ବିଧାୟକ, ସାଂସଦଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲା ସଂପର୍କିତ ତଥ୍ୟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ : ହାଇକୋର୍ଟରେ ହାଜର ହେ‌ଲେ ନିର୍ଦ୍ଦେଶକ, ୩ ଡିଇଓ

Odisha Bytes

କଟକ: ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲା ସଂପର୍କରେ ହାଇକୋର୍ଟରେ ଦାଖଲ ହେବ ତଥ୍ୟ।  ବିଭିନ୍ନ ଜିଲ୍ଲାରେ ଥିବା ଅଦାଲତଗୁଡିକରେ ସାଂସଦ ଓ ବିଧାୟକଙ୍କ ସହିତ ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଥିବା ମାମଲା ସଂପର୍କିତ ସବିଶେଷ ବିବରଣୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏଭଳି ଅପରାଧିକ ମାମଲାଗୁଡିକର ତ୍ବରିତ ଶୁଣାଣି  ଓ ଶୀଘ୍ର ଟ୍ରାଏଲ ଶେଷ ସୁନିଶ୍ଚିତ କରିବା ପାଇଁ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ଯଥା କର୍ମଚାରୀ, କୋଠା ଇତ୍ୟାଦି ପ୍ରସଂଗରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ମାମଲାର ବିଚାର ପ୍ରକ୍ରିୟା ଉପରେ ଉପର କୋର୍ଟ ରହିତାଦେଶ ଜାରି କରିଛନ୍ତି ସେ ସଂପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବିବରଣୀ ସତ୍ୟପାଠରେ ଉଲ୍ଲେଖ କରିବାକୁ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାରେ ୨୦୨୦, ସେପ୍ଟେମ୍ବର ୧୬ରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ।  ସାଂସଦ/ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ପ୍ରସଂଗରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଛନ୍ତି। ରାଜନେତାମାନଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡିକର ତ୍ବରିତ ଶୁଣାଣି ଓ  ଏଥି ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଂଗ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ବିଭିନ୍ନ ରାଜ୍ୟରେ ଏପରି ମାମଲା ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe