Live Law
କଟକ: ଅନାସ୍ଥା ପ୍ରସ୍ତାବ ପ୍ରସଂଗରେ ଫୁଲବାଣୀ ପୌରପାଳିକା ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କୁ ଅଦାଲତୀ ଝଟକା ଲାଗିଛି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୌରାଧ୍ୟକ୍ଷା ସ୍ମିତାରାଣୀଙ୍କ ଆବେଦନକୁ ଖାରଜ କରିଛନ୍ତି। ହାଇକୋର୍ଟରେ ଆବେଦନ ଖାରଜ ହେବା ଫଳରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅଗତ ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୧୯ରେ ଭୋଟ ହୋଇ ପାରିବ ବୋଲି ସ୍ପଷ୍ଟ ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପାଇଁ କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ୨୦୨୪, ଏପ୍ରିଲ ୧୫ରେ ଜାରି କରିଥିବା ନୋଟିସ୍କୁ ହାଇକୋର୍ଟ ୨୦୨୪, ଜୁନ ୨୮ରେ ରଦ୍ଦ କରିଥିଲେ। ପୌରାଧ୍ୟକ୍ଷାଙ୍କୁ ନୋଟିସ୍ ଦେବା ସହିତ ଆଇନ ଅନୁସାରେ ଏପରି ପ୍ରସ୍ତାବ ପାଇଁ ପୌର ପରିଷଦର ସାନି ବୈଠକ ତାରିଖ କର୍ତ୍ତୃପକ୍ଷ ଧାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ଜିଲ୍ଲାପାଳ ପୌରାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲରଙ୍କୁ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତୀୟ ସାନି ନୋଟିସ୍ ଜାରି କରିଥିଲେ। ୧୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ ବୋଲି ଜିଲ୍ଲାପାଳଙ୍କ ଏହି ଦ୍ବିତୀୟ ନୋଟିସରେ ସ୍ପଷ୍ଟ କରାଯାଇଥିଲା। ଜିଲ୍ଲାପାଳଙ୍କ ନୋଟିସକୁ ଚାଲେଞ୍ଜ କରି ପୌରାଧ୍ୟକ୍ଷା ସ୍ମିତାରାଣୀ ଜୁଲାଇ ୯ରେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗୋଟିଏ ବର୍ଷ ଭିତରେ ଜିଲ୍ଲାପାଳ ଦୁଇ ଥର ଅନାସ୍ଥା ପ୍ରସ୍ତାବ ନୋଟିସ୍ ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ସ୍ମିତରାଣୀଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ପୂର୍ବରୁ ଯେଉଁ ଗୃହୀତ ପ୍ରସ୍ତାବ ଆଧାରରେ ଏପ୍ରିଲ ୧୫ର ନୋଟିସ୍ ଜାରି କରାଯାଇଥିଲା ସେହି ସମାନ ପ୍ରସ୍ତାବ ଅନୁସାରେ ଜିଲ୍ଲାପାଳ ସାନି ନୋଟିସ୍ ଜାରି କରିଥିଲେ ବୋଲି ଶୁଣାଣି ସମୟରେ ଜଣା ପଡ଼ିଥିଲା। ଯେଉଁ ପ୍ରସ୍ତାବ ଆଧାରରେ ପ୍ରଥମ ନୋଟିସ ଦିଆଯାଇଥିଲା ତାହା ଆଧାରରେ ପୌର ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦ୍ବିତୀୟ ନୋଟିସ ଦିଆଯାଇ ପାରିବ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଜିଲ୍ଲାପାଳଙ୍କ ନୋଟିସରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଥିଲେ। ଏଥି ସହିତ ହାଇକୋର୍ଟ ପୌରାଧ୍ୟକ୍ଷା ସ୍ମିତାରାଣୀଙ୍କ ଆବେଦନ ଖାରଜ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଫୁଲବାଣୀ ପୌରପାଳିକାର ୧୩ଜଣଙ୍କ ମଧ୍ୟରୁ ୧୧ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପାଇଁ ଏପ୍ରିଲ ୨୩ ତାରିଖ ସକାଳ ୧୦ଟାରେ ପୌର ପରିଷଦ ବୈଠକ ବସିବ ବୋଲି ଅବଗତ କରି ଜିଲ୍ଲାପାଳ ୨୦୨୪, ଏପ୍ରିଲ ୧୫ରେ ସମସ୍ତ କାଉନସିଲରଙ୍କୁ ନୋଟିସ୍ ଜାରି କରିଥିଲେ। ଏହି ନୋଟିସକୁ ଚାଲେଞ୍ଜ କରି ସ୍ମିତାରାଣୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନାସ୍ଥା ପ୍ରସ୍ତାବ ଓ ଏହା ଉପରେ ଭୋଟ ଗ୍ରହଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ପୌର ପରିଷଦ ବୈଠକ ସଂପର୍କିତ ନୋଟିସ୍ ଅଧ୍ୟକ୍ଷାଙ୍କୁ ଛାଡି ସମସ୍ତ କାଉନିଲରଙ୍କୁ ପ୍ରଦାନ କରାଯାଇଥିଲା। ଏହା ଓଡ଼ିଶା ପୌର ଆଇନ ଓ ଏ ସଂପର୍କିତ ନିୟମାବଳୀର ଉଲ୍ଲଂଘନ ବୋଲି ସ୍ମିତାରାଣୀଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ଯାହାଙ୍କୁ ପଦଚ୍ୟୁତ କରିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି ତାଙ୍କୁ ଏ ସଂପର୍କିତ ନୋଟିସ୍ ପାଇବାରୁ ବଞ୍ଚିତ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଅନାସ୍ଥା ସଂପର୍କିତ ନୋଟିସ୍ ପାଇବାର ଅଧିକାର ପୌର ଅଧ୍ୟକ୍ଷାଙ୍କ ରହିଛି। ପୌର ଅଧ୍ୟକ୍ଷାଙ୍କୁ ନୋଟିସ୍ ନ ଦେଇ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପାଇଁ ବୈଠକ ଡାକିବା ଲାଗି ଜିଲ୍ଲାପାଳ ଜାରି କରିଥିବା ଏପ୍ରିଲ ୧୫ର ନୋଟିସ୍ ରଦ୍ଦ କରାଯାଉ ବୋଲି ସ୍ମିତାରାଣୀଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ହାଇକୋର୍ଟ ଏପ୍ରିଲ ୨୨ରେ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜବାବ ତଲବ କରିବା ସହିତ ଅନାସ୍ଥା ପ୍ରସ୍ତାବ ସଂପର୍କିତ ବୈଠକ ବସିବା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ପୂର୍ଣ୍ଣାଙ୍ଗ ଶୁଣାଣି ପରେ ହାଇକୋର୍ଟ ସ୍ମିତାରାଣୀଙ୍କ ଆବେଦନକୁ ଗ୍ରହଣ କରି ଜିଲ୍ଲାପାଳଙ୍କତ ପକ୍ଷରୁ ଜାରି ଏପ୍ରିଲ ୧୫ର ନୋଟିସକୁ ରଦ୍ଦ କରିଥିଲେ। ଅଧ୍ୟକ୍ଷାଙ୍କୁ ନୋଟିସ୍ ଦେବା ସହିତ ଆଇନ ଅନୁସାରେ ଏପରି ପ୍ରସ୍ତାବ ପାଇଁ ପୌର ପରିଷଦର ସାନି ବୈଠକ ତାରିଖ କର୍ତ୍ତୃପକ୍ଷ ଧାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟଙ୍କ ଜୁନ ୨୮ର ରାୟରେ ଉଲ୍ଲେଖ କରାଯାଇଥିଲା। ଏହାପରେ ଜିଲ୍ଲାପାଳ ୧୩ଜଣ କାଉନସିଲରଙ୍କ ସହିତ ପୌରାଧ୍ୟକ୍ଷାଙ୍କୁ ସାନି ନୋଟିସ୍ ଜାରି କରି ଜୁଲାଇ ୧୯ରେ ଅନାସ୍ଥା ଭୋଟ ହେବ ବୋଲି ଅବଗତ କରିଥିଲେ।
Follow Us