ଜମିର ବେଞ୍ଚ୍‌ମାର୍କ ମୂଲ୍ୟ ବୃଦ୍ଧି ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ: ୧୦୦%ରୁ ଅଧିକ ମୂଲ୍ୟ ବୃଦ୍ଧି କ୍ଷମତା ଡିଏଲ୍‌ଭିସିର ନାହିଁ

ଜିଲ୍ଲାର ବିଭିନ୍ନ ସବ୍‌ଡିଭିଜନ୍ ଓ ତହସିଲ ଅଞ୍ଚଳର ସ୍ଥାବର ସମ୍ପତ୍ତି ମୂଲ୍ୟକୁ ଶତ ପ୍ରତିଶତରୁ ଅଧିକ ବୃଦ୍ଧି କରିବା ଜିଲ୍ଲାସ୍ତରୀୟ ମୂଲ୍ୟାୟନ କମିଟି (ଡିଏଲ୍‌ଭିସି) କ୍ଷମତା ବାହାରେ। ଡିଏଲ୍‌ଭିସି ପକ୍ଷରୁ ଦୁଇ ବର୍ଷରେ ଥରେ ଜମିର ବେଞ୍ଚ୍‌ମାର୍କ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ।

Orissa High Court

Orissa High Court Photograph: (sambad.in )

କଟକ: ଜିଲ୍ଲାର ବିଭିନ୍ନ ସବ୍‌ଡିଭିଜନ୍ ଓ ତହସିଲ ଅଞ୍ଚଳର ସ୍ଥାବର ସମ୍ପତ୍ତି ମୂଲ୍ୟକୁ ଶତ ପ୍ରତିଶତରୁ ଅଧିକ ବୃଦ୍ଧି କରିବା ଜିଲ୍ଲାସ୍ତରୀୟ ମୂଲ୍ୟାୟନ କମିଟି (ଡିଏଲ୍‌ଭିସି) କ୍ଷମତା ବାହାରେ। ଡିଏଲ୍‌ଭିସି ପକ୍ଷରୁ ଦୁଇ ବର୍ଷରେ ଥରେ ଜମିର ବେଞ୍ଚ୍‌ମାର୍କ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। କମିଟି ବେଞ୍ଚ୍‌ମାର୍କ ମୂଲ୍ୟ ସଂଶୋଧନ ମାଧ୍ୟମରେ ନିର୍ଦ୍ଧାରଣ କରିବା ପାଇଁ କ୍ଷମତାପ୍ରାପ୍ତ। ପ୍ରତିଶତ ଦ୍ବାରା ବେଞ୍ଚ୍‌ମାର୍କ ମୂଲ୍ୟ ବୃଦ୍ଧି ପାଇଁ ଡିଏଲ୍‌ଭିସିକୁ ଆଇନ କ୍ଷମତା ଦେଇ ନାହିଁ। ଯେତେବେଳେ ଅବଧି ପୂରଣ ପୂର୍ବରୁ ଡିଏଲ୍‌ଭିସି ଆଇନ ଅନୁସାରେ ସଂଶୋଧନ ମାଧ୍ୟମରେ ବେଞ୍ଚ୍‌ମାର୍କ ମୂଲ୍ୟାଙ୍କନ ସ୍ଥିର କରିବାରେ ବିଫଳ ହୁଏ ସେତେବେଳେ ଡିଏଲ୍‌ଭିସିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ହିଁ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ବେଞ୍ଚ୍‌ମାର୍କ ମୂଲ୍ୟ ବୃଦ୍ଧି କରିପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମନୋରଂଜନ ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। 

ଏଥିସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ତହସିଲ ଓ ସବ୍‌ଡିଭିଜନ ଅନ୍ତର୍ଗତ ଗ୍ରାମ ଓ ଅଞ୍ଚଳର ସ୍ଥାବର ସମ୍ପତ୍ତିର ବେଞ୍ଚ୍‌ମାର୍କ ମୂଲ୍ୟ ବୃଦ୍ଧି ସଂପର୍କିତ ଡିଏଲ୍‌ଭିସି ଓ ସବ୍‌ଡିଭିଜନାଲ ମୂଲ୍ୟାୟନ କମିଟି ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ତହସିଲ ଓ ସବ୍‌ଡିଭିଜନରେ ୨୦୨୪-୨୬ ବର୍ଷ ପାଇଁ ବେଞ୍ଚ୍‌ମାର୍କ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡ଼ିଶା ଷ୍ଟାମ୍ପ ନିୟମାବଳୀ, ୧୯୫୨ର ନିୟମ ୩୭ ଅନୁସାରେ ଡିଏଲ୍‌ଭିସି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନି ମାସ ଭିତରେ ସଂଶୋଧିତ ବେଞ୍ଚ୍‌ମାର୍କ ମୂଲ୍ୟ ସ୍ଥିର ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ। ଏହି ସମୟ ପର୍ଯ୍ୟନ୍ତ ପ୍ରଦତ୍ତ କ୍ଷମତା ବଳରେ ଜିଲ୍ଲାପାଳ ପୂର୍ବ ବେଞ୍ଚ୍‌ମାର୍କ ମୂଲ୍ୟରେ ୧୦ପ୍ରତିଶତ ୭ ଦିନ ଭିତରେ ବୃଦ୍ଧି କରି ପାରିବେ। ଯଦି ୭ ଦିନ ଭିତରେ ଏପରି ମୂଲ୍ୟ ବୃଦ୍ଧି ସଂପର୍କିତ ଚିଠି ଜିଲ୍ଲାପାଳଙ୍କ ନିକଟରୁ ଗଞ୍ଜାମ ଜିଲ୍ଲା ରେଜିଷ୍ଟ୍ରାର ଓ ସବ୍-ରେଜିଷ୍ଟ୍ରାରଙ୍କ ନିକଟରେ ନ ପହଞ୍ଚେ ତେବେ ଡିଏଲ୍‌ଭିସିର ସାନି ଅନୁମୋଦିତ ବେଞ୍ଚ୍‌ମାର୍କ ମୂଲ୍ୟ ସଂପର୍କରେ ଅବଗତ ହେବା ପର୍ଯ୍ୟନ୍ତ ୨୦୨୨-୨୪ ପାଇଁ ଡିଏଲ୍‌ଭିସି ଧାର୍ଯ୍ୟ କରିଥିବା ବେଞ୍ଚ୍‌ମାର୍କ ମୂଲ୍ୟ ଆଧାରରେ କବଲା ପଞ୍ଜୀକରଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe