ଅନିଶ୍ଚିତତାରେ ହୀରାକୁଦ ଡ୍ୟାମ୍‌ ଅତିରିକ୍ତ ସ୍ପିଲ୍‌ୱେ, ୬ ମାସ ହେଲା ପ୍ରକଳ୍ପ କାମ ସଂପୂର୍ଣ୍ଣ ବନ୍ଦ

ହୀରାକୁଦ ଜଳଭଣ୍ଡାର ପରିଚାଳନା ତ୍ରୁଟିପୂର୍ଣ୍ଣ

Tathya

ଟାଟା ଏଆଇଜି ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ
୩ ମାସ ମଧ୍ୟରେ ନୂଆ ଟେଣ୍ଡର ହେବ: ବିଭାଗୀୟ ଯନ୍ତ୍ରୀ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଅତିରିକ୍ତ ସ୍ପିଲୱେ ପ୍ରକଳ୍ପ ଅଧାରୁ ଟାଟା ଏଆଇଜି ହଟିଯିବା ପରେ ୩୬୯.୫୩ କୋଟି ଟଙ୍କାର ଏହି ପ୍ରକଳ୍ପ ଅନିଶ୍ଚିତତା ଘେରକୁ ଚାଲି ଆସିଛି। କିନ୍ତୁ ସ୍ପିଲୱେର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହିମାଂଶୁ ମିଶ୍ର କହିଛନ୍ତି, ଅତିରିକ୍ତ ସ୍ପିଲୱେ ପୁରୁଣା ପ୍ରକଳ୍ପ। ଏଥିପାଇଁ ବିଶ୍ବବ୍ୟାଙ୍କ ଅର୍ଥ ମଞ୍ଜୁର କରିଛନ୍ତି। ତେଣୁ ଏହାର କାର୍ଯ୍ୟକାରିତାରେ କୌଣସି ସମସ୍ୟା ହେବ ନାହିଁ। ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ନୂଆ ଅଟକଳ ପ୍ରସ୍ତୁତ କରାଯାଉଛି। ଏହି ପ୍ରକଳ୍ପ ପାଇଁ ୨ ରୁ ୩ ମାସ ମଧ୍ୟରେ ପୁନର୍ବାର ଟେଣ୍ଡର ହେବ। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ତେବେ ସାଂପ୍ରତିକ କୋଭିଡ୍ ପରିସ୍ଥିତିରେ ଏହି ପ୍ରକଳ୍ପର ଗତି ନେଇ ସ୍ଥାନୀୟ ଲୋକେ ସନ୍ଦିହାନ ଅଛନ୍ତି।

ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ନିଷ୍କାସନ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ୨୦୧୯ ମସିହା ଜାନୁଆରି ମାସରୁ ଆରମ୍ଭ ହୋଇଥିଲା ଅତିରିକ୍ତ ସ୍ପିଲୱେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ୨୦୨୧ ମସିହା ମାର୍ଚ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ଷେରୁ କମ‌୍ ସମୟ କାର୍ଯ୍ୟ କରି ୨୦୨୦ ଫେବ୍ରୁଆରି ମାସରେ ଟାଟା ଏଆଇଜି ପ୍ରକଳ୍ପରୁ ଓହରି ଯାଇଥିଲା। ସେହି ସମୟ ପର୍ଯ୍ୟନ୍ତ ଟାଟା ଏଆଇଜି ପ୍ରାୟ ୪ ଲକ୍ଷ କ୍ୟୁବିକ୍‌ ମିଟରର ମାଟି ଖୋଳିଥିଲା। ଜମି ହସ୍ତାନ୍ତରରେ ବିଳମ୍ବ ଯୋଗୁଁ ସ୍ପିଲୱେ କାର୍ଯ୍ୟ ଆଗକୁ ବଢ଼ିପାରିନଥିବା ଦର୍ଶାଇ ସଂସ୍ଥା ଜାନୁଆରି ମାସରେ ପ୍ରକଳ୍ପରୁ ଓହରିବା ନେଇ ସରକାରଙ୍କୁ ଚିଠି ଲେଖିଥିଲା। ଏଥିରେ କୁହାଯାଇଥିଲା ଯେ, ଅକ୍ଟୋବର ମାସରୁ ଯେଉଁ ଜମି କମ୍ପାନିକୁ ହସ୍ତାନ୍ତର କରାଯିବାକୁ ଥିଲା, ତାହା ଜାନୁଆରି ପର୍ଯ୍ୟନ୍ତ ହୋଇ ହୋଇ ପାରିନଥିବାରୁ ସେମାନେ ପ୍ରକଳ୍ପରୁ ଓହରି ଥିବେ। ଅନ୍ୟପକ୍ଷରେ କମ୍ପାନି ଚୁକ୍ତିନାମା ସତ୍ତ୍ବେ କାର୍ଯ୍ୟ ଅଧାରୁ ଓହରି ଯିବାରୁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁପାରିସ୍‌ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରେ ଏବେ ସମୁଦାୟ ୯୮ଟି ଗେଟ ରହିଛି। ଗୋଟିଏ ଗେଟ୍‌ ଦେଇ ସର୍ବାଧିକ ୧୫ ଲକ୍ଷ କ୍ୟୁସେକ୍‌ ପାଣି ନିଷ୍କାସିତ ହୋଇପାରେ। ଅତିରିକ୍ତ ସ୍ପିଲୱେରେ ସମୁଦାୟ ୫ଟି ସ୍ଲୁଇସ ଗେଟ ନିର୍ମାଣର ଯୋଜନା ରହିଛି। ଯଦ୍ବାରା ଅତିରିକ୍ତ ୩ ଲକ୍ଷ କ୍ୟୁସେକ ସହିତ ଡ୍ୟାମ୍‌ରୁ ଏକକାଳୀନ ୧୮ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହୋଇ ପାରିବ। ୨୦୧୫ ମସିହାରେ ବନ୍ଧ ସୁରକ୍ଷା, ବିଶ୍ବବ୍ୟାଙ୍କ ଏବଂ ସିଡବ୍ଲୁସିର ୧୨ ଜଣିଆ ଟିମ ଏହି ଅଞ୍ଚଳ ପରିଦର୍ଶନ ପରେ ବିଶ୍ବବ୍ୟାଙ୍କ ପକ୍ଷରୁ ଅତିରିକ୍ତ ସ୍ପିଲୱେ ନିର୍ମାଣର ପ୍ରସ୍ତାବ ଦିଆଯାଇଥିଲା। ଏହାପରେ ୨୦୧୮ ମସିହା ଜୁଲାଇ ମାସରେ ଏ ସଂକ୍ରାନ୍ତରେ ଟାଟା ଓ ତୁର୍କିର ଏଆଇଜି ଗ୍ରୁପ୍‌ ସହିତ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe