ସ୍ୱାସ୍ଥ୍ୟସେବା ନେଇ ହାଇକୋର୍ଟଙ୍କ ଉଦ୍‌ବେଗ, ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ଅଚାନକ ଚଢ଼ଉ ପାଇଁ ଗଠନ ହେବ ସ୍ବତନ୍ତ୍ର ଟିମ୍
ପଦକ୍ଷେପ ସଂପର୍କରେ ଅଗଷ୍ଟ ୧ ସୁଦ୍ଧା ସରକାର ଦେବେ ସତ୍ୟପାଠ

କଟକ : ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତିକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସବୁ ଜିଲ୍ଲାର ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଦାଖଲ ରିପୋର୍ଟରୁ ଯେଉଁ ତଥ୍ୟ ସାମନାକୁ ଆସିଛି, ତାହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟରେ ଦାଖଲ ରିପୋର୍ଟ ଅନୁଯାୟୀ ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ମୌଳିକ ସୁବିଧା ନାହିଁ। ଡିଏଲଏସଏ ପକ୍ଷରୁ ଗଠିତ ଟିମ୍ ବିଭିନ୍ନ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ଗସ୍ତ କରି ଦେଇଥିବା ରିପୋର୍ଟ ଓ ଭିଡିଓ କ୍ଲିପ୍ ଅନୁଯାୟୀ ଅଧିକାଂଶ ସ୍ଥାନରେ ପରିମଳ ଓ ଶୌଚାଳୟ ଅବସ୍ଥା ଶୋଚନୀୟ। ଅନେକ ସ୍ଥାନରେ ଆମ୍ବୁଲାନ୍ସ ରହୁ ନାହିଁ। ଟେଲିଫୋନ୍ ଓ ଇଣ୍ଟରନେଟ୍ ସୁବିଧା ମଧ୍ୟ ଅନେକ ଡାକ୍ତରଖାନାରେ ନାହିଁ। ଡାକ୍ତରଖାନାରେ ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଦାୟିତ୍ବରେ ଥିବା ଡାକ୍ତର, ନର୍ସ ଓ କର୍ମଚାରୀ ଅନେକ ସ୍ଥାନରେ ରହୁ ନାହାନ୍ତି। ପ୍ରକ୍ସି ଆଟେଣ୍ଡାନ୍ସ, ପ୍ରକ୍ସି ସିଗନେଚର ହେଉଛି। ଦାୟିତ୍ବରେ ଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ନାଁ ରେଜିଷ୍ଟରରେ ଥିବା ବେଳେ ସେମାନେ କିନ୍ତୁ ପ୍ରକୃତରେ ସେ ଦିନ ସେଠାରେ ନଥିଲେ। ଏଥିରୁ ଦାୟିତ୍ବରେ ଥିବା ଡାକ୍ତର ଓ କର୍ମଚାରୀ ନଥିଲେ ମଧ୍ୟ ସେମାନଙ୍କ ଉପସ୍ଥାନ ପଡୁଛି ବୋଲି ସ୍ପଷ୍ଟ ହୋଇଥିଲା। ଏଥି ସହିତ ଡାକ୍ତରଖାନା କେଉଁ ଔଷଧ କେତେ ପରିମାଣର ରହିଛି ତାହା ରେଜିଷ୍ଟରରେ ଉଲ୍ଲେଖ କରାଯାଉ ନାହିଁ। ଏମଆରଆଇ, ସିଟି ସ୍କାନ ଓ ଅନ୍ୟାନ୍ୟ ରୋଗନିରୂପଣ ପରୀକ୍ଷା ପାଇଁ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ରୋଗୀଙ୍କୁ ପଠାଯାଉଛି। ଡାକ୍ତରଖାନାରେ ବିଦ୍ୟୁତ କଟିଲେ ବିକଳ୍ପ ବ୍ୟବସ୍ଥା ରହିବା କଥା। କିନ୍ତୁ ଅଧିକାଂଶ ସ୍ଥାନରେ ଏପରି କିଛି ସୁବିଧା ନାହିଁ। ନଭେମ୍ବର ମାସରେ ଅନୁଧ୍ୟାନ ପରେ ଏହି ସବୁ ଅବ୍ୟବସ୍ଥା ପ୍ରସଂଗରେ ଡିଏଲଏସ ରିପୋର୍ଟ ଦାଖଲ କରିଥିଲା। ଇତିମଧ୍ୟରେ ୬ ମାସ ହୋଇ ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ରିପୋର୍ଟ ଉପରେ ଜବାବ ରଖି ନଥିବାରୁ ହାଇକୋର୍ଟ ଶନିବାର ଦିନ ‌ଅସନ୍ତୋଷବ୍ୟକ୍ତ କରିଥିଲେ।

ତୁରନ୍ତ ଡାକ୍ତରଖାନା ଗୁଡିକରେ ରହିଥିବା ଏହି ସବୁ ଅବ୍ୟବସ୍ଥା ଦୂର ଉପରେ ହାଇକୋର୍ଟ ଶନିବାର ଦିନ ଗୁରୁତ୍ବାରୋପ କରିଛନ୍ତି। ରିପୋର୍ଟରେ ରହିଥିବା ତଥ୍ୟ ଆଧାରରେ ତୁରନ୍ତ ଅନୁପସ୍ଥିତ ଥିବା ସଂପୃକ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନୋଟିସ୍ ଜାରି ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅନ୍ୟାନ୍ୟ ଯେଉଁ ସବୁ ବ୍ୟବସ୍ଥାରେ ତ୍ରୁଟି ରହିଛି ସେ ନେଇ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ସରକାର ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ଲୋଡିବେ। ଏଥି ସହିତ ରିପୋର୍ଟରେ ଉଲ୍ଲେଖ ଥିବା ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଡାକ୍ତରଖାନା ଗୁଡିକୁ ଅଚାନକ ଗସ୍ତ କରି ବାସ୍ତବ ସ୍ଥିତି ନେଇ ଅବଗତ ହେବାକୁ ସ୍ବାସ୍ଥ୍ୟ ବିଭାଗ ସବୁ ଜିଲ୍ଲାରେ ସ୍ବତନ୍ତ୍ର ଟିମ୍ ଗଠନ କରିବ। ରିପୋର୍ଟରେ ରହିଥବା ତ୍ରୁଟି ସୁଧାରିବାକୁ ସମୟ ଦେଇ ଏକ ମାସ ପରେ ଏପରି ସ୍ବତନ୍ତ୍ର ଟିମର ଅଚାନକ ଗସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ନିର୍ଦ୍ଦେଶ ପାଳନ ସଂପର୍କିତ ସତ୍ୟପାଠ ଅଗଷ୍ଟ ୧ ତାରିଖ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ହାଇକୋର୍ଟରେ ଦାଖଲ କରିବ। ଅଗଷ୍ଟ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe