କଟକ: ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍‌) ଗ୍ରୁପ-ବି ଅଧିକାରୀଙ୍କ ୨୦୨୫ ଜୁନ ୨୫ର ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ଓଆର୍‌ଏସ୍‌ ନିୟମାବଳୀ, ୨୦୧୧ ଅନୁସାରେ ପ୍ରସ୍ତୁତ ହୋଇ ନ ଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ପ୍ରକାଶ ପୂର୍ବରୁ ଚିଠା ତାଲିକାକୁ ନେଇ ଆବେଦନକାରୀ ଦାଖଲ କରିଥିବା ଆପତ୍ତି ଉପରେ କଣ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ଆଧାରରେ କୌଣସି ଅଗ୍ରଗତି ହେବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୬ ଜାନୁଆରି ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜ‌ଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରଣଜିତ କୁମାର ଦାଶ ଓ ଧନଞ୍ଜୟ ସାହୁଙ୍କ ତରଫରୁ ଦାୟର ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

Advertisment

Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

ମାମଲାର ବିବରଣୀରୁ ପ୍ରକାଶ ଯେ ଓଆର୍‌ଏସ୍‌ ଗ୍ରୁପ-ବି ଅଧିକାରୀଙ୍କୁ ଓଏଏସ୍‌ ପଦକୁ ପଦୋନ୍ନତି ପ୍ରଦାନ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଓଆର୍‌ଏସ୍‌ ଗ୍ରୁପ-ବି ଅଧିକାରୀଙ୍କ ପ୍ରୋଭିଜନାଲ୍‌ ଗ୍ରେଡେସନ୍‌ ତାଲିକା ୨୦୨୫, ଜାନୁଆରି ୧୭ରେ ପ୍ରକାଶ ପାଇଥିଲା। ଏହି ତାଲିକା ତ୍ରୁଟିପୂର୍ଣ୍ଣ ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଓଆର୍‌ଏସ୍‌ ନିୟମାବଳୀର ନିୟମ-୮ର ଉଲ୍ଲଂଘନ କରାଯାଇ କମ୍‌ ସ୍କେଲ୍‌ ଅଫ୍ ପେ ଥିବା ଅଧିକାରୀଙ୍କୁ ଅଧିକ ସ୍କେଲ୍‌ ଅଫ୍ ପେ ଥିବା ଅଧିକାରୀଙ୍କ ଉପରେ ସ୍ଥାନ ଦିଆଯାଇଛି ବୋଲି ଦର୍ଶାଇ ଆବେଦନକାରୀ ଫେବ୍ରୁଆରି ୩ରେ ଲିଖିତ ଆପତ୍ତି ଦାଖଲ କରିଥିଲେ। କିନ୍ତୁ ଆବେଦନକାରୀଙ୍କ ଆପତ୍ତିକୁ ବିଚାରକୁ ନ ନେଇ ଜୁନ ୨୫ରେ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ପ୍ରକାଶ କରାଯାଇଥିଲା। ପ୍ରୋଭିଜନାଲ୍‌ ତାଲିକା ସହିତ ପ୍ରାୟତଃ ଏହି ଚୂଡ଼ାନ୍ତ ତାଲିକା ସମାନ ଥିଲା ବୋଲି ଆବେଦନକାରୀ ଜାଣିବାକୁ ପାଇଥିଲେ। ଏଭଳି ଗ୍ରେଡେସନ୍‌ ତାଲିକା ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଛନ୍ତି।

Horoscope 2025 December 19: ଜାଣନ୍ତୁ ଆଜିର ରାଶିଫଳ