CREATOR: gd-jpeg v1.0 (using IJG JPEG v62), quality = 100
ଢେଙ୍କିକୋଟ: ନିଶାସକ୍ତ ଅବସ୍ଥାରେ ଆସି ଗଣ୍ଡଗୋଳ କରିବାରୁ ପୁଅର ହାତଗୋଡ଼ ବାନ୍ଧି ଖରାରେ ପକାଇ ଦେଲା ବାପା। ମୁଣ୍ଡଫଟା ଖରାରେ ତଣ୍ଟି ଶୁଖିଗଲା। ପାଣି ଟୋପାଏ ନ ପାଇ ଛଟପଟ ହୋଇ ଶେଷରେ ପୁଅର ମୃତ୍ୟୁ ଘଟିଲା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନମସିଣାବିଲା ଗ୍ରାମରେ। ମୃତ ଯୁବକ ହେଲେ ପାଣୁଆ ନାଏକଙ୍କ ପୁଅ ସୁମନ୍ତ ନାଏକ (୪୦)। ଏହି ଘଟଣାରେ ପୁଲିସ ବାପା ପାଣୁଆକୁ ଅଟକ ରଖି ପଚରାଉଚରା କରୁଛି।
ପାଣୁଆ ୨୨୦ ନମ୍ବର ଜାତୀୟ ରାଜପଥକଡ଼ରେ ଏକ ଜଳଖିଆ ଦୋକାନ କରିଛନ୍ତି। ଗତକାଲି ପାଣୁଆଙ୍କ ଦ୍ବିତୀୟ ପୁତ୍ର ସୁମନ୍ତ ଘରେ ସ୍ତ୍ରୀକୁ ମାର୍ପିଟ କରି ଛକକୁ ଆସି ବାପାଙ୍କ ସହ ଗଣ୍ଡଗୋଳ କରିଥିଲା। ପୁଅ ବ୍ୟବହାରରେ ଅତିଷ୍ଠ ପାଣୁଆ ଦିନ ପ୍ରାୟ ୨ଟା ସମୟରେ ସୁମନ୍ତର ଗୋଡ଼ହାତ ବାନ୍ଧି ଖରାରେ ପକାଇ ଦେଇଥିଲେ। ଖରାରେ ସୁମନ୍ତଙ୍କ ତଣ୍ଟି ଶୁଖିଯାଇଥିଲେ ମଧ୍ୟ କେହି ତାଙ୍କୁ ପାଣି ଟୋପାଏ ଦେଇନଥିଲେ। ଶେଷରେ ସୁମନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ଘଟଗାଁ ଥାନା ଏସ୍ଆଇ ତପନ କୁମାର ଜେନା ଆଜି ଭୋରରୁ ଘଟଣାସ୍ଥଳରେ ପହଞ୍ଚି ସୁମନ୍ତଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
Follow Us