ନୂଆପଡ଼ା : ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୫୦ ବର୍ଷ ଧରି ଜଙ୍ଗଲକୁ ଯୋଗାଇ ଆସୁଛନ୍ତି ସୁରକ୍ଷା। କାନ୍ଧରେ ଟାଙ୍ଗିଆଟିଏ ଧରି ଏ ମୁଣ୍ଡରୁ ସେ ମୁଣ୍ଡ ପଇଁତରା ମାରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେ ହେଉଛନ୍ତି ଜଣେ ଆଦିବାସୀ ମହିଳା। ୬୮ବର୍ଷ ବୟସରେ ପଦାର୍ପଣ କରିଥିବା ଏହି ଆଦିବାସୀ ମହିଳା ହେଉଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କାପସି ଗାଁର ହୀରାଦ୍ରି ମାଝୀ।
ଏଠାକାର ୧୧ ଏକରରୁ ଊର୍ଦ୍ଧ୍ବ ଅଞ୍ଚଳରେ ପରିବ୍ୟାପ୍ତ କରାଡୁଙ୍ଗରୀ ସଂରକ୍ଷିତ ଜଙ୍ଗଲ ସହ ହୀରାଦ୍ରିଙ୍କର ସଂପର୍କ ଅତି ନିବିଡ଼। ଏଇଥିପାଇଁ ଅଞ୍ଚଳବାସୀଙ୍କ ନିକଟରେ ସେ ‘ଜଙ୍ଗଲରାଣୀ’ ଭାବରେ ବେଶ୍ ପରିଚିତ। ପରିଣତ ବୟସରେ ବି କାନ୍ଧରେ ଟାଙ୍ଗିଆ, ଅଣ୍ଟାରେ ଗାମୁଛା ବାନ୍ଧି ପ୍ରତିଦିନ ଜଙ୍ଗଲ ଅଭିମୁଖେ ବାହାରିଯା’ନ୍ତି ହୀରାଦ୍ରି। ସିଏ ହେଉଛନ୍ତି ଏ ଅଞ୍ଚଳର ସବୁଜ ସେନାନୀ। ସୂଚନା ଅନୁସାରେ, ତାଙ୍କ ପାଇଁ କରାଡୁଙ୍ଗରୀ ଜଙ୍ଗଲ ଉପରେ କାଠମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିନି ।
ହୀରାଦ୍ରିଙ୍କ ସମ୍ପର୍କରେ ସିନାପାଲି ରେଞ୍ଜ ଅଫିସର ମୁରାରୀ ପ୍ରସାଦ ପଣ୍ଡା କହିଛନ୍ତି, ତାଙ୍କ ବିଷୟରେ ଆମେ ସବୁ ଜାଣିଛୁ ଏବଂ ବିଭିନ୍ନ ସମୟରେ ତାଙ୍କୁ ପ୍ରକୃତିପ୍ରେମୀ ମଧ୍ୟ ଘୋଷଣା କରିଛୁ। ଆଗାମୀ ଦିନରେ ହୀରାଦ୍ରି କିଭଳି ଭଲରେ ଗୁଜୁରାଣ ମେଣ୍ଟାଇପାରିବେ, ସେ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
Follow Us