ହାଇକୋର୍ଟଙ୍କ ନିର୍ଦ୍ଦେଶ: ଇ-କେୱାଇସି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବେ ସରକାର

କୌଣସି ‌ଯୋଗ୍ୟ ହିତାଧିକାରୀ ଯେପରି ସାଧାରଣ ବଣ୍ଟନ ବ୍ୟବସ୍ଥା ସୁବିଧାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଇ-କେୱାଇସି ଅପ୍‌ଲୋଡ୍ କରିବାର ଜ୍ଞାନ ଓ ବ୍ୟବସ୍ଥା ପ୍ରସଙ୍ଗରେ ଜାଣି ନଥିବା ହିତାଧିକାରୀଙ୍କୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ....

E KYC Rasan card

E KYC Rasan card Photograph: (sambad.in)

କଟକ: କୌଣସି ‌ଯୋଗ୍ୟ ହିତାଧିକାରୀ ଯେପରି ସାଧାରଣ ବଣ୍ଟନ ବ୍ୟବସ୍ଥା ସୁବିଧାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଇ-କେୱାଇସି ଅପ୍‌ଲୋଡ୍ କରିବାର ଜ୍ଞାନ ଓ ବ୍ୟବସ୍ଥା ପ୍ରସଙ୍ଗରେ ଜାଣି ନଥିବା ହିତାଧିକାରୀଙ୍କୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଣ ସରକାର ବନ୍ଦ କରି‌ଦେବାର ଆଶଙ୍କା ରହିଥିବା ଅଭିଯୋଗ ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ରାସନ କାର୍ଡଧାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‌ଫେୟାର ପ୍ରାଇସ ସପ୍‌ (ସୁଲଭ ବିକ୍ରୟ କେନ୍ଦ୍ର)ଗୁଡ଼ିକରେ ଆବଶ୍ୟକ ସ୍ଥଳେ ଭିତ୍ତିଭୂମି ବିକାଶ କରାଯିବ, ଯାହା ଦ୍ବାରା ବୈଷୟିକ ଜ୍ଞାନ ନ ଥିବା ବ୍ୟକ୍ତିବିଶେଷ ଫିଜିକାଲ୍‌ କପି ବା ହାର୍ଡ କପି ଆଧାରରେ ଇ-କେୱାଇସି ଅପ୍‌ଲୋଡ୍ ସୁବିଧା ପାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଡଧାରୀଙ୍କୁ ସଚେତନ କରିବା ଲାଗି ପ୍ରତ୍ୟେକ ଫେୟାର ପ୍ରାଇସ୍‌ ସପ୍‌ର ଉପଯୁକ୍ତ ସ୍ଥାନରେ ନୋଟିସ୍ ଲଗାଇ ଇ-କେୱାଇସି ଦାଖଲ ପ୍ରସଙ୍ଗରେ ସୂଚନା ଦିଆଯିବ।

ସମଗ୍ର ଇ-କେୱାଇସି ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବା ପ୍ରସଙ୍ଗରେ ସମୟସୀମା ଧାର୍ଯ୍ୟ କରାଯିବା ଉଚିତ। ଆବଶ୍ୟକତା ଓ ଅପ୍ରତ୍ୟାଶିତ ପରିସ୍ଥିତିରେ ସମୟସୀମା ବୃଦ୍ଧି କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ବିକାଶ ଦାସଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି ସମୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ବିଭାଗ ପକ୍ଷରୁ ସମସ୍ତ ୯୬ ଲକ୍ଷରୁ ଅଧିକ ପରିବାରକୁ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି। ଏହା ଦ୍ବାରା ୩.୨୫ କୋଟି ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ୨୦୨୫, ଅଗଷ୍ଟ ମାସ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି। ସେପ୍ଟେମ୍ବର ଓ ଅକ୍ଟୋବର ମାସ ପାଇଁ ଏହି ପ୍ରକ୍ରିୟା ଅଗଷ୍ଟ ୧ରୁ ଆଗୁଆ ଆରମ୍ଭ ହୋଇଛି। ଆଧାର ଆଧାରିତ ଇ-କେୱାଇସି ଦାଖଲ କରି ନଥିବା ୨୦.୫୮ ଲକ୍ଷ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ ବନ୍ଦ କରାଯାଇ ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe