୨୦ ବର୍ଷରୁ ଅଧିକ ଜେଲ୍‌ରେ ଥିବା ବନ୍ଦୀଙ୍କୁ ମୁକ୍ତି ପ୍ରସଙ୍ଗ: ପୁନର୍ବିଚାର ପାଇଁ ଏସଏସଆରବିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷରୁ ଅଧିକ ସମୟ ଧରି କୋରାପୁଟ ଜେଲ୍‌ରେ ବନ୍ଦୀ ଥିବା ନନ୍ଦୁ ପାଙ୍ଗିଙ୍କ ଦଣ୍ଡ ଅବଧିର ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗରେ ବିଚାର କରିବାକୁ ଏସଏସଆରବି(ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି...

High Court directs SSRB to reconsider release of prisoners serving over 20 years in jail

High Court directs SSRB to reconsider release of prisoners serving over 20 years in jail Photograph: (sambad.in)

କଟକ:ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷରୁ ଅଧିକ ସମୟ ଧରି କୋରାପୁଟ ଜେଲ୍‌ରେ ବନ୍ଦୀ ଥିବା ନନ୍ଦୁ ପାଙ୍ଗିଙ୍କ ଦଣ୍ଡ ଅବଧିର ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗରେ ବିଚାର କରିବାକୁ ଏସଏସଆରବି(ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ସମୟ ପୂର୍ବରୁ ଜେଲରୁ ଛାଡ଼ିବା ପ୍ରସଂଗରେ ପୁନର୍ବିଚାର ପାଇଁ ଏସଏସଆରବି ଏହାର ବୈଠକ ଦୁଇ ମାସ ଭିତରେ ଡାକିବ।

ପୂର୍ବରୁ ଏହି ପ୍ରସଙ୍ଗ ଏସଏସଆରବି ଦ୍ବାରା ଉପଯୁକ୍ତ ଭାବେ ବିଚାରକୁ ନିଆ ଯାଇ ନଥିବା ହାଇକୋର୍ଟ କହିଛନ୍ତି। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗରେ ଏସଏସଆରବି ପୁନର୍ବିଚାର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନନ୍ଦୁ ପାଙ୍ଗିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଏକ ହତ୍ୟା ମାମଲାରେ ମାଲକାନଗିରି ଆଡ-ହକ୍ ଅତିରିକ୍ତ ଦୌରା ଜଜ୍ (ଫାଷ୍ଟ ଟ୍ରାକ୍) ଅଦାଲତ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ୨୦୦୫, ଡିସେମ୍ବର ୧୫ରେ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖି ୨୦୧୫, ଏପ୍ରିଲ ୨୫ରେ ରାୟ ପ୍ରଦାନ କରିଥିଲେ। ୨୦୨୧ରେ କିଛି ଦିନ ପାଇଁ ଜେଲରୁ ଆବେଦନକାରୀଙ୍କୁ ଛଡ଼ା ଯାଇଥିଲା।

ସେ ଘରେ ରହି ପୁଣି ଜେଲକୁ ଫେରି ଆସିଥିଲେ। ମୁଦୁଲିପଡ଼ା ଥାନା ଆଇଆଇସି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ଜେଲରୁ କିଛି ଦିନ ପାଇଁ ଛାଡ଼ ପାଇବା ପରେ ଆବେଦନକାରୀ ଘରେ ରହି ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କୁ ୬୨ ବର୍ଷ ହୋଇଥିବା ବେଳେ ସେ ଆଉ କୌଣସି ଅପରାଧ କରିବା ସମ୍ଭାବନା ନାହିଁ।

ଏଭଳି ରିପୋର୍ଟ ପ୍ରସଂଗରେ ମାଲକାନଗିରି ଏସପିଙ୍କ ତରଫରୁ ଏଡିଏମଙ୍କୁ ଅବଗତ କରାଯାଇଥିଲା। ଅନ୍ୟପକ୍ଷରେ ୨୦୨୩, ଜୁନ୍ ୨ରେ ଏଏସଆରବି ଆବେଦନକାରୀଙ୍କୁ ସମୟପୂର୍ବରୁ ଛାଡ଼ିବା ସଂପର୍କିତ ପ୍ରସ୍ତାବକୁ ଖାରଜ କରିଥିଲା। ବିଭିନ୍ନ ପ୍ରସଙ୍ଗକୁ ଉପଯୁକ୍ତ ଭାବେ ବିଚାରକୁ ନ ନେଇ ଆବେଦନକାରୀଙ୍କ ମୁକ୍ତି ପ୍ରସଂଗ ସଂପର୍କିତ ପ୍ରସ୍ତାବକୁ ଏସଏସଆରବି ଖାରଜ କରିଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟନାରାୟଣ ମିଶ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ‌େଦବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

Cuttack | high court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe