ହୀରାକୁଦ ଜଳଭଣ୍ଡାର ମୂଳ ଲକ୍ଷ୍ୟ ବାଟବଣା

ବହୁତ ପଛରେ ଲକ୍ଷ୍ୟଧାର୍ଯ୍ୟ

ହୀରାକୁଦ ଜଳଭଣ୍ଡାର ମୂଳ ଲକ୍ଷ୍ୟ ବାଟବଣା

ଭୁବନେଶ୍ବର : ଯେଉଁ ଉଦ୍ଦେଶ୍ୟରେ ମହାନଦୀର ହୀରାକୁଦଠାରେ ଜଳଭଣ୍ଡାର ନିର୍ମାଣ କରାଯାଇଥିଲା, ଆଜି ସେହି ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ କରାଯାଇଥିଲା। ଆଜିକୁ ୬୧ ବର୍ଷ ତଳେ ନିର୍ମିତ ହୀରାକୁଦ ଜଳଭଣ୍ଡାର ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ଥିଲା ବେଳେ ଆଜିର ଦିନରେ ଏହି ପୁରୁଣା ଲକ୍ଷ୍ୟ ମଧ୍ୟ ପୂରଣ ସମ୍ଭବ ହୋଇପାରୁନାହିଁ। ଏବେ ହୀରାକୁଦ ଜଳଭଣ୍ଡାର ୧ ଲକ୍ଷ ୫୪ ହଜାର ହେକ୍ଟର ଜମିକୁ ଜଳସେଚିତ କରିପାରୁଛି। ହୀରାକୁଦର ଜଳ ଏବେ ଚାଷୀର କ୍ଷେତ ବଦଳରେ ଶିଳ୍ପ ସଂସ୍ଥାକୁ ଯାଉଛି ବୋଲି ‘ହେନ୍‌ରିଚ୍‌ ବୋଲ୍‌ ଷ୍ଟିଫଟଙ୍ଗ’ ଏବଂ ‘ମହାନଦୀ ରିଭର ୱାଟରକିପର’ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ତଥା ଜଳ ବିଶେଷଜ୍ଞ ରଂଜନ ପଣ୍ଡା ସୂଚନା ଦେଇଛନ୍ତି। ଏହି ଅବସରରେ ‘ମହାନଦୀ ରିଭର ୱାଟରକିପର’ର ଆବାହକ ଶ୍ରୀ ପଣ୍ଡାଙ୍କ ଦ୍ବାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ‘ମହାନଦୀ: କୋଲ୍‌ ରିଚ, ୱାଟର ଷ୍ଟ୍ରେସ୍‌ଡ’ ଲୋକାର୍ପିତ କରାଯାଇଥିଲା। ମହାନଦୀ ଅବବାହିକା ଇବ୍‌ ଉପତ୍ୟକା ଅଞ୍ଚଳରେ ବ୍ୟାପକ କୋଇଲା ଖଣି ଖନନ ଓ ଶିଳ୍ପ‌ାୟନ ଏବଂ ଛତିଶଗଡ଼ରେ ଗଢ଼ି ଉଠିଥିବା ସଂଖ୍ୟାଧିକ ପାୱାର ପ୍ଲାଣ୍ଟ କାରଣରୁ ମହାନଦୀ ବିପନ୍ନ ହୋଇଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।

ଟ୍ରିବ୍ୟୁନାଲ୍‌ ଜରିଆରେ ଓଡ଼ିଶା ଓ ଛତିଶଗଡ଼ ସରକାର ମଧ୍ୟରେ ଚାଲିଥିବା ମହାନଦୀ ବିବାଦର ସମାଧାନ ସମ୍ଭବପର ନୁହେଁ। ବରଂ ଉଭୟ ରାଜ୍ୟ ସରକାର ଆପୋଷ ଆଲୋଚନା ଜରିଆରେ ଏହି ସମସ୍ୟାର ସମାଧାନ କରିପାରନ୍ତେ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ।

ଦୁର୍ଭାଗ୍ୟର ବିଷୟ, ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯାଉଛି। ପ୍ରତ୍ୟେକ ରାଜନୈତିକ ଦଳ ଏଥିରୁ ଭରପୂର ଫାଇଦା ହାସଲ କରିବାରେ ବ୍ୟସ୍ତ ରହୁଛନ୍ତି। ମହାନଦୀର ଅସଲ ସମସ୍ୟା ପଛରେ ରହି ଯାଉଛି। ଉଭୟ ରାଜ୍ୟ କେବଳ ମହାନଦୀର ପାଣି ଉପରେ ନିଜର ଅଧିକାର ନେଇ ଲଢ଼େଇ କରୁଛନ୍ତି। ମାତ୍ର ମହାନଦୀର ସୁରକ୍ଷା ଚିନ୍ତା ଭୁଲି ଯାଇଛନ୍ତି। ନଦୀ କେବେ ପଣ୍ୟ ସାମଗ୍ରୀ ନୁହେଁ। ଏହା ଏକ ପ୍ରାକୃତିକ ସମ୍ବଳ। ମାତ୍ର ମଣିଷକୁ ଏହାକୁ ବ୍ୟାବସାୟିକ ଦୃଷ୍ଟିରେ ବିଚାର କରୁଛି। ଶିଳ୍ପ ସଂସ୍ଥାର ସ୍ବାର୍ଥ ପୂରଣ କରିବାକୁ ଯାଇ ନଦୀରେ ବନ୍ଧ ବନ୍ଧା ଯାଉଛି। ମାତ୍ର ବନ୍ଧ ବାନ୍ଧିକା ହିଁ ନଦୀର ମୃତ୍ୟୁ ପାଇଁ ଦାୟୀ ବୋଲି ବିଶେଷଜ୍ଞମାନେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ହେନ୍‌ରିଚ୍‌ ବୋଲ୍‌ ଷ୍ଟିଫଟଙ୍ଗ’ ପ୍ରୋଗ୍ରାମ କୋ-ଅର୍ଡିନେଟର ସାଦିଆ ସୋହେଲ୍‌, ବିଶିଷ୍ଟ ପରିବେଶବିତ୍‌ ପ୍ରଫେସର ଆର୍ତ୍ତବନ୍ଧୁ ମିଶ୍ର, ‘ହେନ୍‌ରିଚ୍‌ ବୋଲ୍‌ ଷ୍ଟିଫଟଙ୍ଗ’ର କଣ୍ଟ୍ରି ଡାଇରେକ୍ଟର ମାରିଅନ୍‌ ରେଗିନା ମୁଲ୍ଲର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe