ପ୍ରଥମ ହୀରାକୁଦ ମହୋତ୍ସବ ଆରମ୍ଭ

Advertisment
ପ୍ରଥମ ହୀରାକୁଦ ମହୋତ୍ସବ ଆରମ୍ଭ

ହୀରାକୁଦ: ଓଡ଼ିଶୀ ଓ ଭାରତନାଟ୍ୟମ୍‌ ନୃତ୍ୟ କଲା ମନମୁଗ୍ଧ। ହୀରାକୁଦ ପାଦଦେଶରେ ଜବାହର ଉଦ୍ୟାନ ଠାରେ ଜାତୀୟ ସ୍ତରର ପ୍ରଥମ ହୀରାକୁଦ ମହୋତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଭାରତୀୟ ସଂସ୍କୃତି ଓ ପରମ୍ପରାର ମିଳନ ଶୁକ୍ରବାର ସନ୍ଧ୍ୟାକୁ ଅଧିକ ମନୋରମ କରିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ୍ ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ଵ କମିସନର୍‌ ସୁରେଶ୍ ଚନ୍ଦ୍ର ଦଳାଇ, ଜିଲ୍ଲା ପରିଷଦ ଅଧକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି. ଗଙ୍ଗାଧର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ, ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍‌ଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।

ପ୍ରଥମ ସନ୍ଧ୍ୟାରେ କୋଲକାତାର ଶର୍ମିଳା ବିଶ୍ୱାସଙ୍କ ଗ୍ରୁପ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ, ଯାହା ଲୋକଙ୍କ ମନ ଜିଣିଥିଲା। ଚେନ୍ନାଇ ରମା ବୈଦ୍ୟନାଥନଙ୍କ ଗ୍ରୁପର ଭାରତନାଟ୍ୟମ ଲୋକଙ୍କୁ ବାନ୍ଧି ରଖିଥିଲା। ତାପରେ ସମ୍ବଲପୁରର ରଞ୍ଜନ ସାହୁଙ୍କ ଗ୍ରୁପ୍‌ ସମ୍ବଲପୁରୀ ଲୋକ ନୃତ୍ୟ ଓ ସଂଗୀତ, ନୂଆଦିଲ୍ଲୀର ଅନୁପ ରଞ୍ଜନ ପାଣ୍ଡେଙ୍କ ଗ୍ରୁପ୍‌ ଲୋକନୃତ୍ୟ (ବସ୍ତାର ବ୍ୟାଣ୍ଡ୍‌) ଏବଂ ରାୟଗଡାର ଜେ. ସୁକାନ୍ତଙ୍କ ଗ୍ରୁପ୍‌ ଲୋକ ନୃତ୍ୟ ପ୍ରଦର୍ଶନ କରିଥିଲେ। ମହୋତ୍ସବ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ରଙ୍ଗୀନ୍‌ ଆଲୋକମାଳାରେ ଜବାହର୍‌ ଉଦ୍ୟାନ ସଜେଇ ହୋଇଥିବା ବେଳେ ଫଟୋ ଉଠାଇବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ପ୍ରଥମଥର ପାଇଁ ହୀରାକୁଦରେ ଅନୁଷ୍ଠିତ ଏହି ମହୋତ୍ସବର ପ୍ରଥମ ଦିନରେ ଲୋକଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖିବାକୁ ମିଳିଛି। ରବିବାର ଯାଏ ଏହି ମହୋତ୍ସବ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe