ଯାତ୍ରୀ ବିଶ୍ରାମଗାରରେ ପଡି ରହିଛନ୍ତି ଅସହାୟ ମହିଳା, ଝିଅ ଜରି ଗୋଟାଇଲେ ଉଭୟଙ୍କୁ ଆହାର ଜୁଟେ

Advertisment

ଆଖିରେ ବଢୁଛି ଘା’ଚିକିତ୍ସା ପାଇଁ କେହି ନାହିଁ ସାହା

ଆଖିରେ ବଢୁଛି ଘା’ଚିକିତ୍ସା ପାଇଁ କେହି ନାହିଁ ସାହା

ଯାତ୍ରୀ ବିଶ୍ରାମଗାରରେ ପଡି ରହିଛନ୍ତି ଅସହାୟ ମହିଳା, ଝିଅ ଜରି ଗୋଟାଇଲେ ଉଭୟଙ୍କୁ ଆହାର ଜୁଟେ

ଭଞ୍ଜନଗର : ଆଖିରେ ଅସ୍ୱଭାବିକ ଭାବେ ବଢୁଛି ଘାଁ। ଦିନକୁ ଦିନ ବଢିବାରେ ଲାଗିଛି ଯନ୍ତ୍ରଣା। ପାଖରେ ନିଜର ବୋଲି କେହି ନାହିଁ। ନା ଅଛି ନିଜର ବୋଲି ନା ଅଛନ୍ତି କେହି ପରିବାର ପ୍ରିୟଜନ। ଏକ ମାତ୍ର ଝିଅ ମା’ର ସାହାରା ପାଇବା ବଦଳରେ ପାଲଟିଛି ମାଆ ପାଇଁ ଏକ ମାତ୍ର ସାହାରା। ଘର ନଥିବାରୁ ବିଶ୍ରାମଗାର ପାଲଟିଛି ସେମାନଙ୍କ ଆଶ୍ରୟସ୍ଥଳ। ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛନ୍ତି ଜଣେ ମହିଳା। ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାଙ୍କ ଚିକିତ୍ସା କରାଇବା ପାଇଁ କେହି ନାହାନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ରଘୁନାଥ ମନ୍ଦିର ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରରେ। ଏଠାରେ ଏକ ବସ୍‌ଷ୍ଟପ୍ ହୋଇଥିବାରୁ ପ୍ରତିଦିନ ଲୋକଙ୍କ ଗହଳି ହୋଇଥାଏ କିନ୍ତୁ ଏଭଳି ଦୟନୀୟ ଅବସ୍ଥାରେ ପଡି ରହିଥିବା ମହିଳାଙ୍କ ପ୍ରତି କେହି ଗୁରୁତ୍ୱ ଦେଇ ନଥିବା ଅତ୍ୟନ୍ତ ପରିତାପର ବିଷୟ। ମହିଳା ଜଣଙ୍କ ଅସ୍ୱାସ୍ଥକର ପରିବେଶରେ କିଛି ମାସ ହେବ ପଡିରହିଥିଲେ ମଧ୍ୟ ସେଠାରୁ ଉଦ୍ଧାର କରିବାର ପ୍ରୟାଶ କେହି କରିନାହାନ୍ତି। ପୁଣି ଡାହାଣ ଆଖିରେ ମାଂସ ପିଣ୍ଡୁଳା ବଢୁଥିବାରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅତିଶୀଘ୍ର ଉପଯୁକ୍ତ ଚିକିତ୍ସା ଯୋଗାଇବା ଜରୁରୀ ହୋଇପଡିଛି।

publive-image

ଭଞ୍ଜନଗର ସହର ତଳି ଶଙ୍ଖସାହିର ଭୀମ ନାଇକ ଓ ତୁଳସା ନାଇକର ଝିଅ ମଞ୍ଜୁ । ବୟସ ୫୦ ପାଖାପାଖି ହେବ। ଦୀର୍ଘ ବର୍ଷ ହେବ ଉଭୟ ବାପା ମାଙ୍କ ମୃତ୍ୟୁ ଘଟିସାରିଛି। ମଞ୍ଜୁ ସେହି ସାହିର ବାୟା ମାଧେଇକୁ ବିବାହ କରିଥିଲେ। ବାୟା ମାନସିକ ବିକୃତିର ହୋଇଥିବା ବେଳେ ଗତ ୨୦ ବର୍ଷ ହେବ ସେ ମଧ୍ୟ ମୃତ୍ୟୁବରଣ କରି ସାରିଲେଣି ବୋଲି ସାହିବାସୀ ପ୍ରକାଶ କରିଛନ୍ତି। ଆର୍ଥିକ ସ୍ଥିତି ଭଲ ନଥିବାରୁ ସାହି ବାସିନ୍ଦା ଚାନ୍ଦା କରି ବାୟାଙ୍କ ଶବ ସଂସ୍କାର କରିଥିଲେ। ବାପା, ମା ଓ ସ୍ୱାମୀଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ନିଜର ସାହାର ବୋଲି କିଛି ରହିଲା ନାହିଁ। ନିଜର ଘର ନଥିବାରୁ କାବେରୀକୁ ନେଇ ପଲଥିନ୍, କାଗଜ ଓ ଲୁହା ସଂଗ୍ରହ କରିବା ସହ କିଛି ଦିନ ଭିକ୍ଷାବୃତ୍ତି କରି ଉଭୟ ମା ଝିଅ ଚଳି ଯାଉଥିଲେ। ହଠାତ୍ ମଞ୍ଜୁର ଆଖିରେ ବଢିବାରେ ଲାଗିଲା ମାଂସ ପିଣ୍ଡୁଳା। ଦିନକୁ ଦୁଇଓଳା ଖାଇବା ଯୋଗାଡ଼ କରିବା ଯାହା ପକ୍ଷରେ କଷ୍ଟକର ହୋଇ ପଡୁଥିଲା ଚିକିତ୍ସା କେମିତି କରାଇଥାନ୍ତେ। ଗରୀବ ଶ୍ରେଣୀର ହୋଇଥିବାରୁ ପ୍ରାରମ୍ଭିକ ସମୟରେ ଉପଯୁକ୍ତ ଚିକିତ୍ସା କରାଇପାରିଲେ ନାହିଁ। ଦିନକୁ ଦିନ ତାହା ଆକାର ବଢିବା ସହ ଅସହ୍ୟ ଯନ୍ତ୍ରଣ ବଢିବାରେ ଲାଗିଲା। ମଞ୍ଜୁ ମଧ୍ୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଲେ। ଏହି ସମୟରେ ସାହିବାସୀଙ୍କ ସହଯୋଗରେ ଡାକ୍ତରଖାନା ନେଇଥିଲେ। କିନ୍ତୁ ଆବଶ୍ୟକ ଚିକିତ୍ସା ଅଭାବାରୁ କୌଣସି ସୁଫଳ ମିଳିଲା ନାହିଁ। ଉନ୍ନତ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ରହିଥିବା ବେଳେ ସାହିବାସୀ ଏତେ ଟଙ୍କା ଯୋଗାଡ ନକରିପାରି ପୁଣି ଫେରାଇ ଆଣିଥିଲେ।

publive-image

ଏସଂର୍ପକରେ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ମଞ୍ଜୁର ଚିକିତ୍ସା କ୍ଷେତ୍ରରେ କୌଣସି ସୁଫଳ ମିଳିପାରିନାହିଁ। ଶୀଘ୍ର ପ୍ରଶାସନ ପକ୍ଷରୁ ସହାୟତାର ହାତ ବଢାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି ସାହିର ଶୈଳ ଅଧିକାରୀ, ରଞ୍ଜୁ ନାଇକ, ଭଗବାନ ନାଇକ ଓ ମନୋଜ ନାୟକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମଞ୍ଜୁର ଅବସ୍ଥା ଆହୁରି ସାଙ୍ଘାତିକ ହୋଇ ଯାଇଥିବାରୁ ଚଳପ୍ରଚଳ ହେବା ମଧ୍ୟ ସମ୍ଭବପର ହେଉନାହିଁ। ଝିଅ କାବେରୀ ଦିନସାରା ବୁଲି ବୁଲି ପ୍ଳାଷ୍ଟିକ୍ ବୋତଲ, ଜରି ଆଦି ଗୋଟାଇଲେ ଖାଇବା ଯୋଗାଡ ହୁଏ ନଚେତ୍ ଭୋକ ଉପାସରେ ମା ଝିଅର ଦିନ କଟେ ବୋଲି ସାହିବାସୀ କହିଛନ୍ତି। ପୂର୍ବରୁ ଭିକ୍ଷାବୃତ୍ତି କରୁଥିବା ଝିଅ ଲକଡାଉନ୍ ଯୋଗୁ ମନ୍ଦିର ବନ୍ଦ ରହିଥିବାରୁ ବିଭିନ୍ନ ହୋଟେଲ୍ ବୁଲି ମାଗି ଯାଚି ଖାଇବା ଯୋଗାଡ଼ କରୁଛି। ବିଶ୍ରାମଗାର ଭିତରେ ଅତ୍ୟନ୍ତ ଅସ୍ବାସ୍ଥକର ପରିବେଶ ମଧ୍ୟରେ ରହିଥିବା ବେଳେ ଆଖିର ଘା’ ଦିନକୁ ଦିନ ବଢିବାରେ ଲାଗିଛି। ଅତିଶୀଘ୍ର ସରକାର ମଞ୍ଜୁର ଅବସ୍ଥା ପ୍ରତି ଗୁରୁତ୍ୱାରୋପ କରି ତାର ଚିକିତ୍ସା ବ୍ୟବସ୍ଥା ନକରିଲେ ତାର ମୃତ୍ୟୁ ସୁନିଶ୍ଚିତ ବୋଲି ସାହି ବାସିନ୍ଦା ପ୍ରକାଶ କରିଛନ୍ତି। ଉଭୟ ମା ଝିଅଙ୍କୁ ଉଦ୍ଧାର କରି ସରକାରୀ ସହାୟତା ପ୍ରଦାନ କରିବା ସହ ଯଥା ଶୀଘ୍ର ମଞ୍ଜୁର ଚିକିତ୍ସା କରାଇବା ଜରୁରୀ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe