ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇଆଲର୍ଟ

Advertisment
ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇଆଲର୍ଟ

Bhubaneswar Buzz

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାର ଶୁକ୍ରବାର ଗଞ୍ଜାମରୁ ବାଲେଶ୍ବର, ମୟୂରଭଂଜ ପର୍ଯ୍ୟନ୍ତ ସମୁଦାୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି। ଶୁକ୍ରବାର ଦିନତମାମ ସରକାରୀସ୍ତରରେ ବାତ୍ୟା ପ୍ରସ୍ତୁତିକୁ ନେଇ ତନାଘନା ହୋଇଛି। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ପାଣି ଠାରୁ ଆରମ୍ଭ କରି ଖାଦ୍ୟ, ରିଲିଫ୍ ପର୍ଯ୍ୟନ୍ତ ସମୁଦାୟ ସ୍ଥିତି ସଂପର୍କରେ ପ୍ରସ୍ତୁତି ବ୍ୟାପକ କରାଯାଇଛି। ବାତ୍ୟାର ସ୍ଥିତି ଦେଖି ଏବଂ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ ହେବ, ତାହା ଜଣାପଡ଼ିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆଜି ପ୍ରଥମ ବୈଠକ ସେ ନେଇଛନ୍ତି। ପରବର୍ତ୍ତୀ ସମୟରେ ଏ ସଂକ୍ରାନ୍ତରେ ଅଧିକ ବୈଠକ କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପରେଖ ସଂପର୍କରେ ଭାରତର ପାଣିପାଗ ସଂସ୍ଥା ଜଣାଇବ। କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଆଜି ସକାଳେ ଭାରତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଓଡ଼ିଶା କ’ଣ ପଦକ୍ଷେପ ନେଇଛି, ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ଅପରାହ୍ନରେ ମୁଖ୍ୟଶାସନ ସଚିବ ସବୁ ସଚିବ, ଜିଲ୍ଲାପାଳ, ଏନ୍‌ଡିଆରଏଫ୍‌, ଆଇଏନ୍‌ଏସ୍ ଚିଲିକା, କୋଷ୍ଟଗାର୍ଡ ଟିମ୍ ସମେତ ଅନ୍ୟ ସଂସ୍ଥାମାନଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବର୍ତମାନ ସୁଦ୍ଧା ୩୯ ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଥିବା ଜଣାପଡ଼ିଛି। ଏମାନଙ୍କୁ ଆସନ୍ତାକାଲି ସୁଦ୍ଧା ଫେରାଇ ଅଣାଯିବ। କୋଷ୍ଟଗାର୍ଡର ଦୁଇଟି ହେଲିକପ୍ଟର ଏବଂ ଦୁଇଟି ଜାହଜ ସମୁଦ୍ରରେ ପଇଁତରା ମାରୁଛନ୍ତି। ଯେଉଁ ରାଜ୍ୟର ବି ହୁଅନ୍ତୁ, ଯଦି କୌଣସି ମତ୍ସ୍ୟଜୀବୀ ଥିବା ଜଣାପଡେ, ସେମାନଙ୍କୁ ଫେରାଇ ଆଣିବା ଲାଗି କୁହାଯାଇଛି। ସେହିଭଳି ଭାରତୀୟ ନୌବାହିନୀକୁ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକସ୍ଥଳେ ସେମାନେ ବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ। ଇତିମଧ୍ୟରେ ଗୁଜରାଟକୁ ଯାଇଥିବା ୫ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଓଡ଼ିଶା ଫେରିଆସିଛନ୍ତି। ଏହାକୁ ମିଶାଇ ଏନ୍‌ଡିଆର୍‌ଏଫ୍‌ର ୧୭ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି। ଓଡ୍ରାଫ୍‌ର ୨୦ଟି ବାଟାଲିୟନ୍‌କୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି ଯେ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ଥିବା ଅଗ୍ନିଶମ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ଜିଲ୍ଲାରୁ ପ୍ରାୟ ୧୦୦ଟି ଟିମ୍ ପ୍ରସ୍ତୁତ କରି ରଖାଯାଇଛି। ବନ ବିଭାଗ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ କଟର ଆଦି ପ୍ରସ୍ତୁତ କରିଛନ୍ତି। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସଂପଦ ବିଭାଗ ଯନ୍ତ୍ରୀମାନେ ଇତିମଧ୍ୟରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ, ବିକଳ୍ପ ବ୍ୟବସ୍ଥା ଓ ଅଫିସର ନିଯୁକ୍ତି ପ୍ରକ୍ରିୟା ସଂପର୍କରେ ରିପୋର୍ଟ କରିଛନ୍ତି। କୋଭିଡ୍ ପରିପ୍ରେକ୍ଷୀରେ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ଖୋଜାଯାଇଛି। ଗୋଟିଏ ଗୋଟିଏ କେନ୍ଦ୍ରରେ ଅଳ୍ପ ଲୋକ ସାମାଜିକ ଦୂରତ୍ବ ସହିତ ରହିବେ। କୃଷି ବିଭାଗ ମଧ୍ୟ ତାର ପ୍ରକ୍ରିୟା ଆରମ୍ଭ କରିସାରିଥିବା ଶ୍ରୀ ଜେନା କହିଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ନିୟମିତ ବ୍ୟବଧାନରେ ମୁଖ୍ୟଶାସନ ସଚିବ ଓ ଏସ୍‌ଆର୍‌ସି କାର୍ଯ୍ୟାଳୟ ସହିତ ସ୍ଥିତି ସଂପର୍କରେ ଆଲାେଚନା କରୁଛନ୍ତି। ବାତ୍ୟା ଚିତ୍ର ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମୁଦାୟ ସ୍ଥିତିର ସମୀକ୍ଷା କରିବେ। ଇତିମଧ୍ୟରେ ଜଳସଂପଦ ବିଭାଗ କଣ୍ଟ୍ରୋଲ ରୁମ୍ ଖୋଲିଥିବା ବେଳେ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ସବୁ ପୌରସଂସ୍ଥା, ମହାନଗର ନିଗମକୁ ଚିଠି ଲେଖାଯାଇ ଏସ୍‌ଓପି ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe