କଟକ : କୁଷ୍ଠରୋଗ ନିରାକରଣ ପ୍ରସଂଗରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟରେ କୁଷ୍ଠରୋଗ ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଏହି ପ୍ରସଂଗରେ ଆଉ କ’ଣ କରିବାକୁ ବାକି ରହିଛି ସେ ନେଇ ଅନୁଧ୍ୟାନ କରିବାକୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପାମି ରଥଙ୍କୁ ହାଇକୋର୍ଟ କୋର୍ଟ-ମିତ୍ର ଭାବେ ନିଯୁକ୍ତି ଦେଇଛନ୍ତି।
ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ରହିଥିବା କୁଷ୍ଠାଶ୍ରମଗୁଡିକ ଗସ୍ତ କରି ଆଡ୍ଭୋକେଟ କମିଟି ସ୍ଥିତି ଅନୁଧ୍ୟାନ କରିବେ। ଏହି ସବୁ ସ୍ଥାନରେ ରହୁଥିବା କୁଷ୍ଠ ଆକ୍ରାନ୍ତଙ୍କ ପାଇଁ କ’ଣ ସବୁ ବ୍ୟବସ୍ଥା ରହିଛି ସେ ନେଇ ଅନୁଧ୍ୟାନ କରାଯିବ। ଏଥି ସହିତ କୁଷ୍ଠରୋଗ ଚିକିତ୍ସା ପାଇଁ ଏହି ସବୁ ସ୍ଥାନରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଡାକ୍ତରୀ ସୁବିଧା ପ୍ରସଂଗରେ ହାଇକୋର୍ଟରେ ତଥ୍ୟ ଦାଖଲ ହେବ। ସ୍ଥିତି ଅନୁଧ୍ୟାନ କରି କମିଟି ଏ ସଂପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବ। କୁଷ୍ଠ ନିରାକରଣ, କୁଷ୍ଠ ଆକ୍ରାନ୍ତଙ୍କ ଚିକିତ୍ସା, ଥଇଥାନ ପ୍ରସଂଗରେ କେଉଁ ପ୍ରକାର ପଦକ୍ଷେପ ଆବଶ୍ୟକ ସେ ନେଇ ରିପୋର୍ଟରେ କମିଟି ପ୍ରସ୍ତାବ ଦେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିପିନ ବିହାରୀ ପ୍ରଧାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।
Follow Us