ରାଜ୍ୟରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗ: ବେଞ୍ଚ୍‌ ପ୍ରତିଷ୍ଠାକୁ ପୁଣି ବିରୋଧ

ବ୍ରହ୍ମପୁରରେ ଅସନ୍ତୋଷର ସ୍ବର ଉଠିଲା

ରାଜ୍ୟରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗ: ବେଞ୍ଚ୍‌ ପ୍ରତିଷ୍ଠାକୁ ପୁଣି ବିରୋଧ

Image Courtesy of India Today

କଟକ : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏହାକୁ ପୁଣି ବିରୋଧ କରାଯାଇଛି। ଏକ ଆକ୍ସନ କମିଟି ଗଠନ କରିବାକୁ ହାଇକୋର୍ଟ ବାର୍ ପକ୍ଷରୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ବୈଠକରେ ଆଲୋଚନା
ଆକ୍ସନ କମିଟି ଗଠନ ପାଇଁ ନିଷ୍ପତ୍ତି
ମୁଖ୍ୟ ବିଚାରପତିଙ୍କୁ ଭେଟିବେ

କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍‌ଜୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗରେ ଦେଇଥିବା ବିବୃତ୍ତିକୁ ନେଇ ପ୍ରକାଶିତ ଖବର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ଏକ ଆକ୍ସନ କମିଟି ଗଠନ ପାଇଁ ସର୍ବସମ୍ମତିକ୍ରମ ନିଷ୍ପତ୍ତି ନିଆଯାଇଥିଲା। କମିଟି ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରି ଦୁଇ ‌ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ମତି ନ ଦେବାକୁ ଅନୁରୋଧ କରିବ। ଏ ନେଇ ଆଜି ହାଇକୋର୍ଟ ବାର୍ ସଂପାଦକ ଆଲୋକ ପ୍ରସାଦ ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବେଞ୍ଚ୍‌ ହେବାର କିଛି ଯଥାର୍ଥତା ନାହିଁ। ଏ ସମ୍ପର୍କରେ ଏକ ଯୁକ୍ତି ଦର୍ଶାଇ ସେ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୬ ଶହ କିଲୋମିଟର ବା ଅଧିକ ଦୂରରେ ଥିବା ସ୍ଥାନରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠାର ସମ୍ଭାବନା ଅଛି। ଓଡ଼ିଶାର କୌଣସି ଅଞ୍ଚଳର ମହକିଲ ବା ଆଇନଜୀବୀ ହାଇକୋର୍ଟ ଠାରୁ ୬ଶହ କି.ମି. ଦୂରରେ ନାହାନ୍ତି। ଆଜିର ଦିନରେ ଇଂଲଣ୍ଡରେ ଥାଇ କିମ୍ବା କୌଣସି ଗାଁରେ ଅତି ନିପଟ ମଫସଲରେ ଥାଇ ଜଣେ ବ୍ୟକ୍ତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରିପାରୁଛନ୍ତି। ତେଣୁ, ଅନ୍ୟ ସ୍ଥାନରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠାର କିଛି କାରଣ ନାହିଁ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌କୁ ବାର୍ ସବୁବେଳେ ବିରୋଧ କରିଛି ଓ କରିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ଏଥିସହିତ, ଗ୍ରୀଷ୍ମ ଅବକାଶ ପରେ କୋର୍ଟ ଖୋଲିଲେ ସାଧାରଣ ପରିଷଦରେ ଏ ନେଇ ପୁଣି ଆଲୋଚନା କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ବ୍ରହ୍ମପୁରରେ ଅସନ୍ତୋଷର ସ୍ବର ଉଠିଲା

ବ୍ରହ୍ମପୁର : ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠାକୁ ରାଜ୍ୟ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ବିରୋଧକୁ ନେଇ ବ୍ରହ୍ମପୁରରେ ଆଇନଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତିନି ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମ ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁରରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି କରି ଆନ୍ଦୋଳନ ଜାରି ରହିଥିବାବେଳେ ଏହାର ସପକ୍ଷରେ କେନ୍ଦ୍ର ଆଇନ୍‌ମନ୍ତ୍ରୀଙ୍କ ମନ୍ତବ୍ୟ ସେମାନଙ୍କ ମଧ୍ୟରେ ଆଶା ସଂଚାର କରିଥିଲା। ଏହି ବେଞ୍ଚ୍‌ ହେବାଦ୍ବାରା ନ୍ୟାୟିକ ପ୍ରକ୍ରିୟାର ବିକେନ୍ଦ୍ରୀକରଣ ‌ହେବାସହ ତ୍ବରିତ୍‌ ନ୍ୟାୟ ପ୍ରଦାନରେ ମଧ୍ୟ ସହାୟକ ହେବ। ଉଭୟ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ ବୋଲି ଆଇନଜୀବୀମାନେ ମତବ୍ୟକ୍ତ କରିଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟରେ ଗୋପାଳପୁରରେ ହାଇକୋର୍ଟର ଏକ ସର୍କିଟ ବେଞ୍ଚ୍‌ ଚାଲୁଥିଲା। ତେଣୁ ବ୍ରହ୍ମପୁରରେ ଏକ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା କରିବାର ପ୍ରାସଙ୍ଗିକତା ରହିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପୂର୍ବରୁ ଆଗ୍ରହ ପ୍ରକାଶ କରି କେନ୍ଦ୍ରକୁ ଚିଠି ଲେଖିଥିଲେ। ସ୍ବତନ୍ତ୍ର କମିସନ୍ ମଧ୍ୟ ବସାଇଥିଲେ। ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ବିରୋଧକୁ ନେଇ ସ୍ଥାନୀୟ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe