ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ୍‌ ଜମି ହଡ଼ପ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି ଫେରିନି

ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ୍‌ ଜମି ହଡ଼ପ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି  ଫେରିନି

News Room Odisha

ବଲାଙ୍ଗୀର : ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ୍‌ ଖେଳପଡ଼ିଆ ପାଖାପାଖି ୩ ଏକର ପରିମିତ ଜମିରେ ଅବସ୍ଥିତ। ସେଥିରୁ ଗୋଟିଏ ପ୍ଲଟ୍‌ର ଆୟତନ ୫୮ଡିସିମିଲି। ସେହି ଜମିରେ ଏକ ପୁରୁଣା ହଷ୍ଟେଲ କୋଠା ବି ରହିଛି। କିନ୍ତୁ, ଅନେକ ବର୍ଷ ପୂର୍ବରୁ ସ୍କୁଲର ଦାୟିତ୍ୱ ବୁଝୁଥିବା ତଥା ଶିକ୍ଷକତା କରୁଥିବା ମୃତ୍ୟୁଞ୍ଜୟ ତ୍ରିପାଠୀ ସେହି ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ। ଧରାଧରି କରି ୫୮ ଡିସମିଲ ଜମିରୁ ୩୫ ଡିସମିଲ ଜମି ନିଜ ସ୍ତ୍ରୀ ବିମଳା ତ୍ରିପାଠୀଙ୍କ ନାଁରେ କରାଇ‌ ନେଇଥିଲେ। ଏପରିକି ତାହାର ପଟ୍ଟା ବି ବାହାର କରିଥିଲେ। ଏହାରି ଭିତରେ ସେହି ଜମି ଉପରେ ନିର୍ମାଣ କାମ ବି ଆରମ୍ଭ କରିଥିଲେ, ଯାହାକୁ ସିନ୍ଧେକେଲାବାସୀ ବିରୋଧ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଗାଁ ଲୋକ ସ୍କୁଲ୍‌ ଜମି କେମିତି ଅନ୍ୟ ନାଁକୁ ଗଲା ତାହାର ତଦନ୍ତ କରିବା ପାଇଁ ଏବଂ ସ୍କୁଲ୍‌ ଜମି ସ୍କୁଲ୍‌ ନାଁକୁ ଫେରାଇବାକୁ ଦାବି କରିଥିଲେ।

ଏ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳ ଘଟଣାକୁ ଗୁରୁତ୍ବର ସହ ନେଇଥିଲେ। ତଦନ୍ତରେ ବି ଜଣାପଡ଼ିଥିଲା ସ୍କୁଲ୍‌ ଜମିକୁ ଚଞ୍ଚକତା କରି ହଡ଼ପ କରାଯାଇଛି। ଏଣୁ ଉପଜିଲ୍ଲାପାଳ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ସ୍କୁଲ୍‌ ନାଁକୁ ଜମି ଫେରାଇବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ହେଲେ, ଏଯାଏ ସ୍କୁଲ୍‌ ନାଁକୁ ଜମି ଫେରିନି।
ଏ ନେଇ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କୁ ପଚରାଯିବାରୁ ସିନ୍ଧେକେଲା ହାଇସ୍କୁଲ ଜମି ସରକାରୀ ଖାତାକୁ ଫେରାଇ ଅଣାଯାଇସାରିଛି, ସ୍କୁଲ୍‌ ପକ୍ଷରୁ ଦୁଇ ଚାରି ଦିନ ତଳେ ଆବେଦନ କରାଯାଇଛି, ଆମେ ଯଥା ଶୀଘ୍ର ସେହି ଜମି ସ୍କୁଲ ନାଁକୁ କରାଇବୁ ଓ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe