ହୀରାକୁଦ ମହୋତ୍ସବ ସୂଚନା ପୁସ୍ତିକାରେ ତୁଙ୍ଗଭଦ୍ରା ଡ୍ୟାମ୍

ହୀରାକୁଦ ମହୋତ୍ସବ ସୂଚନା ପୁସ୍ତିକାରେ ତୁଙ୍ଗଭଦ୍ରା ଡ୍ୟାମ୍

ସମ୍ବଲପୁର: ଶୁକ୍ରବାରଠାରୁ ହୀରାକୁଦର ଜବାହର ଉଦ୍ୟାନରେ ପ୍ରଥମ ହୀରାକୁଦ ମହୋତ୍ସବ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁର ଓ ସମ୍ବଲପୁର ମହାନଗର ନିଗମର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା ଏହି ଉତ୍ସବ ପଶ୍ଚିମ ଓଡ଼ିଶାରେ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ବୋଲି ସରକାରଙ୍କ ପକ୍ଷରୁ ଦାବି କରାଯାଇଛି। ମହୋତ୍ସବ ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ସୁନ୍ଦର ବିବରଣିକା ବା ସୂଚନା ପୁସ୍ତିକା ପ୍ରକାଶିତ ହୋଇଛି।

ଏହି ରଂଗିନ ସଚିତ୍ର ପୁସ୍ତିକାରେ ଉତ୍ସବରେ ପରିବେଷିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଫଟୋ ସହ ସଂକ୍ଷିପ୍ତ ସୂଚନା ଦିଆଯାଇଛି। ହେଲେ ହୀରାକୁଦ ମହୋତ୍ସବ ସୂଚନା ପୁସ୍ତିକାରେ ହୀରାକୁଦ ନଦୀବନ୍ଧ ବଦଳରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ନଦୀବନ୍ଧର ଚିତ୍ର ସ୍ଥାନ ପାଇଛି। ତୁଙ୍ଗଭଦ୍ରା ନଦୀବନ୍ଧ ରାତିରେ ରଂଗିନ ଆଲୋକରେ ଝଲସୁଥିବାବେଳେ ଉକ୍ତ ଫଟୋକୁ ଆୟୋଜକମାନେ ହୀରାକୁଦର ଫଟୋ ଭାବି ସୂଚନା ପୁସ୍ତିକାର ସମ୍ମୁଖ ପୃଷ୍ଠାରେ ଓ ପଛ ପୃଷ୍ଠା ଭିତର ପାର୍ଶ୍ବରେ ସ୍ଥାନିତ କରିଛନ୍ତି। ଏହାକୁ ସାମାଜିକ ଗଣମାଧ୍ୟମରେ ଲୋକେ କଡ଼ା ସମାଲୋଚନା କରିଛନ୍ତି। ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ପ୍ରାଚୀନ ହୀରାକୁଦ ବନ୍ଧକୁ ରଂଗିନ ଆଲୋକରେ ଆଲୋକିତ କରିବା ବ୍ୟବସ୍ଥା କରିପାରି ନାହାନ୍ତି। ହେଲେ ଦେଶର ଅନ୍ୟାନ୍ୟ ବନ୍ଧ ଗୁଡ଼ିକ ରାତି ସମୟରେ ସୁନ୍ଦର ରଂଗିନ ଆଲୋକରେ ଝଲସୁଛି। ହେଲେ କେତେବେଳେ ସମ୍ବଲପୁର ସାଂସଦ ତ’ କେତେବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ୟ ବନ୍ଧର ଆଲୋକିତ ଫଟୋକୁ ହୀରାକୁଦ ନଦୀବନ୍ଧର ଦର୍ଶାଇ ଲୋକଙ୍କୁ ଭ୍ରମିତ କରିବା ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe