ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ: ଶହେ ଗଛ ଲଗାଇବେ, ୨ ବର୍ଷ ରକ୍ଷଣାବେକ୍ଷଣ କରିବେ

ମାଲକାନଗିରି ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ଜାମିନ ଦେବା ସହିତ ଶହେ ବୃକ୍ଷରୋପଣ ଭଳି ନିଆରା ସର୍ତ୍ତାରୋପ କରିଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ଅଭିଯୁକ୍ତ ନିଜ ଗ୍ରାମ ଆଖପାଖ ଅଞ୍ଚଳରେ...

fdfhfhth

କଟକ: ମାଲକାନଗିରି ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ଜାମିନ ଦେବା ସହିତ ଶହେ ବୃକ୍ଷରୋପଣ ଭଳି ନିଆରା ସର୍ତ୍ତାରୋପ କରିଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ଅଭିଯୁକ୍ତ ନିଜ ଗ୍ରାମ ଆଖପାଖ ଅଞ୍ଚଳରେ ଶହେ ଆମ୍ବ, ନିମ୍ବ, ତେନ୍ତୁଳି ଇତ୍ୟାଦି ଗଛ ଲଗାଇବେ। ସରକାରୀ/ଗୋ‌ଷ୍ଠୀ/ଘରୋଇ ଜମିରେ ଆବେଦନକାରୀ ଗଛ ଲଗାଇ ପାରିବେ। ଜିଲ୍ଲା ନର୍ସରି/ଡିଏଫ୍‌ଓ ତାଙ୍କୁ ଆବଶ୍ୟକ ଚାରା ଯୋଗାଇବା ପ୍ରସଙ୍ଗରେ ସହାୟତା କରିବେ। ଆବେଦନକାରୀ ଚାରା ରୋପଣ କରିଲେ କି ନାହିଁ ତାହା ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ତଦାରଖ କରିବେ। ସେହିପରି ଚାରା ରୋପଣ କରିବା ପରେ ଆବେଦନକାରୀ ଏ ନେଇ ଏକ ସତ୍ୟପାଠ ସ୍ଥାନୀୟ ଥାନାରେ ଦାଖଲ କରିବେ। ଲଗାଇଥିବା ଚାରାଗୁଡ଼ିକର ୨ ବର୍ଷ ରକ୍ଷଣାବେକ୍ଷଣ କରିବା ନେଇ ଆବେଦନକାରୀ ପ୍ରତିଶ୍ରୁତି ଦେବା ସହିତ ଏ ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆବେଦନକାରୀ ପ୍ରତି ସୋମବାର ସ୍ଥାନୀୟ ଥାନାରେ ଦିନ ୧୦ଟାରୁ ଗୋଟାଏ ମଧ୍ୟରେ ହାଜର ହେବେ। ଜାମିନରେ ଥିବା ବେଳେ କୌଣସି ଆପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ଓ ସାକ୍ଷ୍ୟପ୍ରମାଣକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଆବେଦନକାରୀଙ୍କ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ମଳ ସାନାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ସେପ୍ଟେମ୍ବର୍‌ ୨୨ରେ ମାଲକାନଗିରିରୁ କାଲିମେଳା ଯାଉଥିବା ଏକ କାର୍‌ର ଇଂଜିନ୍‌ରେ ସକାଳ ସାଢେ ୧୦ଟାରେ ନିଆଁ ଲାଗିଯାଇଥିଲା। କାର୍ ଚାଳକ ଗାଡ଼ି ଛାଡ଼ି ପଳାଇ ଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଳି ଯାଇଥିବା କାର୍ ଭିତରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜାଣିବାକୁ ପାଇଥିଲା। ପୁଲିସ ଜଳି ଯାଇଥିବା କାର୍ ଓ ଗଞ୍ଜେଇ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା। ୨୦୨୪ ନଭେମ୍ବର ୫ରେ ଆବେଦନକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe