ହୀରାକୁଦ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ହୀରାକୁଦ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ବୁର୍ଲା: ଜାତୀୟ ସ୍ତରର ପ୍ରଥମ ହୀରାକୁଦ ମହୋତ୍ସବରେ ଶନିବାର ବର୍ଷା ବାଧକ ସାଜିଛି। ବର୍ଷା କାରଣରୁ ଖୋଲାମଞ୍ଚରେ କାର୍ଯ୍ୟକ୍ରମ ହେବା ଅସମ୍ଭବ ହୋଇପଡ଼ିବାରୁ ପ୍ରଶାସନ ପକ୍ଷରୁ ମହୋତ୍ସବର ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ହୀରାକୁଦରୁ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ମଧ୍ୟ କଳାକାରଙ୍କ ନୃତ୍ୟ ପ୍ରଦର୍ଶନ ଦେଖିବା ପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଦ୍ବିତୀୟ ସନ୍ଧ୍ୟାରେ କଥକ, ଓଡ଼ିଶୀ ସହ ଲୋକନୃତ୍ୟ ଲୋକଙ୍କ ମନ ଜିଣିଥିଲା।

ଦ୍ବିତୀୟ ସନ୍ଧ୍ୟାରେ ପୁନେର ଶାମା ଭଟେଙ୍କ ଗ୍ରୁପ୍‌ର କଥକ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରକ ଯୋଗାଇଥିଲା। ଦର୍ଶକଙ୍କ କରତାଳିରେ ଅଡିଟୋରିୟମ୍‌ କମ୍ପି ଉଠିଥିଲା। ତାପରେ ଲୋକଙ୍କୁ ଆତ୍ମବିଭୋର କରିଥିଲା କଟକ ଜ୍ୟୋସ୍ନା ସାହୁଙ୍କ ଗ୍ରୁପ୍‌ର ଓଡିଶୀ ନୃତ୍ୟ। ବଲାଙ୍ଗୀରର ବାସୁଦେବ ସା’, ଖେମୁଣ୍ଡି ଲୋକ କଳା ଏକାଡେମୀ ଗଞ୍ଜାମର ଏସ. କ୍ଷୀରୋଦ ଦୋରା ଏବଂ ଝାଡ଼ଖଣ୍ଡର ସଞ୍ଜୟ ଶର୍ମାଙ୍କ ଗ୍ରୁପ୍‌ ଲୋକନୃତ୍ୟ ପରିବେଷଣ କରିଥିଲେ। ରବିବାର ମହୋତ୍ସବର ଶେଷ ସନ୍ଧ୍ୟା କେଉଁଠାରେ ହେବ ତାହା ସ୍ପଷ୍ଟ ହୋଇ ନାହିଁ।

ପାଗ ଭଲ ରହିଲେ ପୁଣିଥରେ ମହୋତ୍ସବ ହୀରାକୁଦର ଖୋଲାମଞ୍ଚକୁ ଫେରିବ ବୋଲି ପ୍ରଶାସନ ପକ୍ଷରୁ କହାଯାଇଛି। ଦ୍ବିତୀୟ ସନ୍ଧ୍ୟାରେ ଡ. ସୁରେଶ ଚନ୍ଦ୍ର ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଦେବଗଡ଼ ଜିଲ୍ଲାପାଳ ସମେଶ ଉପାଧ୍ୟାୟ, ସୋନପୁର ଜିଲ୍ଲାପାଳ ଆବୋଲି ସୁନୀଲ ନର୍ଭଣେ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ବଲାଙ୍ଗୀର ଏସ୍‌ପି ନିତିନ କୁସଲ୍‌କର, ଏସ୍‌ଏମ୍‌ସି କମିସନର ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe