ଜାତିକୁ ଆଗକୁ ବଢ଼ିବାକୁ ହେଲେ ଇତିହାସ ବୁଝିବା ଜରୁରି: ଆର୍‌ ବାଲ୍‌କ୍ରିଷ୍ଣନ୍‌

ଓଡ଼ିଶା ନିର୍ମାଣ କନକ୍ଲେଭ

ଜାତିକୁ ଆଗକୁ ବଢ଼ିବାକୁ ହେଲେ ଇତିହାସ ବୁଝିବା ଜରୁରି: ଆର୍‌ ବାଲ୍‌କ୍ରିଷ୍ଣନ୍‌

ଭୁବନେଶ୍ୱର : ବର୍ତ୍ତମାନ କିମ୍ବା ଭବିଷ୍ୟତ ନୁହେଁ, କେବଳ ଅତୀତର ହିଁ ପୁନରାବୃତ୍ତି ଘଟିଥାଏ। ଇତିହାସକୁ ଛାଡ଼ି ଗୋଟିଏ ସମାଜର ପରିଚୟ ନାହିଁ। ୧୮୮୯ ମସିହାର ଭାଷା ଆନ୍ଦୋଳନକୁ ଭୁଲି ୧୯୩୬ର ସ୍ବତନ୍ତ୍ର ପ୍ରଦେଶ ଗଠନ ପ୍ରସଙ୍ଗ‌ରେ ଆଲୋଚନା କରିବା ଅର୍ଥହୀନ। ଖାଲି ଭାଷା ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ଇତିହାସ ହିଁ ଆଖି ଖୋଲି ଦେଇଥାଏ। ଜାତିକୁ ଆଗକୁ ବଢ଼ିବାକୁ ହେଲେ ଇତିହାସ ବୁଝିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍‌।

ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ ଆଲୋଚନାରେ ଶ୍ରୀ ବାଲକ୍ରିଷ୍ଣନ୍‌ ତାଙ୍କ ୩୭ ବର୍ଷ ଚାକିରି ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଶ୍ରୀଲଙ୍କାରେ ଯେତେବେଳେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା, ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଆକାଶ ମାର୍ଗରୁ ସେଠାରେ ଖାଦ୍ୟ ପୁଡ଼ିଆ ପକାଯାଇଥିଲା। ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଥିଲେ। ସେ କହିଥିଲେ, ଓଡ଼ିଶାରେ କଳାହାଣ୍ଡି ଭଳି ଜାଗା ଅଛି, ଯେଉଁଠାରେ ଏଭଳି ଖାଦ୍ୟ ପୁଡ଼ିଆ ପକାଇବାର ଆବଶ୍ୟକତା ଅଛି। ଏକଥା ଆମକୁ ବହୁତ ବାଧିଥିଲା। ଏହି ଘଟଣା ଆମକୁ ନୂଆ ବାଟ ଦେଖାଇଥିଲା, ଯାହାର ପ୍ରମାଣ ଆଖି ଆଗରେ ଅଛି। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ଆଜି କେହି କଳାହାଣ୍ଡିର ଉଦାହରଣ ଦେଇପାରିବେ ନାହିଁ। ଧାନ ଉତ୍ପାଦନରେ ଓଡ଼ିଶା ଏବେ ଦେଶରେ ୩ ନମ୍ବର ସ୍ଥାନରେ ରହିଛି। ଅନାହାର ଶବ୍ଦ ଓଡ଼ିଶା ଅଭିଧାନରୁ ହଜି ଯାଇଛି।

publive-image

ସରକାରୀ ନିର୍ଦ୍ଦେଶ ସତ୍ତ୍ବେ ଓଡ଼ିଆ ଭାଷାର ପ୍ରଚଳନ ସରକାରୀସ୍ତରରେ କାହିଁକି ହୋଇପାରୁନି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ମୁଁ ଯେତେବେଳେ ମୋ ମାତୃଭାଷା(ତାମିଲ)ରେ ୟୁପିଏସ୍‌ସି ଦେଲି, ଅନେ‌କ ପ୍ରଶ୍ନ ଉଠାଇଥିଲେ। ତାମିଲରେ ପରୀକ୍ଷା ଦେଇ ଇଏ କ’ଣ କରିବ? ହେଲେ ପ୍ରଥମ ଚେଷ୍ଟାରେ ହିଁ ଆଇଏଏସ୍‌ ପାଇଥିଲି। ଏହି ସଫଳତାକୁ ନେଇ ତାମିଲନାଡୁ ବିଧାନସଭାରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ପ୍ରତ୍ୟେ‌କେ ନିଜ ମାତୃଭାଷାକୁ ନେଇ ଗର୍ବ କରିବା ଉଚିତ। ଚୀନ୍‌, ଜାପାନ, ଜର୍ମାନୀ ଭଳି ଦେଶର ଉଦାହରଣ ନିଆଯାଇପାରେ। ସେମାନେ ଇଂରାଜୀଠାରୁ ମାତୃଭାଷା ବେଶି ବ୍ୟବହାର କରନ୍ତି। ଓଡ଼ିଶାରେ କରୋନା କାଳରେ ସରକାରଙ୍କ ପରାମର୍ଶକ୍ରମେ ରାଜ୍ୟବାସୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହା ଲୋକଙ୍କ ମନୋବଳ ବଢ଼ାଇଥିଲା। ସରକାର ମାତୃଭାଷାକୁ ଗୁରୁତ୍ବ ଦେଉଥିବା ପ୍ରସଙ୍ଗରେ ଆଉ ଗୋଟିଏ ଉଦାହରଣ ନିଆଯାଇପାରେ; ସରକାରୀ ସ୍କୁଲରେ ଅଧିକାଂଶ ଓଡ଼ିଆ ଛାତ୍ରଛାତ୍ରୀ ପଢ଼ୁଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।

ବାହାରେ ଓଡ଼ିଶାର ପରିଚୟକୁ ନେଇ ସେ କହିଥିଲେ, ମହାବାତ୍ୟା ସମୟରେ ପୁରୁଣା ପୋଷାକ ଓ ବ୍ୟବହୃତ ଚପଲ ଦେଶର ବିଭିନ୍ନ ପ୍ରାନ୍ତରୁ ଓଡ଼ିଶା ଆସିଥିଲା। ହେଲେ ଏବେ ସ୍ଥିତି ବଦଳି ଯାଇଛି। ଅନ୍ୟ ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ହେଲେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ଖୋଜା ପଡ଼ୁଛି। ସୁନାମୀ ସମୟରେ ଆଣ୍ଡାମାନରେ ଓଡ଼ିଶାର ସହାୟତା ପ୍ରସଙ୍ଗକୁ ଉଦାହରଣ ଭାବରେ ନିଆଯାଇପାରେ। କେବଳ ଇତିହାସରୁ ମିଳିଥିବା ଅଭିଜ୍ଞତାରୁ ହିଁ ଓଡ଼ିଶାକୁ ସମୃଦ୍ଧ କରିବାର ସାହସ ମିଳିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe