ନଭେମ୍ବର ୧୦ରେ କଟକ ଚାଲ

ପଶ୍ଚିମ ଓଡ଼ିଶାରେ ତୀବ୍ର ହେଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ନଭେମ୍ବର ୧୦ରେ କଟକ ଚାଲ

photo by : wp.com

ହାଇକୋର୍ଟ ସମ୍ମୁଖରେ ଧାରଣା ଦେବେ ପଶ୍ଚିମ ଓଡ଼ିଶାର ୫ ହଜାର ଲୋକ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଆଉ ଆଇନଜୀବୀମାନଙ୍କ ଦାବି ହୋଇ ରହି ନାହିଁ। ପୂର୍ବରୁ ଓକିଲଙ୍କ ଦାବିକୁ ସମର୍ଥନ କରି ନାଗରିକମାନେ ଆନ୍ଦୋଳନରେ ସାମିଲ ହେଉଥିଲା ବେଳେ କିଛି ମାସ ହେଲା ପଶ୍ଚିମ ଓଡ଼ିଶାର ପ୍ରମୁଖ ନାଗରିକ ସଂଗଠନମାନେ ନିଜେ ଏହାର ମଙ୍ଗ ଧରିଛନ୍ତି। ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ପାଇଁ ସ୍ଥାନୀୟ ନାଗରିକଙ୍କ ପକ୍ଷରୁ ‘କଟକ ଚାଲ’ ଡାକରା ଦିଆଯାଇଛି। ‘ହାଇକୋର୍ଟ ବେଞ୍ଚ ଦିଅ, ନହେଲେ ସ୍ୱତନ୍ତ୍ର ରାଜ୍ୟ’ ଏଭଳି ସ୍ଲୋଗାନ ଦେଇ ସେମାନେ ବହୁ ବର୍ଷରୁ ଚାଲି ଆସିଥିବା ଏହି ଆନ୍ଦୋଳନକୁ ଅଧିକ ତୀବ୍ର କରିଛନ୍ତି। ରବିବାର ସମ୍ବଲପୁର ଜିଲ୍ଲା ନାଗରିକ କ୍ରିୟାନୁଷ୍ଠାନ କମିଟି ଆବାହନରେ ଓଡ଼ିଶା ସାଂସ୍କୃତିକ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନର ବହୁ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ଆଗାମୀ ରୂପରେଖ ସଂପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଆସନ୍ତା ନଭେମ୍ବର ୧୦ରେ କଟକ ଚାଲ ଡାକରା ଦିଆ ଯାଇଥିଲା।

ବୈଠକ ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କମିଟିର ଆବାହକ ଭାଗବତ ପ୍ରସାଦ ନନ୍ଦ କହିଲେ, ନଭେମ୍ବର ୧୦ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫ ହଜାର ଲୋକ କଟକ ଯାଇ ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ଧାରଣା ଦେବେ। ସେମାନଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟି ଏ ସଂପର୍କରେ ଅଞ୍ଚଳର ଦାବି ଓ ଆବଶ୍ୟକତା ଉପସ୍ଥାପନ କରିବେ। କମିଟିର ଅନ୍ୟତମ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ହୋତା କହିଲେ ଉକ୍ତ ଦିନ ସକାଳୁ ସମ୍ବଲପୁର-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଯୋଗେ ହଜାର ହଜାର ଲୋକ ସମ୍ବଲପୁର ଷ୍ଟେସନ୍‌ରୁ ଚଢ଼ି କଟକ ଉପକଣ୍ଠ ନରାଜ-ମାର୍ଥାପୁର ଷ୍ଟେସନ୍‌ ପର୍ଯ୍ୟନ୍ତ ଯିବେ। ସେଠାରୁ ଏକାଧିକ ବସ୍‌ ଓ ଗାଡ଼ିରେ ଯାଇ ହାଇକୋର୍ଟ ସମ୍ମୁଖରେ ପହଞ୍ଚିବେ। ସେହିପରି ଅନ୍ୟ ଜିଲ୍ଲାର ଲୋକ ସମ୍ବଲପୁର ଦେଇ ଇଣ୍ଟର୍‌ସିଟିରେ ବା ନିଜନିଜ ହିସାବରେ ଯାଇ ନରାଜଠାରେ ବା କଟକ ହାଇକୋର୍ଟ ସମ୍ମୁଖ ଧାରଣାସ୍ଥଳରେ ପହଞ୍ଚିବେ।

ରବିବାରର ବୈଠକରେ କମିଟିର ଅନ୍ୟତମ ପ୍ରମୁଖ ସଦସ୍ୟ ଦୀପକ ପଣ୍ଡା, ଗୋଡ଼ଭଗାର ହାରାଧନ ବାରିକ, ବରଗଡ଼ର ଅମୂଲ୍ୟ କୁମାର ପତି, ସୁରେଶ୍ୱର ଶତପଥୀ, ଝାରସୁଗୁଡ଼ାର ରଘୁନନ୍ଦନ ପଣ୍ଡା, ସୁବର୍ଣ୍ଣପୁରର ଦିଲୀପ ପୁରୋହିତ, ପ୍ରମୋଦ କୁମାର ମହାପାତ୍ର, ଭେଡ଼େନର ଦଶରଥ ମେହେର, କୃଷ୍ଣଚନ୍ଦ୍ର ବେହେରା, ଅତାବିରାର ରବୀନ୍ଦ୍ର ନାୟକ, ବୌଦ୍ଧର ଅଖିଳ ଚନ୍ଦ୍ର ମହାପାତ୍ର, ସମ୍ବଲପୁରର ପ୍ର. ଶଂକର ପ୍ରସାଦ ପତି, ସୁରେଖା ସାହୁ, ଦେବଗଡ଼ର ଦିଲୀପ ଗୁରୁ, ରେଢ଼ାଖୋଲର ଅନାଦି ସାହୁ, ମେଲଛାମୁଣ୍ଡାର ମନୋଜ କୁମାର ଭୋଇ, ତିଲିଆର ମୁରଲୀଧର ପ୍ରଧାନ, ବୁର୍ଲାର ନାରାୟଣ ପତି, ହୀରାକୁଦର ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ସରୋଜ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe