ଫସିଥିବା ଶ୍ରମିକଙ୍କ ପାଇଁ ହେଲ୍ପ ଲାଇନ୍‌ ବ୍ୟବସ୍ଥା : ଓଡ଼ିଶାକୁ ଉଦାହରଣ ଭାବରେ ନେଲେ କେନ୍ଦ୍ର ସରକାର

ଓଡ଼ିଶାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଭଲରେ ରଖ: ଶ୍ରମ ସଚିବ

ଭୁବନେଶ୍ୱର : କୋଭିଡ୍‌-୧୯ ମୁକାବିଲା ପାଇଁ ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ତାଲାବନ୍ଦ ପ୍ରକ୍ରିୟା ଜାରି ରହିଛି। ଫଳରେ ଓଡ଼ିଶାର ହଜାର ହଜାର ଶ୍ରମିକ ଦେଶର ବିଭିନ୍ନ କୋଣରେ ଫସି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ସହ ଅନ୍ୟ ରାଜ୍ୟରେ ଥାଇ ମଧ୍ୟ ସମସ୍ତ ସହଯୋଗ ଯେଗାଇ ଦେବା ପାଇଁ ସ୍ବତନ୍ତ୍ର ଷ୍ଟ୍ରେଟେଜି ତିଆରି କରିବାରେ ଓଡ଼ିଶା ଏକ ମାଇଲଖୁଣ୍ଟ ତିଆରି କରିଛି। ଓଡ଼ିଶା ନୋଡାଲ ଅଧିକାରୀମାନଙ୍କର ଅନ୍ୟ ରାଜ୍ୟ ପ୍ରଶାସନ ସହ ସମନ୍ବୟ, ଶ୍ରମିକଙ୍କ ସମସ୍ୟା ସମାଧାନ ପ୍ରକ୍ରିୟା ଓ ଫଲୋଅପ୍‌ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କର ଏମ୍ପାୱାର୍ଡ ଗ୍ରୁପ୍‌ ଫର ଫୁଡ୍‌ ଆଣ୍ଡ ଲଜିଷ୍ଟିକ୍‌ ଦ୍ବାରା ଉଚ୍ଚ ପ୍ରସଂଶିତ ହୋଇଛି। ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାର ଭଲ ବ୍ୟବସ୍ଥା କହିବା ସହ ଅନ୍ୟ ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି।

ବିଶେଷକରି ଗୁଜୁରାଟରେ ସର୍ବାଧିକ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏକ ୩୦ ଟେଲିଫୋନ୍‌ ଲାଇନ୍‌ ବିଶିଷ୍ଟ ହେଲ୍ପ ଲାଇନ୍‌ ଜାରି କରିଛନ୍ତି। ଏଥିପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବରେ ଦାୟିତ୍ବ ଦିଆଯାଇଛି ଯେଉଁମାନେ ଅନ୍ୟ ରାଜ୍ୟ ସହ ସମନ୍ବୟ ରକ୍ଷା କରୁଛନ୍ତି। ସେଠାରେ ସେମାନଙ୍କୁ କିଭଳି ଖାଇବାକୁ ଦିଆଯିବ ଓ ସେମାନଙ୍କର ଅନ୍ୟାନ୍ୟ ସମସ୍ୟା କିଭଳି ସମାଧାନ ହେବ ସେ ନେଇ ବ୍ୟବସ୍ଥା କରୁଛନ୍ତି। ଆଇଜି ଅମିତାଭ ଠାକୁରଙ୍କ ନେତୃତ୍ବରେ ଏହି କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରୁଛି।

ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ତାଲା ବନ୍ଦ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ସହ ୱେବ୍‌ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ସେମାନେ ଏହି ହେଲ୍ପ ଲାଇନ୍‌ ଜରିଆରେ ନିଜର ପଞ୍ଜୀକରଣ କରିବା ସହ ସମସ୍ୟାର ସମାଧାନ ପାଇପାରିବେ। ସ୍ବତନ୍ତ୍ର ଭାବରେ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି ଏକ ସ୍ବତନ୍ତ୍ର ଯୋଜନା ବଳରେ ଅନ୍ୟ ରାଜ୍ୟରେ ଥିବା ଶ୍ରମିକମାନଙ୍କୁ ସେହି ରାଜ୍ୟ ସରକାରଙ୍କ ସହ ସମନ୍ବୟ ବଳରେ ସହାୟତା ପ୍ରଦାନ କରିପାରୁଛି।

ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ମାର୍ଚ୍ଚ ୨୬ ତାରିଖରୁ ଏହି ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ କାମ କରୁଛି। ଶ୍ରମିକମାନେ ଫୋନ୍‌ କରୁଛନ୍ତି। ସେଗୁଡ଼ିକୁ ରେକର୍ଡ କରାଯିବା ସହ ସେମାନଙ୍କର ବିବରଣୀ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପଠାଯାଇ ଫଲୋଅପ୍‌ କରାଯାଉଛି। ଫଳରେ ସମସ୍ୟା ସମାଧାନ ହୋଇ ପାରୁଛି। ସିଷ୍ଟମ୍‌ ଏଭଳି କାମ କରୁଛି ଯେ, ଯେ ପର୍ଯ୍ୟନ୍ତ ଶ୍ରମିକର ସମସ୍ୟା ସମାଧାନ ହୋଇ ନାହିଁ ବା ସମାଧାନ ବାବଦରେ ଶ୍ରମିକ ନିଜଆଡ଼ୁ ନିଶ୍ଚିତ କରିନାହିଁ ସେ ପର୍ଯ୍ୟନ୍ତ ଫଲୋଅପ୍‌ କରାଯାଉଛି। ବଡ଼କଥା ହେଉଛି ହେଲ୍ପ ଲାଇନ୍‌ରେ ଥିବା ଅଧିକାରୀମାନେ ମନସ୍ତତ୍ତ୍ବବିଦ୍‌ ଦ୍ବାରା ପ୍ରଶିକ୍ଷଣପ୍ରାପ୍ତ ହୋଇଛନ୍ତି। ଫଳରେ ଏଭଳି ସ୍ଥିତିରେ ବାହାରେ ରହି ମାନସିକ ସ୍ତରରେ ଦୁର୍ବଳ ଶ୍ରମିକଙ୍କୁ ପରାମର୍ଶ ଦେଇ ପାରୁଛନ୍ତି। ଏହି ହେଲ୍ପ ଲାଇନ୍‌ ନମ୍ବର ହେଉଛି ୦୬୭୪-୨୩୯୨୧୧୯ ଓ ୱେବ୍‌ସାଇଟ୍‌ ହେଉଛି https://health.odisha.gov.in

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe