ଡାକ ଲଫାପାରେ ସ୍ଥାନୀତ ହେଲା ହୀରାକୁଦ ବନ୍ଧ

ଡାକ ଲଫାପାରେ ସ୍ଥାନୀତ ହେଲା ହୀରାକୁଦ ବନ୍ଧ

ସମ୍ବଲପୁର: ଶତାଧିକ ବର୍ଷ ଧରି ଡାକସେବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଗ ଭାବେ ରହି ଆସିଛି। ଏକ ପ୍ରକାରେ ଏହା ସଂସ୍କୃତିର ଜୀବନଧାରାରେ ପରିଣତ ହୋଇସାରିଛି। ଦେଶର କୋଣ ଅନୁକୋଣରେ ନିୟୋଜିତ ଥିବା ଡାକ କର୍ମଚାରୀମାନେ ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ ଭାବେ ରହିଛନ୍ତି ବୋଲି ଡାକ ଟିକଟ ସଂଗ୍ରହ ଉତ୍ସବ(ଫିଲାଟେଲିକ୍‌ ଫେଷ୍ଟିଭାଲ)ରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଂଜନ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ପାନ୍ଥନିବାସର ମହାନଦୀ ହଲ୍‌ରେ ଅନ୍‌ୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ ନିର୍ମାଣର ୬୦ ବର୍ଷ ପୂର୍ତ୍ତି ଅତିକ୍ରମ କରିଥିବା ହୀରାକୁଦ ବନ୍ଧର ଫଟୋ ସମ୍ବଳିତ ଲଫାପାକୁ ଉନ୍ମୋଚିତ କରିଥିଲେ।

ଶାନ୍ତସୁଧାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟବକ୍ତା ଶାନ୍ତନୁ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସହକାରୀ ଡାକ ନିର୍ଦେଶକ ମୁକୁନ୍ଦ ବେହେରା, ବିଶିଷ୍ଟ ଅତିଥି ଭାବେ କେନ୍ଦୁଝର ଡାକ ଡିଭିଜନର ଅଧୀକ୍ଷକ ଦେବୀପ୍ରସାଦ ନାୟକ, କଟକ ଡାକ ଡିଭିଜନର ବରିଷ୍ଠ ଅଧୀକ୍ଷକ ଆଦିତ୍ୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସମ୍ବଲପୁର ଡାକ ମଣ୍ଡଳର ଅଧୀକ୍ଷକ ବାନାମ୍ବର ସେଠୀ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ। ଡାକ ଟିକଟ ପ୍ରଦର୍ଶନୀରେ ୪ ଜଣ ବିଶିଷ୍ଟ ଡାକ ଟିକଟ ସଂଗ୍ରହକାରୀ ଅଜିତ ରାଉତ, କମଳ ଚକ୍ରବର୍ତ୍ତୀ, ଗଂଗାଧର ତ୍ରିପାଠୀ ଓ କାଶିନାଥ ସାହୁ ଅଂଶ ଗ୍ରହଣ କରିଥିଲେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରଦର୍ଶନୀ ସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe