ସମ୍ବଲପୁର: ହୀରାକୁଦ ଗେଟ୍ ଖୋଲିବା ସହ ସମ୍ବଲପୁରରେ ବଢ଼ୁଛି ସମସ୍ୟା। ୨୬ ଗେଟ ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଜଳସ୍ତର ବଢ଼ୁଛୁ। ଅନ୍ୟପଟେ ସହର ଭିତରକୁ ପାଣି ପଶିବା ଭୟ ଥିବାରୁ ସହରକୁ ଜଳ ନିଷ୍କାସନ ପଥକୁ ବନ୍ଦ କରିଦିଆଯାଇଛି। ବିଭିନ୍ନ ସ୍ଥାନରେ ପମ୍ପ ଲଗାଯାଇ ପାଣି ନିଷ୍କାସନ କରାଯାଉଛି। ସହରରୁ ନିଷ୍କାସନ ପଥ ବନ୍ଦ ଥିବାରୁ ରବିବାର ଦିନ ସମୟରେ ସ୍ବଳ୍ପ ବର୍ଷା ସତ୍ତ୍ବେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଛି। ହୀରାକୁଦ କଲୋନି ସ୍ଥିତ ବସ୍ତି ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ବେଳେ ଲୋକଙ୍କୁ ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି) ପକ୍ଷରୁ ୭ଟି ସ୍ଥାନରେ ଥଇଥାନ କରାଯାଇଛି।
ତେବେ ଲୋକଙ୍କୁ ଥଇଥାନ କରାଯାଇଥିବା ଆଶ୍ରୟ ସ୍ଥଳିରେ ଏବେ ଦୁଃଖ ଓ ନିରାଶାର କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। କାହାକୁ ଖାଇବା ପାଇଁ ଠିକ୍ରେ ଦିଆଯାଉନି ତ କେଉଁଠାରେ ଶୌଚାଳୟର ଅବସ୍ଥା ସାଙ୍ଘାତିକ। ଆଉ କିଏ ତା ଘର ଭିତରେ ବୁଡ଼ିଯାଇଥିବା ସାମଗ୍ରୀ କଥା ଭାବି ଚିନ୍ତାରେ ରହିଛନ୍ତି।
୪ ଜଣଙ୍କୁ ୨୫୦ ଗ୍ରାମ୍ ଚୁଡ଼ା !
ବନ୍ୟା ଆଶ୍ରୟ ସ୍ଥାଳ ସହ ବିଭିନ୍ନ କଲ୍ୟାଣ ମଣ୍ଡପକୁ ମିଶାଇ ଏସ୍ଏମ୍ସି ପକ୍ଷରୁ ମୋଟ ଉପରେ ୭ଟି ସ୍ଥାନରେ ଲୋକଙ୍କୁ ଥଇଥାନ କରାଯାଇଛି। ତେବେ ଏହି ଥଇଥାନା ସ୍ଥାନଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଠିକ୍ରେ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଗୋଟିଏ ପରିବାରର ୪ ଜଣଙ୍କୁ ୨୫୦ରୁ ୩୦୦ ଗ୍ରାମ ଚୁଡ଼ା ଜଳଖିଆ ପାଇଁ ଦେଇଦିଆଯାଇଛି। ଯାହାକୁ ୪ ଜଣ ଖାଇବା ସମ୍ଭବ ନୁହେଁ। ତେବେ ମିଲ୍ ଠିକ୍ ଠାକ୍ ଦିଆଯାଉଥିବା ଥଇଥାନ ହୋଇଥିବା ଲୋକେ କହିଛନ୍ତି। ଜଳଖିଆ ବାଟମାରଣା ହେଉଥିବା କିଛି ଲୋକ ଅଭିଯୋଗ ଆଣିଛନ୍ତି। ଯେଉଁ କାରଣରୁ ଅନେକଙ୍କୁ ଠିକ୍ ଭାବେ ରବିବାର ସକାଳେ ଜଳଖିଆ ମିଳି ନଥିବା ଅଭିଯୋଗ କରିଛନ୍ତି।
ଲୋକଙ୍କୁ ଦିଆଗଲାନି ସୂଚନା, ପାଣିରେ ବୁଡ଼ିଗଲା ବହୁ ସାମଗ୍ରୀ
/sambad/media/post_attachments/wp-content/uploads/2022/08/13-9.jpg)
ଜିଲ୍ଲା ପ୍ରଶାସନ ବା ଏସ୍ଏମ୍ସି ପକ୍ଷରୁ ବିନାଖଣ୍ଡି ଠାରେ ନିଷ୍କାସନ ପଥ ବନ୍ଦ କରାଯିବା ନେଇ କୌଣସି ସୂଚନା ଦିଆଗଲା ନାହିଁ। ଫଳରେ ଘରେ ପାଣି ପଶିବା ପରେ ଲୋକେ ଏହା ଜାଣିବାକୁ ପାଇଥିଲେ। ତେବେ ସେତବେଳକୁ ପାଣି ଆଣ୍ଠୁଏ। କଣ ଜିନିଷ ବାହାର କରିବେ, କଣ ଛାଡ଼ିଦେଲେ ନଷ୍ଟ ହୋଇଯିବ ଭାବିବା ବେଳକୁ ଘର ଭିତରେ ୪ ଫୁଟର ପାଣି ହୋଇସାରିଥିଲା। ଯେଉଁ କାରଣରୁ ଲୋକେ ଜିନିଷପତ୍ର ଛାଡ଼ି ଜୀବନ ବଞ୍ଚାଇ ଘର ଛାଡ଼ି ଦେଇଥିଲେ। ଛୋଟ ପିଲାଙ୍କ ପାଠପଢ଼ା ସାମଗ୍ରୀ ଠାରୁ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ପାଣିରେ ବୁଡ଼ି ଯାଇଛି। ପ୍ରାରମ୍ଭିକ ସୂଚନା ଦିଆଯାଇ ନଥିବା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି। ପ୍ରଶାସନ ପକ୍ଷରୁ କ୍ଷତିପୂରଣ ବ୍ୟବସ୍ଥା କରାଯାଉବୋଲି ଲୋକେ ଦାବି କରିଛନ୍ତି।
ଶୌଚାଳୟ ଅବସ୍ଥା ଶୋଚନୀୟ
ବିନାଖଣ୍ଡି ବନ୍ୟା ଆଶ୍ରୟ ସ୍ଥଳରେ ଶୌଚାଳୟ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଲୋକେ ବାଧ୍ୟ ହୋଇ ତାକୁ ବ୍ୟବହାର କରୁଛନ୍ତି। ଶୌଚାଳୟରେ ଫିନାଇଲ୍ ତ ଦୂରର କଥା ବ୍ଲିଚିଂ ପାଉଡର୍ ଟିକେ ବି ଦିଆଯାଇନାହିଁ। ଛୋଟ ଛୋଟ ପିଲାମାନେ ଥିବାରୁ ସଂକ୍ରମଣ ଭୟ ରହୁଥିବା ଲୋକେ କହିବା ସହ କିଛି ନହେଲେ ବ୍ଲିଚିଂ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଲଗାଣ ବର୍ଷାରେ କଚେରି ଛକରେ ଥିବା ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ଘର ଉପରୁ ବାହାର କରିଥିଲେ। ମାଳତୀ ଜୋର୍ ପୋଲ ଉପରେ ବନ୍ୟା ଜଳ ରବିବାର ମଧ୍ୟ ପ୍ରବାହିତ ହୋଇଥିଲା। ଯେଉଁ କାରଣରୁ ସମ୍ବଲପୁର-ସୋନପୁର ରାସ୍ତାରେ ରବିବାର ଦିନ ମଧ୍ୟ ସମ୍ବଲପୁର-ସୋନପୁର ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇ ନଥିଲା।
Follow Us