ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ: ନୂତନ ଅନୁଦାନପ୍ରାପ୍ତ ସ୍କୁଲରେ ପେନ୍‌ସନ୍‌, ଜିପିଏଫ୍‌ ଓ ଛୁଟି ନିୟମ ଲାଗୁ କର

Advertisment
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

ଭୁବନେଶ୍ବର : ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଛୁଟି ନିୟମ, ଜିପିଏଫ୍ ଓ ପେନ୍‌ସନ୍ ନିୟମ ଲାଗୁ କରିବା ପାଇଁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାର ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୮୦ ଦଶକରୁ ରାଜ୍ୟରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନ ଅର୍ଥାତ୍ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ସଂସ୍କୃତ, ମଦ୍ରାସା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଲାଗି ଯୋଗ୍ୟ ବିବେଚିତ ହେବା ଦିନରୁ ରାଜ୍ୟ ସରକାର ଅନୁଦାନ ଦେଇ ନ ଥିଲେ। ଏହାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସମେତ ମିଳିତ ମଞ୍ଚର ନିରନ୍ତର ଆନ୍ଦୋଳନ, ବୁଦ୍ଧିଜୀବୀ, ପରିଚାଳନା କମିଟି, ରାଜ୍ୟବାସୀଙ୍କ ଦାବି ଓ ସର୍ବୋଚ୍ଚ ନ୍ୟାୟଳୟଙ୍କ ଚାପ ଫଳରେ ୨୦୧୮ରୁ ଅନୁଦାନ ପ୍ରଦାନ ସହ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ବୋଲି ଅଭିହିତ କଲେ। ତେବେ ଅଭିଯୋଗ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ବେଳକୁ ଏଥିରେ ମୁଣ୍ଡାମୁଣ୍ଡି ବର୍ଦ୍ଧିତ କିଛି ଦରମା ବ୍ୟତୀତ ଚଞ୍ଚକତା କରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିବା ଅର୍ଥାତ୍ ୧୯୯୪ ଅନୁଦାନ ଆଇନର ଚାକିରି ସର୍ତ୍ତାବଳିକୁ ଯୋଗ କଲେ ନାହିଁ।

ଏଭଳି ଚଞ୍ଚକତା ନେଇ ଓଷ୍ଟା ଓ ମିଳିତ ମଞ୍ଚ ଆଇନର ଆଶ୍ରୟ ନେଇଥିଲେ। ଗତ ଅଗଷ୍ଟ ୧୦ରେ ପ୍ରଥମମେ ଓ ପରେ ସେପ୍ଟେମ୍ବର ୧୩ରେ ହାଇକୋର୍ଟ ରାୟ ପ୍ରଦାନ କରି ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରେ ଚାକିରି ସର୍ତ୍ତାବଳିକୁ ନେଇ କୌଣସି ପାର୍ଥକ୍ୟ ନ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଯେଉଁ ଶିକ୍ଷକ ଓ କର୍ମଚାରୀ ଚାକିରିରେ ଥାଇ ୨୦୨୦ ମଧ୍ୟରେ ପ୍ରାଣ ହରାଇଛନ୍ତି; ସେମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଲେ। ପୁନଶ୍ଚ ଓଷ୍ଟା ଓ ଶିକ୍ଷକଙ୍କ ପକ୍ଷରୁ ଅନ୍ୟାନ୍ୟ ଚାକିରି ସର୍ତ୍ତାବଳି ଅର୍ଥାତ୍ ପେନ୍‌ସନ୍ ରୁଲ୍-୧୯୮୧, ଜିପିଏଫ୍ ରୁଲ୍‌-୧୯୮୩, ଲିଭ୍ ରୁଲ୍-୧୯୭୭ ଓ ଅନ୍ୟାନ୍ୟ ଚାକିରି ସର୍ତ୍ତାବଳି-୧୯୭୪କୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଭଳି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ(ବ୍ଲକ୍‌ଗ୍ରାଣ୍ଟ) ଅନ୍ତର୍ଭୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସମାନ ଭାବେ ଲାଗୁ କରିବା ପାଇଁ ଓଷ୍ଟା ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ବୁଦ୍ଧଦେବ ରାଉତରାୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୨୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ହାଇକୋର୍ଟ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ୧୯୯୪ ଅନୁଦାନ ଆଇନ ଓ ୨୦୦୪ ଅନୁଦାନ ଆଇନ ମଧ୍ୟରେ କୌଣସି ପାର୍ଥକ୍ୟ ନରଖି ୧୯୯୪ ପାଇଁ ଉର୍ଦ୍ଦିଷ୍ଟ ଚାକିରି ସର୍ତ୍ତାବଳିର ସମସ୍ତ ଅଂଶ ସମାନ ଭାବେ ଲାଗୁ କରିବା ପାଇଁ ଏକ ଦୃଷ୍ଟାନ୍ତମୂଳକ ନିର୍ଦ୍ଦେଶ ସହ ଏହି କାର୍ଯ୍ୟକୁ ଦୁଇ ମାସ ମଧ୍ୟରେ ଶେଷ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପେନ୍‌ସନ୍ ରୁଲ୍ ଲାଗୁ କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭୁଲ୍ ଯୁକ୍ତିକୁ ପ୍ରତ୍ୟାହାର କରିବା ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଷ୍ଟା ପକ୍ଷରୁ ପି. ଅନୁପ୍‌ କୁମାର ଆଚାରି ଓ ସଂଯୁକ୍ତା ଶତପଥୀଙ୍କ ମାମଲାରେ ଆଇନଜୀବୀ ବୁଦ୍ଧଦେବଙ୍କ ସମେତ ଜୟନ୍ତ ରଥ, ଦିଲ୍ଲୀପ କୁମାର ମହାପାତ୍ର ଓ ସଞ୍ଜୟ ରଥ ମାମଲା ପରିଚାଳନା କରିଥିଲେ। ଅନ୍ୟ ଏକ ମାମଲାରେ ଆଇନ୍‌ଜୀବୀ କୁନାଲ କୁମାର ସ୍ୱାଇଁ ସମ୍ପୃକ୍ତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe