Orissa Post
ଫୁଲବାଣୀ : ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହୋଇଥିବା ମାଓବାଦୀଙ୍କ ସହିଦ ସପ୍ତାହ ଯୋଗୁଁ କନ୍ଧମାଳ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଜିଲ୍ଲାରେ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ୍ ସେବା ବନ୍ଦ ରହିଛି। ଏହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଅପରପକ୍ଷେ, ମାଓବାଦୀ ନିଜ ସ୍ଥିତି ଜାହିର କରିବା ପାଇଁ କୋଟଗଡ଼ ଓ ବାଲିଗୁଡ଼ାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍ ଲଗାଇ ମାଓବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ସିଆର୍ପିଏଫ୍ କ୍ୟାମ୍ପ୍ରେ ହାଇଆଲର୍ଟ ଜାରି କରାଯାଇଛି।
ଏହା ସହିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି ବୋଲି କନ୍ଧମାଳ ଏସ୍.ପି. ଭିନୀତ୍ ଅଗ୍ରୱାଲ୍ ସୂଚନା ଦେଇଛନ୍ତି। ଜିଲ୍ଲାର ବାଲନ୍ଦାପଡ଼ା, ଗୋଛାପଡ଼ା, ପାହିରାଜୁ, ସାଡ଼ିଙ୍ଗିଆ, ବେଲଘର, ତୁମୁଡ଼ିବନ୍ଧ, ଖମନଖୋଲ, ସୁବର୍ଣ୍ଣଗିରି, ଶ୍ରୀରାମପୁର ଆଦି ମୋଟ ୧୨ଟି ସ୍ଥାନରେ ସିଆର୍ପିଏଫ୍ କ୍ୟାମ୍ପ ଅଛି। ଏ ସବୁ ସ୍ଥାନରେ ପୁଲିସ ଫୋର୍ସକୁ ହାଇଆଲର୍ଟରେ ରଖାଯାଇଛି। ତେବେ କେବଳ କେତେକ ସ୍ଥାନରେ ପୋଷ୍ଟର ଲଗାଯିବା ବ୍ୟତୀତ ଜିଲ୍ଲାର କୌଣସି ସ୍ଥାନରେ କିଛି ଅପ୍ରୀତିକର ଘଟଣା ନଜରକୁ ଆସିନାହିଁ।
ଫୁଲବାଣୀରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମୋଟ ୨୧ଟି ସରକାରୀ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି। କେତେକ ଆନ୍ତଃଜିଲ୍ଲା ବସ୍ ଥିବା ବେଳେ ଆଉ କେତେକ ଜିଲ୍ଲା ମଧ୍ୟରେ ଚଳାଚଳ କରୁଛି। ଫୁଲବାଣୀରୁ କଟିଙ୍ଗିଆ, ହାତୀମୁଣ୍ଡା, ଗଦାପୁର, ପାହିରାଜୁ, ମଣ୍ଡାସରୁ, କେରୁବାଡ଼ି, ବେଲଘର, ବିଲାମାଳ ଆଦି ସ୍ଥାନକୁ ସରକାରୀ ବସ୍ ହିଁ ଚଳାଚଳ କରିଥାଏ। ସହିଦ୍ ସପ୍ତାହ ଯୋଗୁଁ ଏସବୁ ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିଭଳି କନ୍ଧମାଳ ଦେଇ ଯାଉଥିବା ଲାଞ୍ଜିଗଡ଼, ଜୟପୁର, ଉମରକୋଟ, ଭବାନୀପାଟଣା, କଟକ ଆଦି ସ୍ଥାନକୁ ମଧ୍ୟ ସରକାରୀ ବସ୍ ବନ୍ଦ ରହିଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସରକାରୀ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି।
Follow Us