ହ୍ବାଟ୍‌ସଆପ୍‌ ଓ ‌କେନ୍ଦ୍ର ସରକାରଙ୍କୁ ‌ହାଇକୋର୍ଟଙ୍କ ନୋଟିସ୍

ବେଆଇନ ଭାବେ ଆବଦେନକାରୀଙ୍କ ଫୋନ୍ ନମ୍ବରରେ ହ୍ବାଟ୍‌ସଆପ୍ ଅଚଳ କରାଯାଇଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି। ମାମଲାରେ ପ୍ରତିପକ୍ଷ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଇନ୍‌ଫରମେସନ୍ ଟେକ୍‌ନୋଲୋଜି....

Orissa High Court

Orissa High Court Photograph: (sambad.in )

କଟକ: ବେଆଇନ ଭାବେ ଆବଦେନକାରୀଙ୍କ ଫୋନ୍ ନମ୍ବରରେ ହ୍ବାଟ୍‌ସଆପ୍ ଅଚଳ କରାଯାଇଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି। ମାମଲାରେ ପ୍ରତିପକ୍ଷ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଇନ୍‌ଫରମେସନ୍ ଟେକ୍‌ନୋଲୋଜି ବିଭାଗ ସଚିବ ଓ ହାଇଦ୍ରାବାସ୍ଥିତ ହ୍ବାଟ୍‌ସଆପ୍ ଅପ୍ଲିକେସନ୍ ସର୍ଭିସେସ୍‌କୁ ହାଇକୋର୍ଟ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଇଂଜିନିୟର ଦେବାଶିଷ ହୋତାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ୨୦୨୫ ମେ ୨୬ ସଂଧ୍ୟା ୫ଟାରେ ଶ୍ରୀ ହୋତାଙ୍କ ‌ମୋବାଇଲ ଫୋନ୍ ନମ୍ବରରେ ହ୍ବାଟ୍‌ସଆପ୍ ଅଚଳ ହୋଇ ଯାଇଥିଲା। ସେ ଏହାକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ହ୍ବାଟ୍‌ସଆପ୍‌ କମ୍ପାନିକୁ ୫ଟା ୪୫ରେ ଅନୁରୋଧ କରିଥିଲେ। ଏହାପରେ ତାଙ୍କୁ ଏକ ଫର୍ମ ପୂରଣ କରିବାକୁ କୁହାଯାଇଥିଳା। ଏହି ଫର୍ମରେ ଭାରତର କୋଡ୍ +୯୧ ବିକଳ୍ପ(ଅପସନ୍) ନଥିବା ଆବେଦନକାରୀ ଦେଖିବାକୁ ପାଇଥିଲେ।

ଏହାପରେ ସେହିଦିନ ସଂଧ୍ୟା ୬ଟା ୩୬ରେ ସେ ଭାରତ ସରକାରଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ସଂଧ୍ୟା ୭ଟା ୨୬ରେ ଶ୍ରୀ ହୋତାଙ୍କ ହ୍ବାଟ୍‌ସଆପ୍ ପୁନର୍ବାର କାର୍ଯ୍ୟ କରିବା ଆରମ୍ଭ କରିଥିଲା। ୨୦୨୫, ଜୁଲାଇ ୨୧ରେ ପୁଣିଥରେ ତାଙ୍କ ଫୋନରେ ହ୍ବାଟ୍‌ସଆପ୍ ଅଚଳ ହୋଇ ଯାଇଥିଲା। ସେହିଦିନ ସକାଳ ୮ଟା ୨୫ରେ ଶ୍ରୀ ହୋତା ଏ ନେଇ ଅଭିଯୋଗ କରିଥିଲେ। ପୂର୍ବଭଳି କମ୍ପାନି ତରଫରୁ ତାଙ୍କୁ ଏକ ଫର୍ମ ପୂରଣ କରିବାକୁ କୁହାଯାଇଥିଲା। ଏଥର ଫର୍ମରେ ଭାରତର କୋଡ୍ +୯୧ ଥିବା ସେ ଦେଖିବାକୁ ପାଇଥିଲେ ଓ ଏହାକୁ ପୂରଣ କରିଦେଇଥିଲେ। କିନ୍ତୁ ତାଙ୍କ ହ୍ବାଟ୍‌ସଆପ୍ ପୁନଃକାର୍ଯ୍ୟକ୍ଷମ ହୋଇ ନଥିଲା। ଏ ନେଇ ଶ୍ରୀ ହୋତା କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ହ୍ବାଟ୍‌ସଆପ୍ କମ୍ପାନିକୁ କୌଣସି ନିର୍ଦ୍ଦେଶ ନ ଦେଇ ଏହି ଅଭିଯୋଗଟିକୁ ବନ୍ଦ କରି ଦେଇଥିଲେ। ବିନା କାରଣରେ ତାଙ୍କ ହ୍ବାଟ୍‌ସଆପ୍ ଅଚଳ କରାଯିବା ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ସୂଚନା ଦେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ନମ୍ବରରେ ହ୍ବାଟ୍‌ସଆପ୍ ପୁନଃ କାର୍ଯ୍ୟକ୍ଷମ ପାଇଁ ଇଲେକ୍ଟ୍ରୋନିକ୍ସ ଓ ଇନ୍‌ଫରମେସନ୍ ଟେକ୍‌ନୋଲୋଜି ବିଭାଗ ଆଦେଶ ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe