ହାଇକୋର୍ଟଙ୍କ ନିଆରା ସର୍ତ୍ତ; ଦୁଇ ମାସ ବ୍ୟାଙ୍କ ପରିସର ସଫେଇ କରିବେ ଅଭିଯୁକ୍ତ

ଜାଲିଆତି କରି ବ୍ୟାଙ୍କରୁ ଋଣ ନେବା ଓ ବେଆଇନ ଭାବେ ବନ୍ଧକ ସଂପତ୍ତି ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ମହିଳାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ କରିଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ମହିଳା କଟକ...

OH

କଟକ: ଜାଲିଆତି କରି ବ୍ୟାଙ୍କରୁ ଋଣ ନେବା ଓ ବେଆଇନ ଭାବେ ବନ୍ଧକ ସଂପତ୍ତି ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ମହିଳାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ କରିଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ମହିଳା କଟକ ଲିଙ୍କ୍‌ରୋଡ୍‌ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖା ପରିସରକୁ ଦୁଇ ମାସ ସଫେଇ କରିବେ। ସକାଳ ୮ଟାରୁ ୧୦ଟା ଭିତରେ ଆବେଦନକାରୀ ବ୍ୟାଙ୍କ ପରିସର ସଫେଇ କାର୍ଯ୍ୟ କରିବେ। ଏଥି ପାଇଁ ଆଇସିଆଇସିଆଇ ବ୍ୟାଙ୍କକୁ ଆବେଦନକାରୀ ଅନୁରୋଧ କରିବେ।  ଜାମିନରେ ଥିବାବେଳେ ଆବେଦନକାରୀ କୌଣସି ଆପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ। ସାକ୍ଷ୍ୟପ୍ରମାଣକୁ ପ୍ରଭାବିତ କରିବା ଭଳି ଆବେଦନକାରୀ କୌଣସି କାର୍ଯ୍ୟ କରିବେ ନାହିଁ। ଏଥି ସହିତ ନିମ୍ନ ଅଦାଲତ ମଧ୍ୟ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଓ ଅନ୍ୟ ଜଣେ ବ୍ୟକ୍ତି କେତେକ ଆବାସିକ ସଂପତ୍ତି ବନ୍ଧକ ଦେଇ ବ୍ୟାଙ୍କରୁ ଋଣ ନେଇଥିଲେ। ଦ୍ବିତୀୟ ବ୍ୟକ୍ତି ଜଣକ ଏଥିରୁ ଗୋଟିଏ ସଂପତ୍ତିକୁ ଜଣଙ୍କୁ ବିକ୍ରି କରିଥିଲେ। ପରବର୍ତ୍ତୀ ସମୟରେ ଏହି ସଂପତ୍ତି ଅନ୍ୟ ଏକ ବ୍ୟାଙ୍କରେ ବନ୍ଧକ ଦିଆଯାଇଥିବା ଜଣାପଡ଼ିଥିଲା।  କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା।  ଅଭିଯୁକ୍ତଙ୍କୁ ଫେବ୍ରୁଆରି ୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe