ହୀରାକୁଦ ପାଣି ସିଧାସଳଖ ବ୍ୟବହାରଯୋଗ୍ୟ ନୁହେଁ

Advertisment

ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି।

ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି।

hirakud

ଝାରସୁଗୁଡ଼ା: ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ହିଁ ପାଣିର ଉପାଦାନ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। 

ମୁଖ୍ୟମନ୍ତ୍ରୀ ଗବେଷଣା ଓ ଉଦ୍ଭାବନ ଯୋଜନା (ଏମ୍‌ଆର୍‌ଆଇପି) ଅଧୀନରେ ହୋଇଥିବା ଗବେଷଣାରୁ ଏହି ତଥ୍ୟ ପଦାକୁ ଆସିଛି। ୨୦୨୦ ମସିହା ମାର୍ଚ୍ଚ ମାସରୁ ୨୦୨୩ ଫେବ୍ରୁଆରି ଯାଏ ହୋଇଥିବା ଗବେ‌ଷଣା ଆଧାରରେ ଆଶିଷ ସାହୁଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟରେ ଉପରୋକ୍ତ ପ୍ରସଙ୍ଗ ଉଲ୍ଲେଖ ରହିଛି। ରିପୋର୍ଟ ଅନୁସାରେ, ହୀରାକୁଦ ଜଳଭଣ୍ଡାର ପିଇବା ପାଣି, ଜଳସେଚନ, ପଶୁପାଳନର ଏକ ବିରାଟ ଉତ୍ସ। ଜଳଭଣ୍ଡାର କୂଳରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିବା ବେଳେ ସେଗୁଡ଼ିକରୁ ନିର୍ଗତ ବର୍ଜ୍ୟ ଜଳ ପାଣିରେ ମିଶୁଛି। ସେହିପରି ମହାନଦୀ ଉପର ମୁଣ୍ଡରୁ ନେଇ ଜଳ ଭଣ୍ଡାର ଯାଏ ନଈକୂଳରେ ରହିଥିବା ଚାଷ ଜମିରୁ ନାଇଟ୍ରୋଜେନ୍‌ଯୁକ୍ତ ସାର ଓ କୀଟନାଶକର ଅବଶେଷ ମଧ୍ୟ ଏହି ପାଣିରେ ମିଶୁଛି। ଯଦ୍ବାରା ଜଳଭଣ୍ଡାରର ପଟୁରେ ଭାରି ଧାତୁ ଜମା ହୋଇ ରହୁଛି। ଏହାର ପ୍ରଭାବ ଯୋଗୁଁ ଏଠାରୁ ମାଛବଂଶ ଲୋପ ପାଇବାକୁ ବସିଲେଣି। କେବଳ ମଣିଷ ନୁହେଁ, ସମଗ୍ର ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟି କରିଛି। ସେପଟେ ଜଳଭଣ୍ଡାର ପାଣିରେ ମଧ୍ୟ ଋତୁ ଅନୁସାରେ ବିଭିନ୍ନ ଉପାଦାନର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୌସୁମୀ ପୂର୍ବରୁ ଏହାର ୧ ଲିଟର ପାଣିରେ ୩.୮ ମିଲିଗ୍ରାମ ଅମ୍ଲଜାନ ରହୁଥିବା ବେଳେ ମୌସୁମୀ ଋତୁରେ ଏହାର ପରିମାଣ ୬.୨ ମିଲିଗ୍ରାମକୁ ବୃଦ୍ଧି ପାଉଛି। ତେବେ ମୌସୁମୀ ପରବର୍ତ୍ତୀ ସ୍ଥିତିରେ ଜଳଭଣ୍ଡାରର ପାଣିରେ ଲିଟର ପିଛା ୧୨.୭ ମିଲିଗ୍ରାମ୍‌ ନାଇଟ୍ରେଟ୍‌ ଓ ମୌସୁମୀ ପୂର୍ବବର୍ତ୍ତୀ ସ୍ଥିତିରେ ଲିଟର ପିଛା‌ ୪.୧୭ ମିଲିଗ୍ରାମ ଫସ୍‌ଫେଟ୍‌ ରହିଥିବା ଦେଖିବାକୁ ମିଳିଛି। ମୌସୁମୀ ପୂର୍ବବର୍ତ୍ତୀ ସ୍ଥିତିରେ ଜଳଭଣ୍ଡାର ପାଣିରେ ଅଧିକ ପରିମାଣର ସାଇନୋ ବାକ୍ଟେରିଆ ରହୁଥିବାରୁ ପାଣିର ମାନ ନିମ୍ନଗାମୀ ହେବା ସହ ଜଳ ଭଣ୍ଡାରର ଜୈବ ବିବିଧତା ବିଗୁଡୁଥିବା ରିପୋର୍ଟରେ ଦର୍ଶାଯାଇଛି।

ଜଳଭଣ୍ଡାରରେ ମିଶୁଛି କାରଖାନାର ବର୍ଜ୍ୟଧାତୁ
ରିପୋର୍ଟ ତଲବ କଲେ ରାଜସ୍ବମନ୍ତ୍ରୀ 

ସମ୍ବଲପୁର: ବିଷ ହେଉଛି ହୀରାକୁଦ ଜଳଭଣ୍ଡାରର ପାଣି ଏବଂ ମାଟି। ବିଭିନ୍ନ କାରଖାନାର ବିଷାକ୍ତ ଧାତୁ ପଟୁମାଟି ଏବଂ ପାଣିରେ ମିଶୁଛି। ଏ ସଂକ୍ରାନ୍ତରେ ତଦନ୍ତ ସହିତ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂ଼ଜାରୀ। ଦୀପାବଳି ଅବସରରେ ସମ୍ବଲପୁରରେ ସମଲେଶ୍ୱରୀଙ୍କ ଦର୍ଶନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ସେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ହୀରାକୁଦ ଜଳଭଣ୍ଡାରରେ ଯେଉଁ ବିଷାକ୍ତ ଧାତୁ ହ୍ୟୁମାନ୍‌ ଚେନ୍‌ରେ ଆସି ମଣିଷର କ୍ଷତି କରୁଛି, ତାହାର ସତ୍ୟତା ଯାଞ୍ଚ ସହ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଏହାସହ କଳକାରଖାନାରୁ ନିର୍ଗତ ଯେଉଁସବୁ ପଦାର୍ଥ ଜଳଭଣ୍ଡାରକୁ ଛାଡ଼ି ଦିଆଯାଉଛି, ତାର ମଧ୍ୟ ତର୍ଜମା ହେବ। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଦୂଷଣ ରୋକିବା ପାଇଁ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନେଇ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏ ବାବଦରେ ବିସ୍ତୃତ ଆଲୋଚନା ହୋଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଥିଲେ, ବାତ୍ୟା ‘ଦାନା’ ମୁକାବିଲାରେ ତାଙ୍କ ବିଭାଗ ସଫଳ ହେଉ ବୋଲି ସେ ସମଲେଶ୍ୱରୀଙ୍କୁ ପୂର୍ବରୁ ସ୍ମରଣ କରିଥିଲେ। ଜିରୋ କାଜୁଆଲଟି ହେବାରୁ ଆଜି ମା’ଙ୍କୁ ଦର୍ଶନ କରିଛନ୍ତି। ଏହା ସହ ସମସ୍ତ ବିଭାଗ, ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ସଫଳତାର ସହ କାମ କରିଛନ୍ତି। ଆଶାକର୍ମୀ ଶିବାନୀ ମଣ୍ଡଳ ଓ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକଙ୍କ ସେବା କାର୍ଯ୍ୟ ପ୍ରଶଂସନୀୟ। ବାତ୍ୟା ମୁକାବିଲା ଦିଗରେ ନୂତନ ସରକାର ପାଖରେ ଯେଉଁ ଚାଲେଞ୍ଜ ଥିଲା, ମା’ଙ୍କ ଆଶୀର୍ବାଦରୁ ତାହା ସଫଳ ହୋଇଛି ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe