ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଐତିହାସିକ ଅନିଲ ଧୀର: କଟକ ନୁହେଁ, ଭୁବନେଶ୍ବର ଅଣାଯାଉ ବିଜୁବାବୁଙ୍କ ଡାକୋଟା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଐତିହାସିକ ଅନିଲ ଧୀର: କଟକ ନୁହେଁ, ଭୁବନେଶ୍ବର ଅଣାଯାଉ ବିଜୁବାବୁଙ୍କ ଡାକୋଟା

ଭୁବନେଶ୍ବର : ଏକ ବିମାନ ପାଇଁ ଉପଯୁକ୍ତ ସ୍ଥାନ ହେଉଛି ବିମାନବନ୍ଦର। ୬୦ବର୍ଷ ଧରି ଡାକୋଟା ବିମାନ ଭୂଇଁରେ ଥାଇପାରେ, ହେଲେ ଏହାର ଆତ୍ମା ଆକାଶରେ। ବିଶ୍ବରେ ବହୁତ କମ୍ ଡାକୋଟାକୁ ପ୍ରଦର୍ଶନୀ ଭାବେ ରଖାଯାଇଛି। ମୁଖ୍ୟତଃ ଆମେରିକା ସମେତ ବିଶ୍ବରେ ୩୫ଟି ଡାକୋଟା ବିମାନବନ୍ଦର ବାହାରେ ପ୍ରଦର୍ଶିତ ହୋଇଛି। ଭାବପ୍ରବଣ ଓ ରାଜନୈତିକ ଦୃଷ୍ଟିକୋଣରୁ ହୁଏତ ଡାକୋଟାକୁ କଟକ ନିଆଯିବାକୁ ନିଷ୍ପତ୍ତି ହୋଇଥାଇପାରେ। ମାତ୍ର ବିଜୁ ପଟ୍ଟନାୟକ ବିମାନବନ୍ଦର ହିଁ ଡାକୋଟା ପାଇଁ ଉପଯୁକ୍ତ ସ୍ଥାନ ହେବ ବୋଲି କହିଛନ୍ତି ଐତିହାସିକ ଅନୀଲ ଧୀର। ବିଜୁ ପଟ୍ଟନାୟକ ବିମାନ ବନ୍ଦର ବାହାରେ ଡାକୋଟାକୁ ରଖିବା ଲାଗି ଶ୍ରୀ ଧୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

କୋଲାକାତା ବିମାନବନ୍ଦରରେ ପଡ଼ି ରହିଥିବା ବିଜୁବାବୁଙ୍କ ଡାକୋଟାକୁ ଓଡ଼ିଶାକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଫଳରେ ଦୀର୍ଘ ୪ ବର୍ଷ ପରେ ପୁଣିଥରେ ଡାକୋଟା ଓଡ଼ିଶାକୁ ଫେରିବା ଆଶା ଉଜ୍ଜୀବିତ ହୋଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏ ନେଇ ‘ପ୍ରସ୍ତାବ ଆହ୍ବାନ’(ଆରପିଏଫ୍‌)ର ଅନୁମୋଦନ ପାଇଁ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ଡର୍‌ ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି। ଶ୍ରୀ ଧୀର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଡିସି-୩ ଡାକୋଟା ଅନନ୍ୟ ଥିଲା ଓ ଏବେ ମଧ୍ୟ ରହିଛି। ଆକାଶରେ ଏହା ଅନେକ ମାଇଲ ଉଡ଼ିଛି, ଅନେକ ରେକର୍ଡ ଭାଙ୍ଗିଛି, ଯାତ୍ରୀ ଓ ମାଲ ପରିବହନ, ଅଧିକ ସମୟ ଧରି ଉଡ଼ାଣ କ୍ଷେତ୍ରରେ ଅନ୍ୟ ବିମାନ ଅପେକ୍ଷା ଅନେକ ଅସମ୍ଭବ କାର୍ଯ୍ୟ କରିଛି। ବହୁ ବର୍ଷ ଧରି ପଡ଼ି ରହିଥିଲେ ହେଁ ବିମାନର ଇଞ୍ଜିନ୍ ଠିକ୍ ଅଛି ଓ ଏହା ପୁନର୍ବାର କାର୍ଯ୍ୟକ୍ଷମ ‌ହୋଇପାରିବ। ବିଜୁ ପଟ୍ଟନାୟକ ବିମାନବନ୍ଦର ବାହାରେ ରହିଲେ ଡାକୋଟା ଦେଶର ବିମାନ ଚଳାଚଳ ଇତିହାସର ଏକ ଉପଯୁକ୍ତ ଆଇକନ୍ ହେବ। ଏପରିକି ବିଜୁ ବାବୁ ଯଦି ଜୀବିତ ଥା’ନ୍ତେ, ତାହାଲେ ଡାକୋଟାକୁ ବିମାନବନ୍ଦର ବାହାରେ ଏହାକୁ ରଖିବା ଲାଗି ପସନ୍ଦ କରିଥା’ନ୍ତେ। ଫ୍ଲାଇଙ୍ଗ କ୍ଲବ୍‌ରେ ତାଲିମ ନେଉଥିବା ସମୟରେ ବିଜୁବାବୁ ଅନେକ ସମୟରେ ହ୍ୟାଙ୍ଗରକୁ ଆସି କଥା ହୋଇଥା’ନ୍ତି। ତାଙ୍କର ଉଡ଼ାଣ ଦିନଗୁଡ଼ିକ ସଂପର୍କରେ ଅନେକ ଆକର୍ଷଣୀୟ କାହାଣୀ ମଧ୍ୟ କହିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧର ଅନେକ ପାଇଲଟ୍‌ ବିଜୁବାବୁଙ୍କ ସଂପର୍କରେ ଲେଖିଛନ୍ତି, ଯାହାର ସଂକଳନ କରିସାରିଛି। ବିଜୁ ବାବୁ ଓ କଳିଙ୍ଗ ଏୟାରଲାଇନ୍ସ ଉପରେ ଲେଖିଥିବା ପୁସ୍ତକ ଖୁବଶୀଘ୍ର ଉନ୍ମୋଚିତ ହେବାକୁ ଯାଉଛି। ଏଥିରେ ଅନେକ ରୋଚକ କାହାଣୀ ଲୋକଲୋଚନକୁ ଆସିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe