ଏଚ୍‌ଆଇଭି ଆକ୍ରାନ୍ତ ବୋଲି କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ି ରହିଲା ଶବ

Advertisment
ଏଚ୍‌ଆଇଭି ଆକ୍ରାନ୍ତ ବୋଲି କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ି ରହିଲା ଶବ

ସମ୍ବଲପୁର : ସବୁବେଳେ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହୁଥିବା ବୁର୍ଲା ବଡ଼ ଡାକ୍ତରଖାନାରେ ପୁଣି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଚ୍‌ଆଇଭି ଆକ୍ରାନ୍ତ ବୋଲି ଶବକୁ ମେଡିକାଲ କର୍ମଚାରୀ କି ପୁଲିସ୍‌ କେହି ଛୁଇଁଲେନି। ୧୨ ଘଣ୍ଟା ଡାକ୍ତରଖାନା ଶଯ୍ୟାରେ ଶବ ସେହିଭଳି ପଡ଼ି ରହିଲା। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ଶବ ଉଠାଇ ଶବ ଗୃହକୁ ପଠାଇଛି। ଘଟଣା ସମ୍ପର୍କରେ ବଡ଼ ଡାକ୍ତରଖାନା ଅଧୀକ୍ଷକ ଡା. ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ଉକ୍ତ ବ୍ୟକ୍ତିଙ୍କ କେହି ଆଟେଣ୍ଡାଣ୍ଟ ନଥିବାରୁ ପୁଲିସ୍‌କୁ ସୂଚନା ଦିଆ ଯାଇଥିଲା ବୋଲି କହିଥିଲେ।

publive-image

ମିଳିଥିବା ସୂଚନା ମୁତାବକ, ବରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଡାହାଣ ଆଖିରେ ଟ୍ୟୁମର ହୋଇଥିବା ଜଣାପଡ଼ିବା ପରେ ଅସ୍ତ୍ରୋପଚାର ପାଇଁ ସେ ଗତ ୨୩ ତାରିଖରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୨୬ ତାରିଖରେ ତାଙ୍କର ଚକ୍ଷୁ ବିଭାଗରେ ଅସ୍ତ୍ରୋପଚାର ହୋଇଥିଲା। ଏହି ସମୟରେ ଉକ୍ତ ବ୍ୟକ୍ତି ଏଚ୍‌ଆଇଭିରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଖବର ଶୁଣି ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଏକୁଟିଆ ଛାଡ଼ି ପଳାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ହଠାତ୍‌ ସଙ୍କଟାପନ୍ନ ହେବାରୁ ତାଙ୍କୁ ମେଡିସିନ୍‌ ୱାର୍ଡର ୨ ନଂ ୟୁନିଟ‌୍‌କୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୮ଟା ୪୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଅପମୃତ୍ୟୁ ହୋଇ ନ ଥିବାରୁ ପୁଲିସ୍‌ ମଧ୍ୟ ସେଠାକୁ ଯାଇ ନଥିଲା। ବହୁ ଘଣ୍ଟା ଧରି ଶବ ପଡ଼ି ରହିବାରୁ ପାଖରେ ଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ତଥାପି ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ଉଠାଇବାର ବ୍ୟବସ୍ଥା କରି ନ ଥିଲେ। ଅପରାହ୍‌ଣରେ ଏହା ଏକ ଏଚ୍‌ଆଇଭି ଆକ୍ରାନ୍ତଙ୍କ ମୃତଦେହ ‌ବୋଲି କୌଣସି ସୂତ୍ରରୁ ସୂଚନା ମିଳିବା ପରେ ପାର୍ଶ୍ବରେ ଥିବା କିଛି ରୋଗୀ ଭୟରେ ନିଜ ବେଡ୍‌ ଛାଡ଼ି ଚାଲି ଯାଇଥିଲେ। ଘଟଣା ପ୍ରଘଟ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ମେଡିକାଲ ଫାଣ୍ଡି ପୁଲିସ ରାତି ୯ଟାରେ ଶବ ଜବତ କରି ଶବଗୃହକୁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe