New Indian Express
କଟକ : ହାଇକୋର୍ଟରେ ମାମଲା ଦାଖଲ ସମୟରେ ସ୍ଥାନୀୟ ଭାଷାରେ ଲେଖାଥିବା ଦସ୍ତାବିଜ୍ର ଇଂରାଜୀ ଅନୁବାଦ ଦାଖଲ ସଂପର୍କିତ ନିର୍ଦ୍ଦେଶନାମା ସ୍ଥଗିତ ରଖାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏ ସଂପର୍କିତ ନିର୍ଦ୍ଦେଶନାମା ସ୍ଥଗିତ ରଖାଯାଇଛି ବୋଲି ଆଜି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ୍ ଅନ୍ତରୀଣ କମିଟି ଅନୁରୋଧ ଓ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରି ୨୫ରେ ହାଇକୋର୍ଟଙ୍କ ପକ୍ଷରୁ ଜାରି ଷ୍ଟାଣ୍ଡିଂ ଅର୍ଡର୍ରେ ସ୍ପଷ୍ଟ କରାଯାଇଥିଲା ଯେ ଦାଖଲ କରାଯାଉଥିବା ସମସ୍ତ ପିଟିସନରେ ଆଇନଜୀବୀଙ୍କ ସଂପୂର୍ଣ୍ଣ ନାଁ କ୍ୟାପିଟାଲ ଲେଟରରେ ଉଲ୍ଲେଖ କରାଯିବ। ନାଁ ସହିତ ସଂପୃକ୍ତ ଆଇନଜୀବୀଙ୍କ ଏନରୋଲ୍ମେଣ୍ଟ ନମ୍ବର ମଧ୍ୟ ପିଟିସନରେ ଉଲ୍ଲେଖ କରାଯିବ। ସବୁ ଓକିଲାତିନାମାରେ ମଧ୍ୟ କ୍ୟାପିଟାଲ ଲେଟରରେ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ନାଁ ସହିତ ଏନରୋଲ୍ମେଣ୍ଟ ନମ୍ବର ଓ ମୋବାଇଲ ଫୋନ୍ ନମ୍ବର ଲେଖାଯିବ। ଏଥିସହିତ ମାମଲା ଦାୟର ସମୟରେ ସ୍ଥାନୀୟ ଭାଷାରେ ଲେଖାଥିବା ଡକୁମେଣ୍ଟର ଇଂରାଜୀ ଅନୁବାଦ ଦାଖଲ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ପୂର୍ବରୁ ଦାଖଲ କରାଯାଉଥିବା ଆବେଦନ ସହିତ କୌଣସି ସ୍ଥାନୀୟ ଭାଷାର ଡକୁମେଣ୍ଟ ସଂଲଗ୍ନ ଥିଲେ ସଂପୃକ୍ତ ଡକୁମେଣ୍ଟର ଇଂରାଜୀ ଅନୁବାଦ ପରବର୍ତ୍ତୀ ସମୟରେ ମାମଲା ଶୁଣାଣି ବେଳେ ବା ଆବଶ୍ୟକ ବେଳେ ଦାଖଲ କରାଯିବ ବୋଲି ଅଣ୍ଡରଟେକିଂ ଦିଆଯାଉଥିଲା। ଏ ସଂପର୍କିତ ଅଣ୍ଡରଟେକିଂ/ମେମୋ ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଉଥିଲା। ଅନ୍ୟପକ୍ଷରେ ମାମଲା ଦାୟର ସମୟରେ ଇଂରାଜୀ ଅନୁବାଦ ଦାଖଲ ସଂପର୍କିତ ନିୟମକୁ କେତେକ ଆଇନଜୀବୀ ବିରୋଧ କରିଥିଲେ। ହାଇକୋର୍ଟ ବାର୍ ଆସୋସିଏସନ୍ ଅନ୍ତରୀଣ କମିଟିରେ ଆଲୋଚନା କରାଯିବା ପରେ ଏ ସଂପର୍କିତ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିବା ଦାବି ସଂପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
Follow Us