ପରୀକ୍ଷା ପୂର୍ବରୁ ହିନ୍ଦୀ, ସଂସ୍କୃତ ପ୍ରଶ୍ନପତ୍ର ଲିକ୍‌: ପ୍ରଘଟକୁ ଖଣ୍ଡନ କଲେ ନବରଙ୍ଗପୁର ଡିଇଓ

Advertisment

ଜୟପୁର ଉପଖଣ୍ଡରେ ଲାଗୁହେଲା କଟକଣା

ଜୟପୁର ଉପଖଣ୍ଡରେ ଲାଗୁହେଲା କଟକଣା

ପରୀକ୍ଷା ପୂର୍ବରୁ ହିନ୍ଦୀ, ସଂସ୍କୃତ ପ୍ରଶ୍ନପତ୍ର ଲିକ୍‌: ପ୍ରଘଟକୁ ଖଣ୍ଡନ କଲେ ନବରଙ୍ଗପୁର ଡିଇଓ

ନବରଙ୍ଗପୁର/ଜୟପୁର: ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବାର କିଛିସମୟ ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ହିନ୍ଦୀ ଓ ସଂସ୍କୃତ ପ୍ରଶ୍ନପତ୍ର ଲିକ୍‌ ହୋଇଛି। କିଛି ମିନିଟ୍‌ ମଧ୍ୟରେ ସାରାଜିଲ୍ଲାରେ ପ୍ରଶ୍ନପତ୍ର ସହ ଉତ୍ତର ଗୁଡ଼ିକ ଘୂରି ବୁଲିଥିଲା। ଏହି ଘଟଣା ପରେ ଏକ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ନବରଙ୍ଗପୁର ପୌର ହାଇସ୍କୁଲର ପ୍ରଧାନଶିକ୍ଷକ ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି, ଆସନ୍ତାକାଲି ପରୀକ୍ଷାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ବିକ୍ରମପୁର ପରୀକ୍ଷା କେନ୍ଦ୍ରରୁ ଲିକ୍‌ ହୋଇଥିବା ଶୁଣିବାକୁ ମିଳିଥିଲା। ଏହି ପରୀକ୍ଷାକେନ୍ଦ୍ର‌ରେ ପାଚେରି ନଥିବାରୁ କିଛି ବାହାର ପିଲା ଅବାଧରେ ବୁଲାବୁଲି କରୁଥିଲେ। ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ସେଠାରୁ ଚାଲିଯାଇଥିଲେ। ତେବେ, ପ୍ରଶ୍ନପତ୍ର ଲିକ୍‌ ନେଇ ଆଲୋଚନା ହେବାପରେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ତଥା ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମହାପାତ୍ର ସଫେଇ ଦେଇଥିଲେ। ପରୀକ୍ଷାରେ ନିୟୋଜିତ ଶିକ୍ଷକ ଏବଂ କର୍ମଚାରୀଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଥିଲା। ତେଣୁ ଏହି କେନ୍ଦ୍ରରୁ ପ୍ରଶ୍ନପତ୍ର ଆଦୌ ଲିକ୍‌ ହୋଇନଥିବା କହିଥିଲେ। ଅନ୍ୟପକ୍ଷରେ, ପ୍ରଶ୍ନପତ୍ର ପ୍ରଘଟ ନେଇ ଚର୍ଚ୍ଚା ବଢ଼ିବାରୁ ସାଢ଼େ ୯ଟାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ହିନ୍ଦୀ ପ୍ରଶ୍ନପତ୍ର ଯଦିଓ ମେଳ ଖାଉଛି, ତେବେ ଏହି କେନ୍ଦ୍ରରୁ ଲିକ୍‌ ହୋଇନଥିବା ଡିଇଓ ପ୍ରଥମେ କହିଥିଲେ। ଏହାସତ୍ତ୍ବେ ବି ପରୀକ୍ଷା ସରିବା ପରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ମୋବାଇଲ୍‌ ଯାଞ୍ଚ କରାଯାଇଥିଲା। ତଦନ୍ତ ପ୍ରକ୍ରିୟାରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଚିତ୍ତରଂଜନ ପଟ୍ଟନାୟକ ସାମିଲ ଥିଲେ। ଏହାପରେ ପରୀକ୍ଷାକେନ୍ଦ୍ର ଅଧୀକ୍ଷକଙ୍କୁ ହଟାଯାଇଥିବା ଜଣାପଡ଼ିଛି। ସେହିପରି, ସଂସ୍କୃତ ପ୍ରଶ୍ନପତ୍ରର ଯେଉଁ ଉତ୍ତର ଭାଇରାଲ ହୋଇଥିଲା ତାହାକୁ ମଧ୍ୟ ଯାଞ୍ଚ କରାଯାଉଛି। ମୋବାଇଲ୍‌ଗୁଡ଼ିକୁ ମଧ୍ୟ ଯାଞ୍ଚ ପରିସରଭୁକ୍ତ କରାଯାଇଛି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଥିବା ଡିଇଓ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ନବରଙ୍ଗପୁର ଜିଲ୍ଲାରେ ପ୍ରଶ୍ନପତ୍ର ପ୍ରଘଟ ପରେ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ପରୀକ୍ଷା କେନ୍ଦ୍ର ପାଇଁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ପରୀକ୍ଷା କେନ୍ଦ୍ର ଠାରୁ ୨କିଲୋମିଟର ପରିଧି ମଧ୍ୟରେ ରହିଥିବା ସମସ୍ତ ଜେରକ୍ସ ଦୋକାନ ଗୁଡ଼ିକୁ ଆସନ୍ତା ୨୦ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ ଦୋକାନ ସିଲ୍‌ ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟପୁର ଉପଜିଲ୍ଲାପାଳ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe