ଆଜିଠୁ ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା

Advertisment
ଆଜିଠୁ ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା

ବୌଦ୍ଧ: ବୌଦ୍ଧର ପ୍ରସିଦ୍ଧ ଐତିହାସିକ ରାମଲୀଳା ଯାତ୍ରା ରବିବାରଠାରୁ ଆରମ୍ଭ ହେଉଛି। ରାଜ୍ୟରେ କରୋନାର ପ୍ରକୋପ ଯୋଗୁଁ ଗତ ଦୁଇ ବର୍ଷ ହେଲା ରାମଲୀଳା ଯାତ୍ରା ବନ୍ଦ ଥିଲା। କେବଳ ବିଧି ରକ୍ଷା ପାଇଁ ରଘୁନାଥ ମନ୍ଦିରରେ ସୀମିତ କର୍ମକର୍ତ୍ତାଙ୍କୁ ନେଇ ପୂଜାର୍ଚ୍ଚନା ହୋଇଥିଲା। ଫଳରେ ଶ୍ରଦ୍ଧାଳୁ, ଦର୍ଶକ, କଳାକାର ଓ ଆୟୋଜକ ନିରାଶ ଥିଲେ। ଚଳିତ ବର୍ଷ କଟକଣା ହଟିବା ପରେ ଯାତ୍ରା ଅନୁଷ୍ଠିତ ହେବା ବାଟ ଫିଟିଛି। ଆୟୋଜକ, କଳାକାର, ଶ୍ରଦ୍ଧାଳୁ ଏପରିକି ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଯାତ୍ରାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଆୟୋଜକଙ୍କ ସହ ବାରମ୍ବାର ବୈଠକ କରିଛି। ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ପୁସ୍ତକ ମେଳା ଓ ପଲ୍ଲିଶ୍ରୀ ମେଳା ଆୟୋଜନର ନିଷ୍ପତ୍ତି ହୋଇଛି।

ମହାନଦୀର ହନୁମାନ ମନ୍ଦିର ଘାଟରୁ କଳସ ଶୋଭାଯାତ୍ରାରୁ ଆରମ୍ଭ ହୋଇ ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ପର୍ବରେ ଶେଷ ହୋଇଥାଏ। ଏହି ଅବସରରେ ରଘୁନାଥ ମନ୍ଦିର ମଣ୍ଡପରେ ୧୮ ଦିନ ବ୍ୟାପୀ ମଞ୍ଚସ୍ଥ ହେବ ନାଟକ। ସେପଟେ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଆଖଡ଼ାରେ କଳାକାରଙ୍କ ଜୋରଦାର ଅଭ୍ୟାସ ଚାଲିଛି। ଗଡ଼ଜାତ ସମୟ‌ରୁ ଆରମ୍ଭ ହୋଇଥିବା ରାମଲୀଳାର କଳାକାରମାନେ ବ୍ରତ ଧାରଣ ପରେ ନିଷ୍ଠାପର ଭାବରେ ଦିନକୁ ଥରେ ହବିଷାନ୍ନ ଭୋଜନ କରନ୍ତି।

ରବିବାର ଶ୍ରୀରାମଙ୍କ ଜନ୍ମୋତ୍ସବ ସହ ପର୍ଯ୍ୟାୟକ୍ରମେ ବାଲ୍ୟଲୀଳା, ସୀତା ବିବାହ, ବନବାସ, ଖର, ଦୂଷଣ ଓ ତ୍ରିଶିରା ବଧ, ସୀତା ଚୋରି, ବାଳୀ ବଧ, ଲଙ୍କା ଦହନ, ସେତୁବନ୍ଧ ପ୍ରତି‌ଷ୍ଠା, ନାଗଫାଶ ବନ୍ଧନ, କୁମ୍ଭକର୍ଣ୍ଣ ବଧ, ତରଣୀସେନ ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତିଭେଦ, ମହୀରାବଣ ବଧ, ନରାନ୍ତକ ବଧ, ରାବଣ ବଧ ଓ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଅଭିନୀତ ହେବ। ଏଥି ସହିତ ୧୪ ତାରିଖରେ ବନ୍ଦିତା ନାୟକଙ୍କ ପାରାୟଣ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଚଳିତ ମ‌ାସ ୨୬ ତାରିଖରେ ହେବାକୁ ଥିବା ରାବଣ ବଧ ଦେଖିବାକୁ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe