ହୀରାକୁଦର ୨୪ ଗେଟ୍ ଖୋଲିଲା, ବଡ଼ ବନ୍ୟା‌ ହେବନି: ଏସ୍‌ଆର୍‌ସି

Advertisment
ହୀରାକୁଦ ଜଳସ୍ତର ୬୦୮ ଫୁଟ୍‌କୁ ଖସି​ଲା

kalingatv.com

ଭୁବନେଶ୍ବର/ସମ୍ବଲପୁର : ମହାନଦୀରେ ବଡ଼ ବନ୍ୟା ଆସିବ ନାହିଁ। ଛୋଟ ବା ମଧ୍ୟମ ଧରଣର ବନ୍ୟାର ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବିଶେଷ କ୍ଷତି ହେବ ନାହିଁ। ଆଜି ଏମିତି ଆଶ୍ବାସନା ଶୁଣାଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର୍ ପ୍ରଦୀପ କୁମାର ଜେନା। ତେବେ ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଛି। ସେଥିପାଇଁ ଆଜି ରାତି ସୁଦ୍ଧା ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲାଯାଇଛି।

ଶ୍ରୀ ଜେନା କହିଛନ୍ତି ଯେ ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଥିଲେ ବି ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି। ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର ହୋଇଥିବାରୁ ଅଧିକ ଗେଟ୍‌ ଖୋଲାଯାଉଛି। ଆଜି ସକାଳେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି।

ବୁଧବାର ସଂଧ୍ୟା ୬ଟା ବେଳେ ହୀରାକୁଦ ଜଳସ୍ତର ୬୨୮.୩୩ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ୩,୧୯,୧୩୧ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେର ୧୨ ଓ ଡାହାଣ ସ୍ପିଲ୍‌ୱେର ୬ଟିକୁ ମିଶାଇ ୧୮ଟି ସ୍ଲୁଇସ୍‌ ଗେଟ୍ ଦେଇ ୨,୯୩,୬୩୪ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲାବେଳେ ପାୱାର୍‌ ଚାନେଲ୍‌ ଦେଇ ୨୧,୭୯୪ କ୍ୟୁସେକ୍‌, ବିଭିନ୍ନ କେନାଲ୍ ଦେଇ ୩,୪୨୧ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ଜଳ ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୭୦ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୧,୯୭,୬୪୫ କ୍ୟୁସେକ୍‌, ଖଇରମାଳଠାରେ ୪ ଲକ୍ଷ ୭୨ ହଜାର କ୍ୟୁସେକ୍‌, ବରମୂଳଠାରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିଠାରେ ୬ ଲକ୍ଷ ୪୩ ହଜାର ୩୯୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ସଂଧ୍ୟା ୭ଟା ବେଳେ ହୀରାକୁଦ ବାମ ସ୍ପିଲ୍‌ୱେର ୨ଟି ଓ ରାତି ୮ଟାବେଳେ ଉଭୟ ସ୍ପିଲ୍‌ୱେର ଆଉ ୨ଟି ଲେଖାଏଁ ଗେଟ୍ ଖୋଲା ଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୦.୮୭ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ଲଗାଣ ବର୍ଷା ପରେ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ଉପରେ ଥିଲେ ବି ଜଳ ପତନ ହ୍ରାସ ପାଇବା ଆରମ୍ଭ କରିଛି। ବ୍ରାହ୍ମଣୀ ବିପଦ ସଙ୍କେତ ତଳେ ରହିଛି। କିନ୍ତୁ ଏଠାରେ ୩ଟି ଛୋଟ ଘାଇ ହୋଇଛି। ଜଳକା ବିପଦ ସଙ୍କେତ ଉପରେ ଥିଲେ ବି ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇ ନାହିଁ। ତେଣୁ ବନ୍ୟା ଆଶଙ୍କା ନାହିଁ। ଯେଉଁ ସବୁ ନଦୀରେ ଜଳ ପତ୍ତନ ଅଧିକ ଥିଲା, ସେସବୁ ନଦୀରେ ସକାଳୁ ଜଳ ପତ୍ତନ ସ୍ଥିର ହୋଇଛି କିମ୍ବା ହ୍ରାସ ପାଉଛି। ଉପର ମୁଣ୍ଡରେ ଆଉ ବର୍ଷା ହେଉ ନ ଥିବାରୁ ବନ୍ୟା ଆଶଙ୍କା ନାହିଁ। ତେବେ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି ଓ ନିଷ୍କାସନ ସମସ୍ୟା ଥିବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ରାଜ୍ୟର କୌଣସି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ଭଳି ସ୍ଥିତି ଉପୁଜି ନାହିଁ। ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳ ପତନ ନିୟନ୍ତ୍ରଣରେ ରଖିବା ଲାଗି ଅଧିକ ଗେଟ୍‌ ଖୋଲାଯାଉଛି। ଯାଜପୁରରେ ଛୋଟ ଘାଇ ହୋଇଛି । ଆଗାମୀ ଲଘୁଚାପ ବର୍ଷା ହେଲେ ବି ମହାନଦୀ, ବୈତରଣୀ ରେ କିଛି ସମସ୍ୟା ନାହିଁ । ଆସନ୍ତା ୨୦ ତାରିଖରେ ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ଯିବା ସାମାନ୍ୟ କମିବ ବୋଲି ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe