୬ରେ ବନ୍ୟାପାଣି ଛାଡ଼ିବ ହୀରାକୁଦ: କଲମା ବ୍ୟାରେଜ୍‌ ଖୋଲିଲା ୪୬ ଗେଟ୍‌

ଆସନ୍ତା ୬ ତାରିଖ ରବିବାର ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ୪୬ଟି ଗେଟ୍‌ ଖୋଲି ଦେଇଛନ୍ତି।

hirakud

ସମ୍ବଲପୁର: ଆସନ୍ତା ୬ ତାରିଖ ରବିବାର ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ୪୬ଟି ଗେଟ୍‌ ଖୋଲି ଦେଇଛନ୍ତି। କଲ୍‌ମାର ୬୬ଟି ଗେଟ୍‌ ମଧ୍ୟରୁ ଗତକାଲି ପର୍ଯ୍ୟନ୍ତ ୧୦ଟି ଗେଟ୍‌ ଖୋଲା ରହିଥିଲା। ଗୁରୁବାର ଆହୁରି ୩୬ଟି ଗେଟ୍‌ ଖୋଲାଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୨୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ଏହି ସମୟରେ ୧,୦୧,୩୪୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ମାତ୍ର ୩୪,୨୫୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ଉପର ମୁଣ୍ଡ‌ରେ ୩୦.୧୧ ମିମି ଓ ତଳମୁଣ୍ଡରେ ୩୭.୫୧ ମିମି ବର୍ଷା ରେକର୍ଡ କରାଯାଇଛି। ମହାନଦୀରେ ଜଳପ୍ରବାହ ବୃଦ୍ଧି ଯୋଗୁଁ ଆସନ୍ତା ୬ ତାରିଖରେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୦୮ ଫୁଟ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ରୁଲ୍‌କର୍ଭ ଅନୁସାରେ, ଏହି ସମୟରେ ଜଳସ୍ତର ୬୦୫ ଫୁଟ ମଧ୍ୟରେ ରହିବା କଥା। ବନ୍ୟା ନିୟନ୍ତ୍ରଣ ପାଇଁ ଚଳିତବର୍ଷ ଆଗୁଆ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। 

ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ଅଚଳ କ୍ଷମତା (ଡେଡ୍‌‌ ଷ୍ଟୋରେଜ) ଜଳସ୍ତର ୫୯୦ ଫୁଟ ହୋଇଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସେପଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳସ୍ତର ଏହାର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ। ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe