ବିଧାନସଭା ଶେଷ ପରେ ବି ହାଇଡ୍ରାମା

Advertisment

ସରକାର, ବାଚସ୍ପତିଙ୍କୁ ବିଜେପିର ଟାର୍ଗେଟ

ସରକାର, ବାଚସ୍ପତିଙ୍କୁ ବିଜେପିର ଟାର୍ଗେଟ

ବିଧାନସଭା ଶେଷ ପରେ ବି ହାଇଡ୍ରାମା

ତରବରିଆ ଭାବେ ୬ଟି ବିଲ୍ ପାରିତ କରାଇଛନ୍ତି
ଅନୁମୋଦନ ନ କରିବା ଲାଗି ରାଜ୍ୟପାଳଙ୍କୁ କହିଲେ
ଧାରଣାରତ ବିଧାୟକଙ୍କୁ ଭେଟିଥିଲେ ନରସିଂହ

ଭୁବନେଶ୍ବର : ରାତିତମାମ ବିଜେପି ବିଧାୟକମାନେ ବିଧାନସଭା ସାମ୍ନାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିରହିଥିଲେ। ସକାଳେ ଦଳର ସହ ପ୍ରଭାରୀ ବିଜୟପଲ୍ ସିଂ ତୋମାର୍‌ ସେମାନଙ୍କୁ ଧାରଣାରୁ ଉଠାଇଲେ। ପରେ ଦଳୀୟ କାର୍ଯ୍ୟାଳୟରେ ଗଣମାଧ୍ୟମ ସାମ୍ନାରେ ଗୃହ ପରିଚାଳନା ଅବ୍ୟବସ୍ଥା ଓ ସରକାରଙ୍କ ଭୂମିକା ସଂପର୍କରେ ବର୍ଷିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ବିଜେପି ବିଧାୟକମାନେ। ଆଉ ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ବିରୋଧୀ ଦଳ ନେତା ଅଭିଯୋଗ କରିଥିଲେ ଯେ ଶନିବାର ତରବରିଆ ଭାବେ ଛଅଟି ବିଲ୍ ପାରିତ କରାଯାଇଛି। ଗୃହରେ ମୁଖ୍ୟ ବିରୋଧୀ ଦଳକୁ ଅଣଦେଖା କରାଯାଇଛି ଏବଂ ସବୁ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଅଗଣତାନ୍ତ୍ରିକ ଭାବେ ସରକାର ବିଲ୍ ପାସ୍ କରାଇ ନେଇଛନ୍ତି। ରାଜ୍ୟପାଳ ଏସବୁ ବିଲ୍‌କୁ ଅନୁମୋଦନ ନ ଦେଇ ଫେରାଇ ଦିଅନ୍ତୁ। ଏହାର ପୁନର୍ବିଚାର କରାଯାଉ।

ଶନିବାର ସନ୍ଧ୍ୟାରେ ଚପଲ ଫିଙ୍ଗା ଘଟଣାରେ ବିଜେପିର ତିନି ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିଥିଲେ। ପରେ ବିଧାନସଭାକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଏହାର ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ବିଜେପି ବିଧାୟକମାନେ କେତେବେଳେ ଅହୋରାତ୍ର ଧାରଣା, କେବେ ସାମ୍ବାଦିକ ସମ୍ମିଳନୀ ପରେ ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ। ସମୁଦାୟ ପ୍ରସଙ୍ଗ ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜଭବନରୁ ଫେରିବା ପରେ ଆହୁରି ପାଦେ ଆଗକୁ ଯାଇ କହିଥିଲେ ଯେ ବାଚସ୍ପତି ଗୋଟିଏ ପାର୍ଟିର ନିର୍ଦେଶରେ ଚାଲିବା ଭଳି ଲାଗିଲା। ସେ ନିରପେକ୍ଷତା ଅବଲମ୍ବନ କଲେ ନାହିଁ।

ଏହା ପୂର୍ବରୁ ବିଜେପି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା ଯେ ବିଧାନସଭାରେ ବିଧେୟକ ପାରିତ ହେବା ସମୟରେ ସାଧାରଣ ବିଧାୟକଙ୍କର ମଧ୍ୟ କହିବାର ଅଧିକାର ରହିଛି। କିନ୍ତୁ ଶନିବାର ପ୍ରଥମ ୨ଟି ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭା ଗୃହରେ ଛିଡା ହେବା ପରେ ମଧ୍ୟ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଲେ ନାହିଁ। ବାଚସ୍ପତି ବିଜେଡି ଦଳର ପ୍ରରୋଚନାରେ ବିରୋଧୀଙ୍କୁ ଖେଳନା ବୋଲି ଭାବୁଛନ୍ତି। ବିନା ବିରୋଧୀ ଦଳ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରୁଥିବା ସମୟରେ ବିଜେପି ପ୍ରତିବାଦ କରିଥିଲା। ବିଜେପି ବିଧାୟକମାନେ ବିଲ୍‌ ସଂପର୍କରେ ମତ ରଖିବା ପାଇଁ ଅନୁମତି ମାଗିଥିଲେ ମଧ୍ୟ ବାଚସ୍ପତି ବିରୋଧ ଦଳର ବିଧାୟକମାନଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ଚଳିତ ବିଧାନସଭା ଅଧିବେଶନରେ ବାଚସ୍ପତି ନିରପେକ୍ଷତା ନୁହେଁ, ବରଂ ଶାସକ ବିଜେଡିର ସଦସ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ। ବାଚସ୍ପତି ବିଧାନସଭାର ଗରିମା ରକ୍ଷା କରିବା ପାଇଁ ନୁହେଁ ବରଂ ଦଳୀୟ ଆଭିମୁଖ୍ୟର କାମ କରୁଛନ୍ତି ବୋଲି ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ।

ବିଜେପି ଆହୁରି କହିଥିଲା, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସି ନିଜ ଦଳୀୟ କାର୍ଯ୍ୟକ୍ରମରେ କଟକ, କଳାହାଣ୍ଡି, ସୁନ୍ଦରଗଡ ଗସ୍ତ କରୁଛନ୍ତି। ସେ ବିଧାନସଭାକୁ ଅପମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେବା ପରେ ବି ମଣ୍ଡିରୁ ଧାନ ଉଠିଲା ନାହିଁ। ଓଡିଶାର ଚାଷୀ ଭାଇଙ୍କ ସ୍ୱାର୍ଥ ପାଇଁ ବିଧାୟକ ସୁବାସ ପାଣିଗ୍ରାହୀ ପ୍ରତିବାଦ କରିବା କଣ ଭୁଲ୍‌? ରାଜ୍ୟବାସୀଙ୍କ ସମସ୍ୟା ଯଥା ଚାଷୀ, ମହିଳା ସୁରକ୍ଷା,ସୀମା ବିବାଦ, ଆଇନ ଶୃଙ୍ଖଳା,ବାଲି, ପଥର ଓ ଖଣି ଖାଦାନର ଦୁର୍ନୀତି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବା ପାଇଁ ବିଜେପି ସର୍ବଦା ବଦ୍ଧପରିକର। ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେପି ସର୍ବଦା ଲଢେଇ ଜାରି ରଖିବ ବୋଲି ବିଜେପି ନେତାମାନେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କେ. ନାରାୟଣ ରାଓ, ନାଉରୀ ନାଏକ, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।

ରବିବାର ସକାଳେ ଧାରଣାରତ ବିଜେପି ବିଧାୟକମାନଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗଣମାଧ୍ୟମକୁ ଶ୍ରୀ ମିଶ୍ର କହିଥିଲେ ଯେ ଗୃହରେ ବିଲ୍‌ ଆଲୋଚନା କରାଯାଇ ପାରିତ କରାଯାଏ। କିନ୍ତୁ ଗତକାଲି ଯେଭଳି ଭାବେ ବିଲ୍‌ ଆଲୋଚନା ନ ହୋଇ ପାରିତ କରାଗଲା ତାକୁ ସେ ମଧ୍ୟ ଗୃହରେ ବିରୋଧ କରିଥିଲେ। କଂଗ୍ରେସ ବିଧାୟକମାନେ ଗୃହ କାର୍ଯ୍ୟରେ ଭାଗ ନ ନେଇ କକ୍ଷତ୍ୟାଗ କରିଥିଲେ। ବାଚସ୍ପତିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ବିଜେପି ବିଧାୟକମାନେ ଯେଉଁ ଧାରଣା ଦେଇଛନ୍ତି ଏହା ସେମାନଙ୍କର ନିଷ୍ପତ୍ତି। ଏଥିରେ ତାଙ୍କର କିମ୍ବା କଂଗ୍ରେସ ଦଳର କିଛି କହିବାର ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe