ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ କମିଟି ଗଠନ ହେବା ପ୍ରସଙ୍ଗ : ସମୟ ଗଡ଼ାଇବାକୁ ସରକାରଙ୍କ ଚାଲ୍ - ବିରୋଧୀ

Advertisment
ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଜେପିର କଡା ଆଭିମୁଖ୍ୟ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଘେରାଉ ହେବ ବିଧାନସଭା

Nation First News

ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟର ଦ୍ବିତୀୟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପୂର୍ଣ୍ଣାଙ୍ଗ କମିଟି ଗଠନକୁ ବିରୋଧୀ ସମାଲୋଚନା କରିଛନ୍ତି। ଆଜି ଏ ନେଇ ବିଜେପି ଓ କଂଗ୍ରେସ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ କରିଛନ୍ତି, ସରକାର ବାରମ୍ବାର କମିଟି ଓ କମିସନ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ସ୍ଥାନ ନିରୁପଣ କରିବାକୁ ସରକାରଙ୍କୁ ଜଣାଇଥିଲେ। ଅଥଚ ଏ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରି କହିଥିଲେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଗୋଟିଏ ଅଞ୍ଚଳର ନିର୍ଦ୍ଦିଷ୍ଠ ସ୍ଥାନରେ କରିବାକୁ ରାଜ୍ୟ ସରକାରଙ୍କ କ୍ଷମତା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ନ କରି ବାରମ୍ବାର ଏହାକୁ ବାଟବଣା କରୁଛନ୍ତି। ପୂର୍ବରୁ ମଧ୍ୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କମିଟି ହୋଇଥିଲା। ପୁଣି ଥରେ ଏବେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ କମିଟି କରି କେବଳ ସମୟ ଗଡ଼ାବାକୁ ଉଦ୍ୟମ କରିଛନ୍ତି। କଂଗ୍ରସେ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରି କହିଛନ୍ତି, ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କୋରାପୁଟ, ସମ୍ବଲପୁର ଓ ବଲାଙ୍ଗୀରରେ ଦୀର୍ଘ ଦିନରୁ ଆନ୍ଦୋଳନ ହୋଇଆସୁଛି। ମାସାଧିକ କାଳ ଏଥିପାଇଁ ସ୍ଥାନୀୟ କୋର୍ଟ ବନ୍ଦ ରହିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ଅଥଚ ଏ ସରକାରର ଲୋକଙ୍କ ଦାବି ପ୍ରତି ଟିକିଏ ବି ଦରଦ ନାହିଁ। ମୁଖ୍ୟମନ୍ତ୍ରୀ ଏବେ ଡରିଗଲାଣି। ଗଞ୍ଜାମରୁ ସେ ନିର୍ବାଚିତ ହୋଇ ଆସିଥିବାରୁ ଦକ୍ଷିଣରେ ସ୍ଥାୟୀ ବେଞ୍ଚ ନ କଲେ ଗଞ୍ଜାମ ଜିଲ୍ଲା ଲୋକେ ଆଉ ତାଙ୍କୁ ଭୋଟ ଦେବେନି। ସେହିପରି ପଶ୍ଚିମ ଓଡ଼ିଶା ବି ହାତରୁ ଖସିଯିବ। ଏଭଳି ଯାଜୁଲ୍ୟମାନ ସ୍ଥିତିରେ ମୁଖ୍ୟମନ୍ତ୍ରୀ କୋଉଠି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବେ ନିଷ୍ପତ୍ତି ନେଇପାରୁନାହାନ୍ତି। କମିଟି ଓ କମିସନ କରିବାରେ ଏ ସରକାରଙ୍କ ରେକର୍ଡ଼ ରହିଛି। କୌଣସି ବି କମିଟି ଓ କମିସନରଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୁଏନି। ପୂର୍ବରୁ ଏହି ପ୍ରସଙ୍ଗରେ ଯଶୋବନ୍ତ ସିଂହ କମିସନ ଦେଇଥିବା ରିପୋର୍ଟକୁ ଯଦି ସରକାର ଗ୍ରହଣ ନ କରନ୍ତି ତା ହେଲେ ନିଆଁ ଜଳିବ ବୋଲି ଶ୍ରୀ ବାହିନୀପତି ଚେତାବନୀ ଦେଇଥିଲେ।

ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି ବିଧାୟକ କିଶୋର ମହାନ୍ତି କହିଥିଲେ, ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ବହୁ ଦିନରୁ ଦାବି ହୋଇଆସୁଥିଲା। ଏବେ ଉନ୍ନୟନ କମିସନଙ୍କ ଅଧ୍ୟକ୍ଷତାରେ ସ୍ଥାନ ନିରୁପଣ ପାଇଁ ପୂର୍ଣ୍ଣାଙ୍ଗ କମିଟି ସରକାର ଗଠନ କରିଛନ୍ତି। କମିଟି କଣ ରିପୋର୍ଟ ଦେଉଛି ତାକୁ ବିରୋଧୀ ଅପେକ୍ଷା କରିବା ଦରକାର।

ଉଲ୍ଲେଖଥାଉକି, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପଶ୍ଚିମ ଓଡ଼ିଶା କି ଦକ୍ଷିଣ ଓଡ଼ିଶାରେ ହେବେ ସେ ନେଇ ଅନୁଧ୍ୟାନ କରିବାକୁ ଗତକାଲି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ଗଠନ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe