ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ନୂଆ ମୋଡ଼

Advertisment

ସମ୍ବଲପୁରରେ ବେଞ୍ଚ୍‌ ସ୍ଥାପନ ପାଇଁ ପ୍ରସ୍ତାବ ଦେଲା ସିଏସି, ଅଗଷ୍ଟ ୩୦ ଯାଏ ମହଲତ, ନହେଲେ ତେଜିବ ଆନ୍ଦୋଳନ

ସମ୍ବଲପୁରରେ ବେଞ୍ଚ୍‌ ସ୍ଥାପନ ପାଇଁ ପ୍ରସ୍ତାବ ଦେଲା ସିଏସି, ଅଗଷ୍ଟ ୩୦ ଯାଏ ମହଲତ, ନହେଲେ ତେଜିବ ଆନ୍ଦୋଳନ

ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ନୂଆ ମୋଡ଼

pakistantoday.com.pk

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଚାଲଥିବା ଲମ୍ବା ଆନ୍ଦୋଳନରେ ଏକ ନୂଆ ମୋଡ଼ ଆସିଛି। ପୂର୍ବରୁ ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେଉ ବୋଲି କହି ଆସୁଥିବା ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ପ୍ରଥମ ଥର ପାଇଁ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଅଗଷ୍ଟ ଶେଷ ସୁଦ୍ଧା ଏ ଦିଗରେ ସନ୍ତୋଷଜନକ ପଦକ୍ଷେପ ନିଆ ନଗଲେ ପୁଣି ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସିଏସି କହିଛି।

ନିର୍ବାଚନ କାରଣରୁ ସ୍ଥଗିତ ରହିଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ପରବର୍ତ୍ତୀ ସ୍ବରୂପ ସଂପର୍କରେ ଆଲୋଚନା ପାଇଁ ରବିବାର ସିଏସି ବୈଠକ ବସିଥିଲା। ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାଗୃହରେ ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ୧୭ଟି ଓକିଲ ସଂଘର କର୍ମକର୍ତ୍ତା ସାମିଲ ହୋଇ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସର୍ବସମ୍ମତ ନିଷ୍ପତ୍ତି ନେଇଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ଆଉ ସ୍ଥାନ ବିବାଦ ନରଖି ୨୦୦୭ ମସିହା ନଭେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏକେ ଗାଙ୍ଗୁଲିଙ୍କୁ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ସିଏସି ଦାବି କରିଛି। ୧୨ ବର୍ଷ ତଳୁ ଓଡ଼ିଶା ସରକାର ଦେଇଥିବା ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ମଧ୍ୟ କାର୍ଯ୍ୟକାରୀ କରନ୍ତୁ ବୋଲି ସିଏସି ପକ୍ଷରୁ ଦାବି କରାଯାଇଛି। ବର୍ତ୍ତମାନ ଯେଉଁ ଧାରାରେ ଆନ୍ଦୋଳନ ଚାଲିଛି ଅଗଷ୍ଟ ୩୦ ଯାଏଁ ସେହିଭଳି ଚାଲିବ। ଏହା ମଧ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କୌଣସି ଠୋସ୍‌ ପଦକ୍ଷେପ ନନେଲେ ଉକ୍ତ ଦିନ ଝାରସୁଗୁଡ଼ାରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ଭବିଷ୍ୟତ ରୂପରେଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ଓ ସେଥି ପାଇଁ ସରକାର ଦାୟୀ ହେବେ ବୋଲି ସିଏସି ପକ୍ଷରୁ ଚେତାବନୀ ଦିଆଯାଇଛି। ସିଏସି ଆବାହକ ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସା‌ମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରାଯାଇଛି।

ରବିବାରର ଏହି ବୈଠକରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ପୁନର୍ଗଠନ କରାଯାଇଥିଲା। ଏଥିରେ ଅଶୋକ ଦାଶ ଆବାହକ ହୋଇଥିବା ବେଳେ ପ୍ରମୋଦ ଦାଶ, ତାରିଣୀ ମହାପାତ୍ର, ନିରଞ୍ଜନ ତ୍ରିପାଠୀ ସହ ଆବାହକ ମନୋନୀତ ହୋଇଛନ୍ତି। ପ୍ରତି ଜିଲ୍ଲା ଓକିଲ ସଂଘର ସଭାପତି କିମ୍ବା ସମ୍ପାଦକ କିମ୍ବା ସେମାନଙ୍କର ପ୍ରତିନିଧି ସହ ଆବାହକ ଭାବେ ସିଏସିରେ ସ୍ଥାନ ପାଇବେ। ପ୍ରତି ଜିଲ୍ଲା ଓକିଲ ସଂଘ ସଭାପତି କିମ୍ବା ସମ୍ପାଦକ ସିଏସିର ସଦସ୍ୟ ରହିବେ। ୫ ଶହରୁ ଅଧିକ ସଦସ୍ୟ ଥିବା ସଂଘରୁ ୪ ଜଣ ଓ ୫ଶହରୁ କମ୍‌ ସଦସ୍ୟ ଥିବା ସଂଘରୁ ୩ ଜଣ ଲେଖାଏଁ ସଦସ୍ୟ ଏହି କମିଟିରେ ସ୍ଥାନ ପାଇବେ। କିନ୍ତୁ ପ୍ରତି ସଂଘରୁ ଜଣେ ମହିଳା ପ୍ରତିନିଧିଙ୍କୁ ସ୍ଥାନ ଦିଆଯିବା ବାଧ୍ୟତାମୂଳକ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ରହିଛି କଣ?

୨୦୦୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠି ପ୍ରସଂଗ ଉଠାଇ ସିଏସି ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିବାରୁ ଏବେ ଉକ୍ତ ଚିଠିକୁ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି। ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ/ସର୍କିଟ ‌ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜାରି ରହିଛି। ଏନେଇ ଓଡିଶା ହାଇକୋର୍ଟଙ୍କ ନିକଟରେ ମଧ୍ୟ ଆବେଦନ ହୋଇଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବହୁ ସଂଖ୍ୟାରେ ଆଦିବାସୀ ଓ ଗରିବ ଲୋକ ରହୁଥିବାରୁ ଦୂରରେ ଥିବା କଟକକୁ ଆସି ନ୍ୟାୟ ପାଇବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ। ଯଶବନ୍ତ ସିଂହ କମିସନ ରିପୋର୍ଟରେ କୌଣସି ଏକ ଅଞ୍ଚଳର ସ୍ବତନ୍ତ୍ରତା ଉକ୍ତ ଅଞ୍ଚଳରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନର ମାପକାଠି ବୋଲି କୁହାଯାଇଛି। ତେଣୁ ଉପରୋକ୍ତ ପ୍ରସ୍ତାବକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବିଚାର କରିବାକୁ ସେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe