ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରି କଲେଜଗୁଡ଼ିକରେ ପାଠପଢ଼ା ଯାଞ୍ଚ ପାଇଁ ୧୫ ଜଣ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବ ପ୍ରଦାନ କରିଛି। ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସବୁ କଲେଜ ଯାଞ୍ଚ କରି ଏକ ସପ୍ତାହ ଭିତରେ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଜାରି ହୋଇଥିବା ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ୧୦୧ଟି ଡିଗ୍ରି କଲେଜରେ ଟେଲିକମ୍ୟୁନିକେସନସ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ (ଟସିଆଇଏଲ) ସହାୟତାରେ ଚାଲିଥିବା ଭର୍ଚୁଆଲ କ୍ଲାସରୁମରେ ନିୟମିତ ପାଠପଢ଼ା ଚାଲୁଛି କି ନାହିଁ ତାର ଅନୁଧ୍ୟାନ କରାଯିବ। ଏଥିପାଇଁ ୫ଟି ଟିମରେ ୩ଜଣ ଲେଖାଏଁ ଅଧିକାରୀ ୩୦ଟି ଯାକ ଜିଲ୍ଲା ବୁଲିବେ। ପ୍ରଥମ ଟିମ୍ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଥିବା ୧୭ଟି ଡିଗ୍ରି କଲେଜରେ ପାଠପଢ଼ା ଯାଞ୍ଚ କରିବ। ସେହିପରି ଦ୍ବିତୀୟ ଟିମ୍ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଥିବା ୧୦ଟି କଲେଜରେ ସ୍ଥିତି ଅନୁଧ୍ୟାନ କରିବ। ତୃତୀୟ ଟିମ୍ ଅନୁଗୁଳ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲା ଗସ୍ତ କରି ସେସବୁ ଜିଲ୍ଲାରେ ଥିବା ୩୦ଟି ସରକାରୀ ଡିଗ୍ରି କଲେଜରେ ଭର୍ଚୁଆଲ କ୍ଲାସରୁମ ଜରିଆରେ କିପରି ପାଠପଢ଼ା ଚାଲିଛି ସେସବୁର ତଥ୍ୟ ଅଧିକାରୀମାେନ ସଂଗ୍ରହ କରିବେ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଗସ୍ତ କରି ଚତୁର୍ଥ ଟିମ୍ ସେଠାରେ ଥିବା ୧୧ଟି କଲେଜର ସ୍ଥିତି ଯାଞ୍ଚ କରିବା ସହ ପଞ୍ଚମ ଟିମ୍ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୩୩ଟି ଡିଗ୍ରି କଲେଜରେ ସ୍ମାର୍ଟ ପାଠପଢ଼ା ନେଇ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us