ଢିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଇନଜୀବୀ କମିଟି ନିକଟରେ ମତ ରଖିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ପୁଲିସ ସୁରକ୍ଷାରେ ଅଣାଯିବ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୁଣି ପାଞ୍ଚ ଜଣିଆ ଆଇନଜୀବୀ କମିଟି ମାର୍ଚ୍ଚ ୫ରେ ଢିଙ୍କିଆ ଗସ୍ତ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିବାକୁ ଥିବା ବେଳେ କେତେକ ବ୍ୟକ୍ତି ବିରୋଧୀ ପକ୍ଷ ଓ ପୁଲିସ ଭୟରେ ବୈଠକ ସ୍ଥଳକୁ ଆସିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ଆଜି ଏଭଳି ତଥ୍ୟ ହାଇକୋର୍ଟରେ ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିଲା। ଗାଁ ଭିତରେ ଓ ବାହାରେ ରହୁଥିବା ଏଭଳି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସଂକ୍ରାନ୍ତୀୟ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା କରାଯାଉଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ହାଇକୋର୍ଟ ଏହି ପ୍ରସଂଗରେ ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପାଞ୍ଚ ଜଣିଆ ଆଇନଜୀବୀ କମିଟି ସମ୍ମୁଖରେ ମତ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ନାଁ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାର୍ଚ୍ଚ ୪ ତାରିଖ ରାତି ୮ଟା ସୁଦ୍ଧା ଅତିରିକ୍ତ ସରକାରୀ ଓକିଲ (ଏଜିଏ)ଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଏଭଳି ବ୍ୟକ୍ତିଙ୍କ ନାଁ ଏଜିଏଙ୍କୁ ପ୍ରଦାନ କରାଯାଏ ତେବେ ସେମାନଙ୍କୁ ଆଇନଜୀବୀମାନଙ୍କ ବୈଠକସ୍ଥଳକୁ ପୁଲିସ ନିରାପତ୍ତା (ଏସକର୍ଟ) ଭିତରେ ଅଣାଯିବ। ମତାମତ ରଖିବାକୁ ଚାହୁଁଥିବା ଏଭଳି ବ୍ୟକ୍ତିମାନେ କେଉଁ ସ୍ଥାନରେ କେତେବେଳେ ସମବେତ ହେବେ ତାହା ଆଇନଜୀବୀ କମିଟି ନିର୍ଦ୍ଧାରଣ କରିବ। ସଂପୃକ୍ତ ସ୍ଥାନରୁ ପୁଲିସ ନିରାପତ୍ତା ଭିତରେ ଏଭଳି ବ୍ୟକ୍ତିଙ୍କୁ ବୈଠକ ସ୍ଥଳକୁ ଅଣାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପରୁଦ୍ର ସାମନ୍ତରାୟ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଫେବ୍ରୁଆରି ୨୩ରେ ହାଇକୋର୍ଟ ଏ ସଂପର୍କିତ ତିନୋଟି ମାମଲାର ଶୁଣାଣି କରି ଢିଙ୍କିଆ ବାସନ୍ଦାମାନେ ବିନା କୌଣସି ଭୟ ଓ ଚାପରେ ଆଇନଜୀବୀ କମିଟି ନିକଟରେ ନିଜ ନିଜ ମତ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ଥିତି ଅନୁଧ୍ୟାନ ପାଇଁ ପୁଣି ପାଞ୍ଚ ଜଣିଆ ଆଇନଜୀବୀ କମିଟି ଢିଙ୍କିଆ ଗସ୍ତ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ଆଇନଜୀବୀମାନେ ମାର୍ଚ୍ଚ ୫ ତାରିଖ ଦିନ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରି ପ୍ରକୃତ ସ୍ଥିତି ନେଇ ତଥ୍ୟ ସଂଗ୍ରହ କରିବେ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ଆବେଦନକାରୀଙ୍କ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ଦାୟର କରି ଦର୍ଶାଯାଇଥିଲା ଯେ ଆଇନଜୀବୀମାନଙ୍କ ସମ୍ମୁଖରେ ନିଜ ମତ ରଖିବାକୁ କେତେକ ଗ୍ରାମବାସୀ ଆଗ୍ରହୀ ଥିବା ବେଳେ ବିରୋଧୀପକ୍ଷ ଓ ପୁଲିସ ଭୟରେ ବୈଠକ ସ୍ଥଳକୁ ଆସିବା ସମ୍ଭବ ହୋଇ ନ ପାରେ। ଏଥି ସହିତ ପୂର୍ବରୁ ଆଇନଜୀବୀ କମିଟି ନିକଟରେ ପ୍ରକଳ୍ପ ବିରୋଧରେ ମତ ରଖିଥିବା ବ୍ୟକ୍ତିମାନେ ପୁଲିସ ନିର୍ଯାତନାର ଶିକାର ହୋଇଥିଲେ। କେତେକଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ଏଭଳି ସ୍ଥିତିରେ ଗ୍ରାମ ଭିତରେ ଓ ବାହାରେ ରହୁଥିବା ବହୁ ଢିଙ୍କିଆବାସୀ ଆଇନଜୀବୀମାନଙ୍କ ଗସ୍ତ ସମୟରେ ବୈଠକ ସ୍ଥଳକୁ ଆସିବାକୁ ସୁରକ୍ଷିତ ମଣୁ ନାହାନ୍ତି।

ଢିଙ୍କିଆ ଠାରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଂଗକୁ ନେଇ ହାଇକୋର୍ଟରେ କୁନି ମଲ୍ଲିକ ଓ ଅନ୍ୟ ଚାରି ଜଣ, ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ, ପ୍ରତାପରୁଦ୍ର ସାମନ୍ତରାୟ ଓ ଅନ୍ୟମାନେ ତିନୋଟି ପୃଥକ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି କରି ପାଞ୍ଚ ଜଣିଆ ଆଇନଜୀବୀ କମିଟିକୁ ଢିଙ୍କିଆ ଗସ୍ତ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe