି ତ କେବଳ ଭଙ୍ଗା କୁଡ଼ିଆ ଘର। ଆଗକୁ ଭାଗ୍ୟ ତାଙ୍କୁ କେଉଁ ବାଟରେ ନେଇଯିବ ତାହା ଦୁହିଁଙ୍କୁ ଜଣା ନଥିବା ବେଳେ ଏବେ ସ୍ଥାନୀୟ ଲୋକେ ଦୁହିଁଙ୍କ ଭବିଷ୍ୟତ ପାଇଁ ସରକାରୀ ସହାୟତା ଲୋଡ଼ିଛନ୍ତି।
ଘଟଣାଟି ଘଟିଛି ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକରେ ଥିବା ଧଣ୍ଡାମୁଣ୍ଡା ପଞ୍ଚାୟତର ବାଞ୍ଜିପାଲି ଗାଁରେ। ଥଣ୍ଡା ମାଝୀ(୫୫); ସ୍ତ୍ରୀ ସୂର୍ଯ୍ୟ ମାଝୀ, ପୁଅ ଦିନେଶ ମାଝୀ (୧୪) ଓ ଝିଅ ଦିନେଶ୍ୱରୀ ମାଝୀ ( ୧୨)ଙ୍କ ସହିତ ହସଖୁସିରେ ବାଞ୍ଜିପାଲି ଗାଁରେ ରହୁଥିଲେ। ଦିନ ମଜୁରୀ କରି ଥଣ୍ଡା ନିଜ ପରିବାର ଚଳାଉଥିଲେ। ହେଲେ ୨୦୨୪ରେ ତାଙ୍କ ଘର ଉପରେ ଯେମିତି ଶନିଙ୍କ କୋପ ଦୃଷ୍ଟି ପଡ଼ିଗଲା। ହଠାତ୍ ତାଙ୍କ ପତ୍ନୀ ସୂର୍ଯ୍ୟ ମାଝୀ ଅଜଣା ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ।
ସ୍ତ୍ରୀ ଚାଲିଯିବା ପରେ ଚାଲିଗଲେ ସ୍ବାମୀ
ସ୍ତ୍ରୀ ଚାଲିଯିବାର ଦୁଃଖକୁ ଚାପି ଥଣ୍ଡା ମାଝୀ ପୁଅଝିଅଙ୍କ ଲାଳନପାଳନ କରିବା ପାଇଁ ଚିନ୍ତା କଲେ। ନିଜର କୋହକୁ ସମ୍ଭାଳି ପୁଅଝିଅଙ୍କ ଭବିଷ୍ୟତ ଚିନ୍ତା କରି ପୁଣି ଥରେ କାମ କରିବା ଆରମ୍ଭ କରିଥିଲେ ଥଣ୍ଡା। ହେଲେ ଏହାକୁ ମଧ୍ୟ ଭଗବାନ ସହ୍ୟ କରିପାରିନଥିଲେ। ହଠାତ୍ ଥଣ୍ଡା ମାଝୀଙ୍କୁ ପ୍ରବଳ ଜ୍ୱର ହୋଇଥିଲା । ଅର୍ଥ ଅଭାବରୁ ସେ ନିଜର ଚିକିତ୍ସା କରିପାରିନଥିଲେ। ଦୀର୍ଘ ଦୁଇ ଦିନ ଧରି ଜ୍ୱର ହେବା ପରେ ତାଙ୍କର ମଧ୍ୟ ଅକାଳ ବିୟୋଗ ହୋଇଥିଲା। ଏବେ ବାପାମାଙ୍କ ମୃତ୍ୟୁ ପରେ ପୁଅ ଦିନେଶ ଓ ଝିଅ ଦିନେଶ୍ଵରୀ, ବାପାମା’ ଛେଉଣ୍ଡ ହୋଇଯାଇଛନ୍ତି। ଥଣ୍ଡାଙ୍କ ଜମି କିମ୍ବା ଘର ନଥିବା ବେଳେ ସେ ଅନ୍ୟ ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ରହୁଥିଲେ। ଏବେ ସମ୍ପର୍କୀୟ କାକା ହିଁ ଏକମାତ୍ର ସାହାରା ହୋଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି।
ସରକାରୀ ସହାୟତା ହିଁ ଭରସା
ଏନେଇ ବିଡିଓ ବିବେକାନନ୍ଦ ଷଡଙ୍ଗୀଙ୍କୁ ପଚାରିବାରୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ। ତେଣୁ ଏନେଇ ପ୍ରଶାସନ ତରଫରୁ ଉଭୟ ପୁଅ ଓ ଝିଅଙ୍କୁ ଶିକ୍ଷା ସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଅଞ୍ଚଳରେ ଦାବି ହେଉଛି।
ଆହୁରି ପଢ଼ନ୍ତୁ: IND Vs AUS 1st T20: ଭାରତକୁ ପ୍ରଥମ ଝଟକା, ଅଭିଷେକ ଶର୍ମା ୧୯ ରନ୍ରେ ଏଲିସଙ୍କ ଶିକାର ହୋଇ ପାଭିଲିୟନ ଫେରିଲେ
ଆହୁରି ପଢ଼ନ୍ତୁ: Trump Praise PM Modi: ମୋଦୀ ଦେଖିବାକୁ ସବୁଠୁ ସୁନ୍ଦର, ମୁଁ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ପ୍ରସ୍ତୁତ: ଟ୍ରମ୍ପ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/29/sonsaughter-2025-10-29-15-22-07.jpg)
