ବନକଲାଗି ହେଲେ ମହାପ୍ରଭୁ, ଆଜି ହେରାପଞ୍ଚମୀ

Advertisment
ବନକଲାଗି ହେଲେ ମହାପ୍ରଭୁ, ଆଜି ହେରାପଞ୍ଚମୀ

odishasuntimes.com

ପୁରୀ : ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ମହାପ୍ରଭୁ। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ଲକ୍ଷ୍ମୀ ଠାକୁରାଣୀ ଚିନ୍ତାରେ ଅଛନ୍ତି। ୪ ଦିନର ବିରହ ବେଦନା ମା’ଙ୍କୁ ଅସହ୍ୟ କଲାଣି। ବିରହ ବେଦନାକୁ ମା’ ଭଗନୀ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ ଗୁଣ୍ଡିଚାବାଡ଼ିକୁ ଗୋପନରେ ଯାତ୍ରା କରିବା ପାଇଁ ମା’ ବିମଳାଙ୍କଠାରୁ ପରାମର୍ଶ ମିଳିଛି। ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ ଗୋପନ ଯାତ୍ରାରେ ଯାଇ ରଥ ଭାଙ୍ଗି ଫେରିବେ। ସେପଟେ ଆଜି ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ ହୋଇଛି। ଏଥି ପାଇଁ ଆଜି ରାତି ୯ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ ଆଜି ରବିବାର ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରିଛନ୍ତି।

ପରମ୍ପରା ମୁତାବକ ମା’ ବିମଳାଙ୍କ ପରାମର୍ଶକ୍ରମେ ଆସନ୍ତାକାଲି ସୋମବାର ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜିଉଙ୍କୁ ଭେଟିବା ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିବେ। ଏହି ପରମ୍ପରା ଆଧାରରେ ହେରାପଞ୍ଚମୀ ନୀତି ପାଳନ ହୋଇଆସୁଛି। ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଗୋପନ ଯାତ୍ରା ଖବର ପାଇବା ପରେ ମହାପ୍ରଭୁ ବି ନିଜେ ସଜେଇ ହେବା ଆରମ୍ଭ କରିଛନ୍ତି। ଆଜି ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଛି। ବିଳମ୍ୱିତ ରାତିରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କରିବା ପରେ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତସେବା ବନକଲାଗି ନୀତି ସମ୍ପନ୍ନ କରିଛନ୍ତି। ବଡଦେଉଳ ସ୍ୱତ୍ତ୍ୱ ଲିପି ମୁତାବକ ହେରାପଞ୍ଚମୀ ଉପଲକ୍ଷେ ଭଣ୍ଡାର ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକ ମାଜଣା କରିବେ। ଏହା ପରେ ବନକ ଲାଗି, ପାଟ ଶାଢ଼ି, ଅଳଙ୍କାର ଆଭୂଷଣ ହୋଇ ପୂଜାପଣ୍ଡା ସେବକ ପନ୍ତି ଭୋଗ କରିବେ। ବଟବୃକ୍ଷ ତଳେ ଠିଆ ହୋଇଥିବା ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ବଡ଼ଦାଣ୍ଡ ଦେଇ ଘଣ୍ଟ ଛତା ପଟୁଆରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସାକ୍ଷାତ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇ ନାକଚଣା ଦ୍ୱାର ନିକଟରେ ଶେଷ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି।

ସୋମବାର ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ସାଢ଼େ ୬ଟାରୁ ସାଢ଼େ ୭ଟା ସାହାଣମେଲା ଦର୍ଶନ, ୮ଟାରୁ ୧୦ଟା ଭିତରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ଓ ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୦ରୁ ସାଢ଼େ ୧୧ଟା ସକାଳଧୂପ, ପୂର୍ବାହ୍ଣ ୧୧ରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭୋଗମଣ୍ଡପ, ମଧ୍ୟାହ୍ନ ୧୨ଟା ୪୫ରେ ମଇଲମ, ଅପରାହ୍ଣ ସାଢ଼େ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ, ୨ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୨ଟାରେ ନୂଆଲୁଗା ଲାଗି ବେଶ, ଅପରାହ୍ଣ ୩ଟାରୁ ସାଢ଼େ ୪ଟା ମଧ୍ୟାହ୍ନ ଧୂପ, ୪ଟାରୁ ସାଢ଼େ ୫ଟା ଦ୍ୱିତୀୟ ଭୋଗମଣ୍ଡପ, ସଂଧ୍ୟା ୬ଟାରେ ମଇଲମ, ସାଢ଼େ ୬ଟାରେ ଶାଢ଼ୀ ଖଣ୍ଡୁଆ ଲାଗି, ସଂଧ୍ୟା ଆଳତି, ରାତି ୭ଟାରେ ମହାପ୍ରଭୁଙ୍କ ବାଡ଼େ ମହାସ୍ନାନ, ସାଢ଼େ ୭ଟାରେ ତିନି ବାଡ଼େ ଘଣ୍ଟଛତା ସର୍ବାଙ୍ଗ, ରାତି ୮ଟାରେ ନୂଆଲୁଗା ଲାଗି ଓ ଛଅ ମୂର୍ତି, ଅଳଙ୍କାର ଲାଗି ବେଶ, ସାଢ଼େ ୮ଟାରୁ ୯ଟା ସଂଧ୍ୟାଧୂପ ଡାକିଯିବା, ସଂଧ୍ୟାଧୂପ ଛେକ ଓ ସଂଧ୍ୟାଧୂପ ପୂଜା ନୀତି ପରେ ସାଢ଼େ ୯ଟାରେ ରଥତଳ ନୀତି ସାରି ମା’ଲକ୍ଷ୍ମୀ ଜଗମୋହନକୁ ବିଜେ କରିବେ। ରାତି ୯ଟା ୩୫ରେ ମା’ ଲକ୍ଷ୍ମୀଙ୍କ ଅଜ୍ଞାମାଳ ଲାଗି ଓ ଅନ୍ୟାନ୍ୟ ନୀତି ସଂପନ୍ନ ପରେ ରାତି ଗୋଟାଏରେ ପହୁଡ଼ ପଡ଼ିବ। ତେବେ ଆଜି ନୀତି ବିଳମ୍ୱ ଯୋଗୁ ଆସନ୍ତାକାଲି ହେରାପଞ୍ଚମୀ ନୀତି ବିଳମ୍ୱ ହେବାର ସମ୍ଭାବନା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe