ମୋକିମଙ୍କ ଅପିଲ ବିଚାର ପାଇଁ ହାଇକୋର୍ଟରେ ଗୃହୀତ, ଜେଲ ଦଣ୍ଡାଦେଶ ଉପରେ ରୋକ ଅବେଦନର ଶୁଣାଣି ୧୩ରେ

Advertisment
ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

କଟକ: ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟକୁ ବିରୋଧ କରି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଦାୟର ଅପିଲକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରି ନିମ୍ନ ଅଦାଲତରୁ ରେକର୍ଡ ତଲବ କରିଛନ୍ତି। ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ସହ ଜରିମାନାରେ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ କୋର୍ଟର ଏହି ଦଣ୍ଡକୁ ଖାରଜ (ସସପେନସନ୍) ପାଇଁ ଅନୁରୋଧ କରି ‌ଶ୍ରୀ ମୋକିମ୍ ମାମଲା ରୁଜୁ କରିଥିଲେ।

ଆଜି ହାଇକୋର୍ଟ ମହମ୍ମଦ ମୋକିମଙ୍କ ଆଦେବନର ଶୁଣାଣି କରି ବିଚାର ଲାଗି ଏହାକୁ ଗ୍ରହଣ କରିଥିଲେ।  ଅପିଲ ବିଚାରାଧୀନ ଥିବା ବେଳେ ତାଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହ ଭିଜିଲାନ୍ସ  ଆଦଲତଙ୍କ ଜରିମାନା  ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହ ୧ ଲକ୍ଷଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।  ନିମ୍ନ ଅଦାଲତଙ୍କ ଜେଲଦଣ୍ଡ ଉପରେ ରୋକ ପାଇଁ ମୋକିମ କରିଥିବା ଆବେଦନ ବିରୋଧରେ ଭିଜିଲାନ୍ସ ବିଭାଗ ଲିଖିତ ମତାମତ ରଖିଛି। ଏହାର କପି ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆଗାମୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଶ୍ରୀ ମୋକିମ୍‌ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଋଣ ହଡ଼ପ ମାମଲାର ଶୁଣାଣି କରି ନିକଟ ଅତୀତରେ ଭିଜିଲାନ୍ସ କୋର୍ଟ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନେ ହେଲେ, ପୂର୍ବତନ ଆଇଏଏସ୍ ତଥା ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ବିନୋଦ କୁମାର, କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପୀୟୂଷ ମହାନ୍ତି।

ସମସ୍ତଙ୍କୁ ୩ବର୍ଷ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା। ଜରିମାନା ରାଶି ଅନାଦେୟ ହେଲେ ୬ମାସ ଅଧିକ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଥିଲା। ୧୭ଜଣ ସାକ୍ଷ୍ୟ ଓ ତଥ୍ୟ ପ୍ରମାଣକୁ ଆଧାର କରି ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ରାୟ ଦେଇଥିଲେ। ଅପରପକ୍ଷେ ଏହି ମାମଲାର ରାୟ ପ୍ରକାଶ ପାଉ ପାଉ ବିଧାୟକ ମୋକିମ୍‌ଙ୍କ ସମେତ ଆଇଏଏସ୍‌ ବିନୋଦ କୁମାର, ପିୟୁଷ ମହାନ୍ତି ଓ ସ୍ବସ୍ତିରଂଜନ ମହାପାତ୍ରଙ୍କୁ ଭୁବନେଶ୍ବର ଭିଜିଲାନ୍ସ କୋର୍ଟରୁ ଜାମିନ୍‌ ମିଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe