ସ୍କୁଲସ୍ତରରୁ ହକି କୋଚିଂ : ପ୍ରଥମ ପର୍ଯ୍ୟାୟରେ ୭ ସ୍କୁଲ ଚିହ୍ନଟ, ସ୍କୁଲ ସମୟ ପୂର୍ବରୁ କିମ୍ବା ପରେ ତାଲିମ

Advertisment
ସ୍କୁଲସ୍ତରରୁ ହକି କୋଚିଂ : ପ୍ରଥମ ପର୍ଯ୍ୟାୟରେ ୭ ସ୍କୁଲ ଚିହ୍ନଟ, ସ୍କୁଲ ସମୟ ପୂର୍ବରୁ କିମ୍ବା ପରେ ତାଲିମ

onethousandhockeylegs.com

ଭୁବନେଶ୍ବର : ତୃଣମୂଳସ୍ତରରୁ ଜାତୀୟ ଖେଳ ହକି ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ହକି ଖେଳ ସମ୍ପର୍କରେ କୋଚିଂ ଦିଆଯିବ। ଛାତ୍ରଛାତ୍ରୀ ଭବିଷ୍ୟତରେ କିଭଳି ରାଜ୍ୟ ତଥା ଦେଶ ପାଇଁ ଭଲ ପ୍ରଦର୍ଶନ କରିପାରିବେ ସେଦିଗରେ ବି ପଦକ୍ଷେପ ନିଆଯିବ। ଏଥିପାଇଁ ନାଭାଲ୍‌ ଟାଟା ହକି ଏକାଡେମି ପକ୍ଷରୁ ଉକ୍ତ ଦୁଇ ଜିଲ୍ଲାର ୭ଟି ସ୍କୁଲର ଖେଳପଡ଼ିଆରେ ହକି ତାଲିମ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

କ୍ରୀଡ଼ା ସଚିବ ବିଶାଳ ଦେବ ଏନେଇ ଗତ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବକୁ ଚିଠି ଲେଖି ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସଚିବ ଶ୍ରୀ ଦେବ କହିଥିଲେ ଯେ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ହକି ତାଲିମ ଦିଆଯିବ। ୧୦ଟି କେନ୍ଦ୍ରରେ ଏହି ତାଲିମ ଶିବିର ହେବ। ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ୫ଟି ଓ ସମ୍ବଲପୁର ଜିଲ୍ଲାର ୨ଟି ସରକାରୀ ଅନୁବନ୍ଧିତ ବିଦ୍ୟାଳୟ(ଯେଉଁଥିରେ ମିସନ ସ୍କୁଲ ରହିଛି)ରେ ଖେଳ ପଡ଼ିଆ ରହିଛି। ଯେଉଁଠାରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ହକି ତାଲିମ ମିଳିବ। ସ୍କୁଲ ସମୟ ପୂର୍ବରୁ କିମ୍ବା ପରେ ଏହି ତାଲିମ କାର୍ଯ୍ୟକ୍ରମ ଚାଲିବ। ତେଣୁ ସମ୍ପୃକ୍ତ ବିଦ୍ୟାଳୟ କର୍ତୃପକ୍ଷ ତାଲିମ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଥିଲେ।

ଉକ୍ତ ଚିଠିକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ପି କେ ମିଶ୍ର ଏବେ ଉକ୍ତ ଦୁଇ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସହଯୋଗ କରିବାକୁ କହିଛନ୍ତି। ପ୍ରସ୍ତାବିତ ସ୍କୁଲଗୁଡ଼ିକ ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ାର ବିସୋପ ହର୍ମନ ମିସନ ୟୁପି ସ୍କୁଲ, ନୂଆଗାଁର ପଞ୍ଚାୟତ ସମିତି ହାଇସ୍କୁଲ ଓ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, କୁର୍ତ୍ତାର କାହୁପାଣି ମିସନ ୟୁପି ସ୍କୁଲ, ସବ୍‌ଡେଗାର ନ୍ୟୁ ଓଡ଼ିଶା ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ବା‌ମରାସ୍ଥିତ ରାବଗା ମାଝପଡ଼ା ମିସନ ହାଇସ୍କୁଲ ଓ ଯୁଯୁମରାର ସତ୍ୟଜ୍ୟୋତି ୟୁପି ସ୍କୁଲ କର୍ତୃପକ୍ଷ ଏଦିଗରେ ସହଯୋଗ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe